ଧୁର୍ତ୍ତ ମହିଳାଙ୍କ କାରନାମା, ସେୟାର ମାର୍କେଟ ନାଁରେ ଚଳୁ କରିଦେଲେ ୭କୋଟି

Creat A Revolution
           

ଭୁବନେଶ୍ବର -: ସେୟାର୍ ମାର୍କେଟ୍‌ରେ ଟଙ୍କା ବିନିଯୋଗ କରି ଅଧିକ ସୁଧ ଦେବାର ଲୋଭ ଦେଖାଇ ୭କୋଟି ଟଙ୍କା ଠକେଇ କରିଥିବା ଜଣେ ଧୂର୍ତ୍ତ ମହିଳାଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ଅଭିଯୁକ୍ତା ହେଲେ ପର୍ପଲ୍ କ୍ବାଲ୍‌ଭ୍ସ ଫାଇନାନ୍ସିଆଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶିକା ପଲ୍ଲବୀ ମିଶ୍ର। ଢେଙ୍କାନାଳ ଜିଲ୍ଲାରେ ୪୩ଜଣଙ୍କଠାରୁ ପଲ୍ଲବୀ ୭ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଏହି ଠକେଇରେ ସାମିଲ୍‌ ଥିବା ପଲ୍ଲବୀଙ୍କ ସ୍ବାମୀ ସତ୍ୟରଂଜନ ପୂର୍ବରୁ ଗିରଫ ହୋଇଛନ୍ତି ଓ ଏବେ ସେ ଜେଲ୍‌ରେ ଅଛନ୍ତି। ଏନେଇ ଢେଙ୍କାନାଳର କମଳାକାନ୍ତ ସାହୁ ପ୍ରଥମେ ଢେଙ୍କାନାଳ ଟାଉନ୍ ଥାନା ଓ ପରେ ଭୁବନେଶ୍ବରସ୍ଥିତ କ୍ରାଇମବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ପଲ୍ଲବୀ ଓ ତାଙ୍କ ସ୍ବାମୀ ସତ୍ୟରଂଜନ ସେୟାର ମାର୍କେଟ୍‌ରେ ପୁଞ୍ଜି ନିବେଶକ ଭାବେ ପର୍ପଲ କ୍ବାଲ୍‌ଭ୍ସ ନାଁରେ ଏକ ସଂସ୍ଥା ଖୋଲିଥିଲେ। ଢେଙ୍କାନାଳ ଜିଲ୍ଲାରେ ନିଜ ସଂସ୍ଥାର ପ୍ରଚାର ପ୍ରସାର କରାଇଥିଲେ। ତାଙ୍କ ସଂସ୍ଥା ଜରିଆରେ ଟଙ୍କା ଲଗାଇଲେ ଅଧିକ ସୁଧ ମିଳିବ ବୋଲି କହିଥିଲେ।

ସେହିଭଳି ସେମାନେ ଭୁବନେଶ୍ବର ପଟିଆ ଡିଏଲ୍‌ଏଫ୍ ଟାଵାର୍‌ରେ ଏକ କାର୍ଯ୍ୟାଳୟ ମଧ୍ୟ ଖୋଲିଥିଲେ। ଫଳରେ ଲୋକଙ୍କ ବିଶ୍ବାସ ବଢ଼ିଥିଲା। ଅଧିକରୁ ଅଧିକ ଲୋକଙ୍କୁ ଆକର୍ଷିତ କରିବା ପାଇଁ ପ୍ରାଥମିକ ସ୍ଥିତିରେ କିଛି ଲୋକଙ୍କୁ କିଛି କିଛି ଟଙ୍କା ଫେରସ୍ତ କରାଯାଇଥିଲା। କିନ୍ତୁ ପରେ ଧୂର୍ତ୍ତ ଦମ୍ପତି ସେମାନଙ୍କ ଅସଲ ଚେହେରା ଦେଖାଇଥିଲେ। ଲୋକଙ୍କୁ ଧରାଛୁଆଁ ଦେଇନଥିଲେ। ତେବେ ଥାନାରେ ଅଭିଯୋଗ ପରେ କିଛି ଲୋକଙ୍କୁ ନକଲି ଦସ୍ତଖତ ଥିବା ଚେକ୍ ଦେଇଥିଲେ। ମାତ୍ର ସେବସୁ ବ୍ୟାଙ୍କ୍‌ରେ ବାଉନ୍‌ସ ହୋଇଯାଇଥିଲା। ଏହା ପରେ ଧୂର୍ତ୍ତ ଦମ୍ପତି ଗାଏବ୍‌ ହୋଇଯାଇଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ପର୍ପଲ କ୍ବାଲ୍‌ଭ୍ସ ସଂସ୍ଥାଟି ଆର୍‌ବିଆଇ କିମ୍ବା ସେବିରେ ପଞ୍ଜୀକୃତ ହୋଇନାହିଁ। ତେଣୁ ସେୟାର ମାର୍କେଟରେ ଟଙ୍କା ବିନିଯୋଗ ନାଁରେ ଲୋକଙ୍କୁ ସେମାନେ ଠକିଥିବା ଇଓଡବ୍ଲୁ ସ୍ପଷ୍ଟ କରିଛି। ପର୍ପଲ କ୍ବାଲ୍‌ଭ୍ସ କାର୍ଯ୍ୟାଳୟରୁ ୨୩ଟି ଚୁକ୍ତିପତ୍ର ଓ ଧୂର୍ତ୍ତ ଦମ୍ପତିଙ୍କ ଜାଲ୍ ଦସ୍ତଖତ ଜବତ କରାଯାଇଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading