ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ,ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ନନ୍ଦ’

Creat A Revolution
           

ବାରଙ୍ଗ -: ଚନ୍ଦକା ଅଭୟାରଣ୍ୟ ଗୋଡ଼ିବାରିଠାରେ ପୋଷା ଦନ୍ତା ହାତୀ ‘ନନ୍ଦ’ର ମୃତ୍ୟୁ ଘଟିଛି।, ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ସୂଚନାଯୋଗ୍ୟ, ଶନିବାର ଟଳିପଡ଼ିଥିଲା ପୋଷା ଦନ୍ତା ହାତୀ ‘ନନ୍ଦ’। ଛାଟି ପିଟି ହୋଇ ଉଠିବାକୁ ଚେଷ୍ଟା କଲା। ମାଟିରେ ଗଡ଼ିଲା। ଏପାଖସେପାଖ ହେଲା। ମାତ୍ର ଉଠିବାକୁ ଶକ୍ତି ପାଇଲା ନାହିଁ। ବନ କର୍ମଚାରୀମାନେ ମଧ୍ୟ ପ୍ରାଣମୂର୍ଚ୍ଛା ଉଦ୍ୟମ କଲେ। କିଏ ପଛରୁ ଠେଲିଲେ ତ ଆଉ କିଏ ଧକ୍କା ମାରିଲେ। ଶନିବାର ଦିନତମାମ ପ୍ରୟାସ କରି କର୍ମଚାରୀମାନେ ନୟାନ୍ତ ହେଲେ। ମାତ୍ର କିଛି ସୁଫଳ ମିଳିନଥିଲା। ପରିସ୍ଥିତି ବିଗିଡ଼ିବାରୁ ବନ ବିଭାଗ ପକ୍ଷରୁ ‘ନନ୍ଦ’ର ଚିକିତ୍ସା ପାଇଁ ଚିକିତ୍ସକଙ୍କ ସହାୟତା ଲୋଡ଼ାଯାଇଥିଲା।

ରବିବାର ସକାଳୁ ଓୟୁଏଟି ପ୍ରାଣୀ ବିଭାଗ ବିଶେଷଜ୍ଞ ଚନ୍ଦକାକୁ ଯାଇ ‘ନନ୍ଦ’ର ସ୍ୱାସ୍ଥ୍ୟ ନିରୀକ୍ଷଣ କରି ଚିକିତ୍ସା କରିଥିଲେ। ସେମାନେ ‘ନନ୍ଦ’କୁ ସାଲାଇନ୍ ଓ ପ୍ରତିଷେଧକ ଟୀକା ଦେଇ ଚିକିତ୍ସା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଓୟୁଏଟି ଔଷଧ ବିଭାଗ ମୁଖ୍ୟ ପ୍ରଫେସର୍ ତଥା କେନ୍ଦ୍ରୀୟ ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସା ବିଭାଗର ସଂଯୋଜକ ପ୍ରଫେସର୍ ନିରଞ୍ଜନ ସାହୁ, ଅସ୍ଥି ଓ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର୍ ଇନ୍ଦ୍ରମଣି ନାଥ, ନନ୍ଦନକାନନ ପ୍ରାଣୀ ବିଶେଷଜ୍ଞ ସନ୍ତୋଷ ଗୁପ୍ତା ଆଜି ପୂର୍ବାହ୍ନରେ ‘ନନ୍ଦ’ ପାଖରେ ପହଞ୍ଚି ଚିକିତ୍ସା କରିଥିଲେ। ପ୍ରାୟ ତିନି ଘଣ୍ଟା ଧରି ଚିକିତ୍ସା କରାଯିବା ପରେ ବି ‘ନନ୍ଦ’ ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ନ ଆସିବାରୁ ଚିନ୍ତା ବଢିଯାଇଥିଲା।


ଉଲ୍ଲେଖଯୋଗ୍ୟ,‘ନନ୍ଦ’ ଏକ କୁମକି ତାଲିମପ୍ରାପ୍ତ ହାତୀ। ଜଙ୍ଗଲ ସୁରକ୍ଷାରେ ନିୟୋଜିତ ହୋଇଥାଏ। ୧୯୮୭ ମେ’ ୧୪ରେ ନନ୍ଦନକାନନର ମାଈ ହାତୀ ‘ବାସନ୍ତୀ’ ଗର୍ଭରୁ ଜନ୍ମଲାଭ କରିଥିବା ଏକମାତ୍ର ହାତୀ। ସେ ନନ୍ଦନକାନନରେ ହିଁ ବଢ଼ିଥିଲା। କାଳକ୍ରମେ ମସ୍ତ ହୋଇ ଉତ୍ପାତ କରି ଚର୍ଚ୍ଚାକୁ ଆସିଥିଲା। ୧୦ ବର୍ଷ ବୟସର ହୋଇଥିବା ବେଳେ ୧୯୯୭ ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହକୁ କଚାଡ଼ି ମାରିଥିଲା। ସେହି ଦିନଠାରୁ ତା’ଗୋଡରେ ଶିକୁଳି ପକାଯାଇ ହାତୀଶାଳରେ ବନ୍ଦୀ କରି ରଖାଯାଇଥିଲା। ଏହାପରେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ୨୦୧୦ ସେପ୍ଟେମ୍ବର ୧୩ରେ ‘ନନ୍ଦ’ର ମାନସିକ ଅବସ୍ଥା ଅନୁଧ୍ୟାନ କରି ତାକୁ ଶିକୁଳିରୁ ମୁକ୍ତ କରାଯାଇ ନନ୍ଦନକାନନ ପରିସରରେ ପରିକ୍ରମା କରାଯାଇଥିଲା। ପର ଦିନ ଅର୍ଥାତ୍ ସେପ୍ଟେମ୍ବର ୧୪ରେ ଚନ୍ଦକାର କୁମାରଖୁଣ୍ଟିକୁ ନେବା ଲାଗି ପ୍ରୟାସ କରିବାରୁ ସେ ନନ୍ଦନକାନନ ପଛ ପାଖ ୯ ନମ୍ବର ଫାଟକ ଡେଇଁବାକୁ ଅମଙ୍ଗ ହୋଇଥିଲା।

ଶେଷରେ ୨୦୧୦ ଅକ୍ଟୋବର ୨୫ରେ ତାକୁ ନିଶ୍ଚେତକ ଦେଇ ଅଚେତ ଅବସ୍ଥାରେ ଦଶ ଚକିଆ ଟ୍ରକ୍ରେ ଲଦି କୁମାରଖୁଣ୍ଟିକୁ ନିଆଯିବା ସହ ସେଠାରେ କୁମକି ପ୍ରଶିକ୍ଷଣ ଦିଆଯାଇଥିଲା। ୨୦୧୪ ଜାନୁଆରି ପହିଲାରେ ନନ୍ଦନକାନନକୁ ଅନୁପ୍ରବେଶ କରିଥିବା ଜଙ୍ଗଲି ମାକନା ହାତୀକୁ ଧରିବା ପାଇଁ ‘ନନ୍ଦ’ର ସହାୟତା ନିଆଯାଇଥିଲା। ସେହି ମାସ ୩ ତାରିଖରେ ନନ୍ଦ ନନ୍ଦନକାନନର ବୟସ୍କା ମାଈ ହାତୀ ‘ପ୍ରେମା’ ଓ ‘ବାସନ୍ତୀ’ ସହ ମିଶି ମାକନାକୁ ଧରାଇବାରେ ସହାୟକ ହୋଇଥିଲା। ସେହି ମାସ ୧୦ ତାରିଖରେ ମସ୍ତ ହେବା ସହ ନନ୍ଦନକାନନ ଛାଡ଼ିବାକୁ ନାରାଜ ହେବାରୁ ତାକୁ ବହୁ କଷ୍ଟରେ ଚନ୍ଦକାକୁ ନିଆଯାଇଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading