ଝାରସୁଗୁଡା -: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଯଦିଓ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ, ବିଜେଡି ଟିକେଟ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଠିକ୍ ଏମିତି ସମୟରେ ଆଜି ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ସାମ୍ନାକୁ ଆସି ଏକ ବଡ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ ନିୟମ ଦୃଷ୍ଟିରୁ ମୋ ସ୍ୱାମୀଙ୍କ ବିୟୋଗ ପରେ ଟିକେଟ ମୋ ଅଧିକାର । ଶୁଣୁଛି ଟିକେଟ ପାଇଁ ଅନ୍ୟମାନେ ଲବି କରୁଛନ୍ତି ।
କିନ୍ତୁ ମୋର ଆଶା ମୁଖ୍ୟମନ୍ତ୍ରୀ ମୋ ପ୍ରତି ନ୍ୟାୟ କରିବେ ଓ ଦ୍ରୁଢ଼ ବିଶ୍ୱାସ ମୁଁ ଜିତିବି । ମୋର ପିଲାମାନେ ଏବେ ବହୁତ ଛୋଟ । ସେମାନେ ଚାହୁଁଛନ୍ତି ବାପାଙ୍କ ଅଧୁରା ସ୍ୱପ୍ନ ମୁଁ ପୂରଣ କରିବି । ଅଳକାଙ୍କ ଏଭଳି ମନ୍ତବ୍ୟ ପରେ ଟିକେଟ୍ ରାଜନୀତି ଚର୍ଚ୍ଚା ଜମିଛି । ଗତ ଡିସେମ୍ବର ୩୦ ତାରିଖ ଦିନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି । ସ୍ୱର୍ଗତ ମହାନ୍ତି ବିଜେଡିର ଜିଲ୍ଲା ସଭାପତି ଥିଲେ । ବିଜେଡି ଏ ପର୍ଯ୍ୟନ୍ତ ଏହି ପଦବିରେ କାହାକୁ ନିଯୁକ୍ତି ଦେଇନାହିଁ । ସେପଟେ ୬ ମାସ ମଧ୍ୟରେ ଉପନିର୍ବାଚନ ହେବାର ନିୟମ ଥିବା ବେଳେ ଆସନ୍ତା ଜୁନ ମାସରେ ଏହାର ଅବଧି ପୂରଣ ହେଉଥିବାରୁ ମେ କିମ୍ବା ଜୁନ୍ ମାସ ମଧ୍ୟରେ ଉପନିର୍ବାଚନ ହେବା ନେଇ ସ୍ପଷ୍ଟ ହୋଇଛି ।
ଇତି ମଧ୍ୟରେ ପ୍ରଶାସନ ତରଫରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ମାଷ୍ଟର ଟ୍ରେନର ତାଲିମ ମଧ୍ୟ ସଂପୂର୍ଣ୍ଣ ହୋଇଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ଖାତା ଖୋଲିଥିବା ବେଳେ କିଶୋର ମହାନ୍ତି ଏଠାରୁ ନିର୍ବାଚିତ ହୋଇଥିଲେ । ସ୍ୱର୍ଗତ ମହାନ୍ତି ୮୦୧୫୨ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ରାଧାରାଣୀ ପଣ୍ଡା ୬୮୧୫୨ ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ସମର୍ôଥତ ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ମାତ୍ର ୯୩୫୦ ଭୋଟ ପାଇଥିଲେ । ୨୦୧୪ ସାଧାଣର ନିର୍ବାଚନ ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରୁ ତିନି ଥର ବିଜୟୀ ହୋଇଥିବା କଂଗ୍ରେସ ବିଧାୟକ ଅନୁପ ସାଏ ବିଜେଡିରେ ଯୋଗଦାନ କରି ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜେପି ପ୍ରାର୍ôଥନୀ ରାଧାରାଣୀ ପଣ୍ଡାଙ୍କଠାରୁ ପରାଜିତ ହୋଇଥିଲେ । ସେବେ ଶ୍ରୀମତୀ ପଣ୍ଡା ୫୦୭୩୬ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ସାଏ ୪୩୯୪୬ ଭୋଟ ପାଇଥିଲେ । ସେତେବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ୩୮୧୭୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
କିଶୋରଙ୍କ ପତ୍ନୀ କହିଲେ ଟିକେଟ୍ ମୋର ଅଧିକାର
ଟିକେଟ୍ ପାଇଁ ଅନ୍ୟମାନେ ଲବି କରୁଥିବା କହିଲେ
କଂଗ୍ରେସରୁ କିଶୋର ପଟେଲ୍ ପ୍ରମୁଖ ଦାବିଦାର
ବିଜେପି କାହାକୁ ଆଗରେ ରଖିଛି ଜଣାପଡିନାହିଁ
ଏଥର ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ କିଏ ହେବେ, ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ କଂଗ୍ରେସ ଦଳରୁ କିଶୋର ପଟେଲ ପୁଣି ଥରେ ଦାବିଦାର ହୋଇଥିବା ବେଳେ ବିଜେଡି ପକ୍ଷରୁ କିଶୋର ମହାନ୍ତିଙ୍କ ପତ୍ନୀ ଟିକଟ ପାଇବା ପାଇଁ ଆଶାୟୀ ଅଛନ୍ତି । ଗତ ପୌର ନିର୍ବାଚନଠାରୁ ସେ ବାରମ୍ବାର ଗଣମାଧ୍ୟମକୁ ଆସି ବିଧାୟକ ହେବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି । ଏହି ନିର୍ବାଚନମଣ୍ଡଳୀରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ତାଙ୍କ ପାରିବାରିକ ଟ୍ରଷ୍ଟ ମାଧ୍ୟମରେ କିଛି ଉତ୍ସବରେ ଯୋଗଦାନ କରିବା ସହିତ ଏହି ନିର୍ବାଚନମଣ୍ଡଳୀରେ ଏକାଧିକ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ । ତେଣୁ ଦିପାଳୀ ଏଠାରୁ ଟିକେଟ ପାଇବା ନେଇ କିଛି ଦିନ ଧରି ଚର୍ଚ୍ଚା ହୋଇଥିଲା ।
କିଛି କର୍ମୀ ଦୀପାଳି ବିଧାୟକ ହୁଅନ୍ତୁ ବୋଲି ବିଭିନ୍ନ ସଭା ସମିତିରେ କହିବା ପରେ ଏହି ଚର୍ଚ୍ଚା ଅଧିକ ଆଲୋଚନାକୁ ଆସିଥିଲା । ତେବେ ଦୀପାଳି ଦାସଙ୍କ ଟିକେଟ ସଂପର୍କରେ ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ କିମ୍ବା ମୋ ଝିଅ କେବେ କାହାକୁ ଟିକେଟ କଥା କହିନାହୁଁ । ବିଜେଡି ଟିକେଟ ଦେବା ଅଧିକାର ସଂପୂର୍ଣ୍ଣ ଭାବରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ହାତରେ ଅଛି । ସେ ଯାହାକୁ ଟିକଟ ଦେବେ ତାଙ୍କୁ ଆମେ ବିଜୟୀ କରେଇକି ଆଣିବୁ । ବ୍ରଜରାଜନଗରର ଉପନିର୍ବାଚନ ଟିକେଟ ପ୍ରସଂଗରେ ସ୍ୱର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ ଲଢ଼ିବାକୁ ଟିକେଟ ପାଇବା ପାଇଁ ମୁଁ ଯୋଗ୍ୟ । ମତେ ଟିକେଟ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ଦୃଢ଼ ବିଶ୍ୱାସ । ବ୍ରଜରାଜନଗର ଲୋକମାନେ ମତେ ଅନୁରୋଧ କରିଛନ୍ତି ଆପଣ ହିଁ ନିର୍ବାଚନ ଲଢ଼ନ୍ତୁ, ନ ହେଲେ ଆମେ ଭାସିଯିବୁ । ୨୦୧୪ ଓ ୨୦୧୯ ନିର୍ବାଚନରେ ମୁଁ ବୁଲି ବୁଲି ସ୍ୱାମୀଙ୍କ ପାଇଁ ପ୍ରଚାର କରିଥିଲି । ଯଦିଓ କେବେ ସିଧାସଳଖ ନିର୍ବାଚନ ଲଢ଼ିନି କିନ୍ତୁ ସ୍ୱାମୀଙ୍କ ପଛରେ ମୁଁ ସବୁବେଳେ ଥିଲି । ରାଜନୀତିରେ ମୋର ଅନୁଭବ ଅଛି । ଟିକେଟ ପାଇଁ କାହାକୁ ଭେଟିନି । ଟିକେଟ ମୋର ନ୍ୟାଯ୍ୟ ଅଧିକାର ।
Discover more from odia.bnslive.in
Subscribe to get the latest posts sent to your email.