ମଦ୍ୟପାନରେ ସର୍ବଶ୍ରେଷ୍ଠ ଓଡ଼ିଶା: ଜାତୀୟସ୍ତରରେ ୧୮%, ଓଡ଼ିଶାରେ ୨୯%

Creat A Revolution
           

ଭୁବନେଶ୍ବର -: ଓଡ଼ିଶାର ଲୋକମାନେ ଅଧିକ ମାତ୍ରାରେ ମଦ ପିଉଛନ୍ତି। ଏପରିକି ମଦ୍ୟପାନରେ ବଡ଼ ରାଜ୍ୟମାନଙ୍କୁ ଓଡ଼ିଶା ପଛରେ ପକାଇ ଦେଇଛି। ଜାତୀୟ ସ୍ତରରେ ୧୮ ପ୍ରତିଶତ ପୁରୁଷ(୧୫ବର୍ଷରୁ ଅଧିକ) ମଦ୍ୟପାନ କରୁଥିବା ବେଳେ ଓଡ଼ିଶାରେ ୨୮.୮ ପ୍ରତିଶତ ପୁରୁଷ ମଦ ପିଉଛନ୍ତି। କେବଳ ପୁରୁଷ ନୁହନ୍ତି, ଓଡ଼ିଶାର ମହିଳାମାନେ ମଧ୍ୟ ଏଥିରେ ପଛରେ ନାହାନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍‌ଏଫ୍‌ଏଚ୍‌ଏସ୍‌)-୫ ଦ୍ବିତୀୟ ପର୍ଯ୍ୟାୟରେ ଏଭଳି ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି। ଏନ୍ଏଫ୍‌ଏଚ୍‌ଏସ୍‌-୫ ପାଇଁ ୬,୩୬,୬୯୯ ପରିବାରକୁ ସାମିଲ କରାଯାଇଥିବା ବେଳେ ଓଡ଼ିଶାରେ ୨୬,୪୭୬ ପରିବାର ଏଥିରେ ସାମିଲ ହୋଇଥିଲେ।

ମଦ୍ୟପାନ କ୍ଷେତ୍ରରେ ୧୫ବର୍ଷରୁ ଅଧିକ ବୟସ୍କର ଲୋକଙ୍କଠାରୁ ଘର ଘର ବୁଲି ତଥ୍ୟ ସଂଗ୍ରହ କରାଯାଇଥିଲା। ଅରୁଣାଚଳ ପ୍ରଦେଶ ୫୨.୭, ଝାଡ଼ଖଣ୍ଡରେ ୩୫, ଛତିଶଗଡ଼ ୩୪.୮, ତାମିଲନାଡ଼ୁ ୨୫.୪, ଉତ୍ତରଖଣ୍ଡ ୨୫.୫, ପଞ୍ଜାବ ୨୨.୮, ମଧ୍ୟପ୍ରଦେଶ ୧୭.୧, ଉତ୍ତର ପ୍ରଦେଶ ୧୪.୬ ଓ ହରିଆଣା ୧୬.୧ ପ୍ରତିଶତ ଲୋକ ମଦ୍ୟପାନ କରୁଛନ୍ତି। ସେହିପରି ଜାତୀୟସ୍ତରରେ ୧.୬ ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ବେଳେ ଓଡ଼ିଶାରେ ଏହା ୪.୩ ପ୍ରତିଶତ ରହିଛି। ଓଡ଼ିଶାରେ ଉଭୟ ପୁରୁଷ ଓ ମହିଳା ମଦ୍ୟପାନରେ ଜାତୀୟ ହାରକୁ ପଛରେ ପକାଇ ଦେଇଥିବା ସର୍ଭେରୁ ଜଣାପଡ଼ିଛି। ରାଜ୍ୟରେ ସହରାଞ୍ଚଳରେ ୨୨.୭ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୩୦.୨ ପ୍ରତିଶତ ପୁରୁଷ ମଦ୍ୟପାନ କରୁଛନ୍ତି।

ତେବେ ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ଏ ସଂପର୍କିତ କୌଣସି ତଥ୍ୟ ଉପଲବ୍ଧ ନ ଥିବାରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଓଡ଼ିଶାରେ ଏହି ସ୍ଥିତିରେ କେଉଁ ପ୍ରକାର ପରିବର୍ତନ ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ କହିଛନ୍ତି ଯେ ରାଜ୍ୟରେ ମଦ୍ୟପାନ ପାଇଁ ସରକାରୀ ପ୍ରୋତ୍ସାହନ ରହିଛି। ଲୋକମାନେ ଟଙ୍କା ଓ ମଦ ନେଇ ଭୋଟ ଦେଉଛନ୍ତି। ସମାଜର ତୃଣମୂଳସ୍ତରରେ ମଦର ବ୍ୟାପକ ପ୍ରସାର ହୋଇଛି। ତେଣୁ ନିଶାରୁ ଲୋକଙ୍କୁ ହଟାଇବା ଏତେ ସହଜ ନୁହେଁ। ଏଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ସହିତ ସାଧାରଣ ଲୋକମାନେ ମଧ୍ୟ ଏହାର ବିରୋଧ ପାଇଁ ଆଗେଇ ଆସିବା ଦରକାର। ତାହାଲେ ଯାଇ ରାଜ୍ୟରୁ ନିଶାର ପ୍ରଚାର ପ୍ରସାରକୁ ରୋକାଯାଇ ପାରିବ ବୋଲି ଶ୍ରୀ ନାୟକ କହିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading