ଆଠଗଡରେ ନିର୍ବାଚନ ପରବତ୍ତୀ ହିଂସା, ଗାଡିଚଢାଇ ମାରିଦେବାକୁ ଉଦ୍ୟମ

Creat A Revolution
           

ଆଠଗଡ଼ -: ଗାଡ଼ି ଚଢ଼ାଇ କଟକ ଜିଲ୍ଲା ଆଠଗଡ଼ ଏନ୍‌ଏସିର ବିଜେପି ନଗରପାଳ ପ୍ରାର୍ଥୀ ଇଲା ପଣ୍ଡାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଇଲାଙ୍କ ମୁଣ୍ଡ, ଛାତି ଓ ଗୋଡ଼ରେ ଆଘାତ ଲାଗିଥିଲା ବେଳେ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଡାକ୍ତରଖାନାରେ ଚିକିତ୍ସା ପରେ ଘଟଣା ସମ୍ପର୍କରେ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଉତ୍ତ୍ୟକ୍ତ ଲୋକମାନେ ଆଠଗଡ଼ ଥାନା ଘେରାଉ କରିବା ସହ ଅଭିଯୁକ୍ତକୁ ଗିରଫ ଦାବି କରିଛନ୍ତି ।


ଆଜି ସନ୍ଧ୍ୟାରେ ବିଜେପି ପକ୍ଷରୁ ଆଠଗଡ଼ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମୟରେ ବିଜେପି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଛିଡ଼ା ହୋଇଥିବା ଗାନ୍ଧୀମାର୍ଗ ଅଞ୍ଚଳର ସନ୍ତୋଷ ରଥ ନାମକ ଯୁବକ ଇଲାଙ୍କୁ ଗାଳିଗୁଲଜ କରିଥିଲେ । ଏହାର ପ୍ରତିବାଦ କରିବାରୁ ସେ ଜୀବନରେ ମାରି ଦେବାକୁ ଧମକ ଦେଇ ସେଠାରୁ ଚାଲି ଯାଇଥିଲେ । ସାମ୍ବାଦିକ ସମ୍ମିଳନୀ ଶେଷ ହେବାପରେ ଇଲା ନିଜ ସ୍କୁଟି ନେଇ ଘରକୁ ଫେରୁଥିଲା ବେଳେ ପୁରୁଣା ବସଷ୍ଟାଣ୍ଡ ନିକଟରେ ଅପେକ୍ଷା କରିଥିବା ସନ୍ତୋଷ ନିଜ ମାରୁତି ର୍କାରେ ଇଲାଙ୍କୁ ଧକ୍କା ଦେଇଥିଲେ । ଇଲା ସ୍କୁଟି ସହ ରାସ୍ତାରେ ଛିଟିକି ପଡ଼ି ଯାଇଥିଲେ । କାର ଧକ୍କାରେ ସ୍କୁଟି ଭାଙ୍ଗିରୁଜି ଯାଇଥିଲାବେଳେ ଇଲାଙ୍କ ଛାତି, ମୁଣ୍ଡ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା । ଏହାପରେ ସନ୍ତୋଷ ତାଙ୍କୁ ପୁନର୍ବାର ଗାଳିଗୁଲଜ କରି ସେଠାରୁ ପଳାଇ ଯାଇଥିଲେ ବୋଲି ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି ।


ରାସ୍ତାରେ ପଡ଼ି ରହିଥିବା ଇଲାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସା ପାଇଁ ଆଠଗଡ଼ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଚିକିତ୍ସା ପରେ ଇଲା ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣା ପ୍ରଚାରିତ ହେବାପରେ ଇଲାଙ୍କ ଶତାଧିକ ସମର୍ଥକ ଆଠଗଡ଼ ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଥିଲା । ବିକ୍ଷୋଭ ସମୟରେ ଥାନାରେ ଉପସ୍ଥିତ ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା ।ଅପରପକ୍ଷରେ ଅଭିଯୋଗ ପରେ ପୁଲିସ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିଯୁକ୍ତ ସନ୍ତୋଷଙ୍କୁ ତାଙ୍କ ଘରୁ ଧରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଆଇଆଇସି ବାମଦେବ ସ୍ୱାଇଁ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଏନ୍‌ଏସି ନିର୍ବାଚନରେ ନଗରପାଳ ପ୍ରାର୍ଥୀ ଇଲା ପଣ୍ଡା ଅଳ୍ପ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ । ତାଙ୍କୁ ଆକ୍ରମଣ ଘଟଣାକୁ ନେଇ ଆଠଗଡ଼ରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading