ସୈାଭାଗ୍ୟ ଯୋଜନା କେଳେଙ୍କାରୀ, କୋଟିପତିଙ୍କୁ ମାଫ ଗରୀବଙ୍କୁ ଧମକ

Creat A Revolution
           

ଯାଜପୁର / ରସୁଲପୁର -: ବିଦ୍ୟୁତ ବିଭାଗରେ ସୈାଭାଗ୍ୟ ଯୋଜନା କେଳେଙ୍କାରୀର ଚେର ଚାରିଆଡେ ମାଡ଼ିଯାଇଛି । ସୈାଭାଗ୍ୟ ଯୋଜନା କାର୍ଯ୍ୟକାରୀବେଳେ ବିଦ୍ୟୁତ ଖଣ୍ଟ, ତାର, ଟ୍ରାନ୍ସଫର୍ମର, ଅନ୍ୟାନ୍ୟ ସାମଗ୍ରୀ ଓ ଶ୍ରମ ବାବଦରେ ମିଥ୍ୟା ବିଲ୍ କରି ଶହ ଶହ କୋଟି ଟଙ୍କା ଠିକାଦାର ଓ ଯନ୍ତ୍ରୀ ହାତେଇ ନେଇଛନ୍ତି ।

ଏହାପରେ ମଧ୍ୟ ହିତାଧିକାରୀ ଚୟନରେ ବ୍ୟାପକ ଦୁର୍ନୀତି ଏବେ ପଦାକୁ ଆସିଛି । ଧର୍ମଶାଳା ବ୍ଲକ୍‌ରେ ଶତାଧିକ କୋଟିପତି ପରିବାର ଗରିବଙ୍କର ସୈାଭାଗ୍ୟ ଯୋଜନା ହାତେଇଥିବା ବେଳେ ପଡ଼ୋଶୀ ରସୁଲପୁର ବ୍ଲକ୍‌ରେ ଗରିବ ପରିବାରଗୁଡ଼ିକ ବିଦ୍ୟୁତ ସଂଯୋଗ ନପାଇ ହନ୍ତସନ୍ତ ହେଉଛନ୍ତି । ବିଦ୍ୟୁତ ସଂଯୋଗ ନଥାଇ ସେମାନଙ୍କ ନାମରେ ମାସକୁ ମାସ ବିଦ୍ୟୁତ ବିଲ୍ ଆସୁଛି । ପ୍ରକାଶଥାଉକି, ୨୦୧୮ ଡିସେମ୍ବରରେ ରସୁଲପୁର ବ୍ଲକ୍‌ରେ ହୋଇଥିବା ପିଠା କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗ ପକ୍ଷରୁ ଷ୍ଟଲ୍ ଖୋଲାଯାଇ ସୈାଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଁ ଆବେଦନପତ୍ର ପ୍ରତି ପଞ୍ଚାୟତରୁ ଗ୍ରହଣ କରାଗଲା ।

କୁଆଖିଆ ବିଦ୍ୟୁତ ଉପଖଣ୍‌ତ ଅଧୀନରେ ୩ହଜାରରୁ ଅଧିକ ଲୋକ ସୈାଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କରିଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଶୀତାଂଶୁ ଶତପଥୀ କହିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକ ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ ସଂଯୋଗ ପାଇନଥିଲେ ମଧ୍ୟ ବିଲ୍ ଆସୁଛି । ନମୁନାସ୍ୱରୂପ ଅତଲାପୁର ଗ୍ରାମର ରମା ସାହୁ । ସୈାଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଁ ପିଠା କାର୍ଯ୍ୟକ୍ରମରେ ଆବେଦନ କରିଥିଲେ । ଏବେ ପର୍ଯ୍ୟନ୍ତ ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇନାହିଁ । କିନ୍ତୁ ତାଙ୍କ ମୋବାଇଲ୍‌କୁ ବକେୟା ବିଲ୍ ଭରିବା ପାଇଁ ମେସେଜ୍ ଆସୁଛି । ସେହିପରି ଏହି ଗ୍ରାମର ମାନସ ସାହୁ ମଧ୍ୟ ସୈାଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କରିଥିଲେ ।

ମାନସଙ୍କୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ମିଳିନଥିବା ବେଳେ ତାଙ୍କ ନାମରେ ମଧ୍ୟ ବକେୟା ବିଲ୍ ଭରିବା ପାଇଁ ମେସେଜ ଆସୁଛି । ମାନସଙ୍କର ଖାଉଟି ନମ୍ବର ୬୧୫୧୨୧୦୧୧୧୫୧ ହୋଇଥିବା ବେଳେ ଗତ ମାର୍ଚ୍ଚ ମାସ ସୁଦ୍ଧା ତାଙ୍କ ଉପରେ ୮,୪୦୩ଟଙ୍କାର ବକେୟା ଥିବା ମେସେଜ ଆସିଛି । ଏହି ଗ୍ରାମର ବୀରେନ୍ଦ୍ର ମହାରଣା ପିଠା କାର୍ଯ୍ୟକ୍ରମ(୨୦୧୮ ଡିସେମ୍ବର)ରେ ସୈାଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କଲେ । ତାଙ୍କୁ ବିଦ୍ୟୁତ ସଂଯୋଗ ତା୯/୧୦/୨୦୨୦ରେ ଦିଆଗଲା । କିନ୍ତୁ ପ୍ରଥମ ମାସ ପରେ ତାଙ୍କ ନାମରେ ବିଲ୍ ଆସିଲା ୪,୫୦୦ଟଙ୍କା । ଆଜି ପର୍ଯ୍ୟନ୍ତ ସେହି ଟଙ୍କା ବକେୟା ଆକାରରେ ବୀରେନ୍ଦ୍ରଙ୍କ ବିଲ୍‌ରେ ଆସୁଛି ।

ବୀରେନ୍ଦ୍ରଙ୍କର ପଡୋଶୀ ମୋହନ ସାହୁ ସୈାଭାଗ୍ୟ ଯୋଜନା ପାଇଁ ଆବେଦନ କରିବାର ୭ମାସ ପରେ ତାଙ୍କୁ ବିଦ୍ୟୁତ ସଂଯୋଗ ମିଳିଲା । ବ୍ୟବହାର କରିନଥିବା ସମୟର ବିଲ୍ ଆସିଲା ୧,୮୦୦ଟଙ୍କା । ଏହି ବିଦ୍ୟୁତ ଗ୍ରାହକ ମାନଙ୍କ ଠାରୁ ବକେୟା ଆଦାୟ କରିବାକୁ ମାର୍ଚ ମାସରେ ବିଦ୍ୟୁତ ବିଭାଗ ପକ୍ଷରୁ ଅନେକ ଚାପ ସୃଷ୍ଟି କରାଯାଇବା ସେମାନେ ଅଭିଯୋଗ କରିଛନ୍ତି । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାର ଧମକ ମଧ୍ୟ ଦିଆଯାଇଛି । ଏହିଭଳି ଭାବେ ଶହ ଶହ ସୈାଭାଗ୍ୟ ଯୋଜନା ଅଧିକାରୀଙ୍କୁ ମିଥ୍ୟା ବିଲ୍ ପଠାଇ ଶୁଳ୍କ ଆଦାୟ ଲକ୍ଷ୍ୟ ଭରଣା କରିବାକୁ ଅସାଧୁମେଣ୍ଟ ଲଗାପଡ଼ିଥିବା ବେଳେ ଧର୍ମଶାଳାରେ କୋଟିପତି ଶିଳ୍ପପତି,ଟ୍ରକ ମାଲିକ, ଶିକ୍ଷକ, ଠିକାଦାରଙ୍କ ସୋରୁମ, ଭଡା ଘରକୁ ସୈାଭାଗ୍ୟ ଯୋଜନାରେ ସାମିଲ କରାଯବା ନେଇ ଲୋକାୟୁକ୍ତରେ ମାମଲା ରୁଜୁ ହୋଇଛି । କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ କଲେ ବହୁ କୋଟି ଟଙ୍କାର ଦୁର୍ନୀତି ପଦାକୁ ଆସିବ ବୋଲି ଲୋକାୟୁକ୍ତରେ ମାମଲା କରିଥିବା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଦାବି କରିଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading