ଚାକୀରି ଦେବା ବାହାନାରେ ବାହାରକୁ ଝିଅ ଚାଲାଣ, ୨୨ବର୍ଷିୟ ସୁନ୍ଦରୀ ଝିଅଙ୍କୁ ର୍ଟାେଗଟ୍ କରୁଛନ୍ତି ଦଲାଲ

Creat A Revolution
           

ସୁନ୍ଦରଗଡ଼ -: ସୁନ୍ଦରଗଡ଼ ଜିଲ୍ଲାରେ ବିବାହ ପାଇଁ ଝିଅ ବିକ୍ରି ! ଚାକିରି ଦେବା ବାହାନାରେ ବାହାର ରାଜ୍ୟକୁ ଚାଲାଣ କରିବାପରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଛି। ଏହି ଜାଲରେ ସହଜରେ ଫସିଯାଉଛନ୍ତି ଗରିବ ଓ ଅଭାବୀ ଘରର ଝିଅମାନେ। ବିକ୍ରି ହୋଇଥିବା ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶରୁ ଉଦ୍ଧାର ପରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍‌ନାକୁ ଆସିଛି। ସୂଚନା ଅନୁସାରେ, ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଜଣେ ୨୨ ବର୍ଷୀୟା ଯୁବତୀଙ୍କ ବିବାହ ପାଖ ଗାଁରେ ସ୍ଥିର ହୋଇଥିଲା।

ଆଉ କିଛିମାସ ପରେ ସେ ଶାଶୂ ଘର ଯାଇଥା’ନ୍ତେ। ହେଲେ ଗରିବ ବାପା ବିବାହ ଖର୍ଚ୍ଚ ତୁଲାଇବାକୁ ଅକ୍ଷମ ଥିବାରୁ ଗତ ମାର୍ଚ୍ଚ ଶେଷ ସପ୍ତାହରେ ବାହାର ରାଜ୍ୟକୁ ପାଦ କାଢ଼ିଥିଲେ ଝିଅ। ଆଶା ଥିଲା ଭଲ ରୋଜଗାର କରି ବିବାହରେ ବାପାଙ୍କ ବୋଝକୁ ହାଲୁକା କରିବ। ରୋଜଗାର ପାଇଁ ସେ ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଯାଇଥିବାରୁ ବାପା ବି ତାଙ୍କୁ ମନା କରି ନଥିଲେ। ଘଟଣାକ୍ରମେ, ସେ ଲୁହୁରାଢିପାର ଜଣେ ଯୁବତୀକୁ ନିଜ ସମସ୍ୟା କହିଥିଲେ। ଉକ୍ତ ଯୁବତୀ ତାଙ୍କୁ ଭଲ ରୋଜଗାର ସ୍ଥାନକୁ ନେଇଯିବାର ବିଶ୍ବାସ ଦେଇ ଝାରସୁଗୁଡ଼ା ନେଇ ଯାଇଥିଲା। ସେଠାରେ ଅପେକ୍ଷା କରିଥିଲେ ୩ ଦଲାଲ। ସେମାନଙ୍କ ହାତରେ ତାଙ୍କୁ ଦେଇ ଫେରିଆସିଥିଲା ଯୁବତୀ।

ଦଲାଲମାନେ ଯୁବତୀକୁ ଭଲ କାମ ଓ ଅଧିକ ରୋଜଗାରର ଲୋଭ ଦେଖାଇ ମଧ୍ୟପ୍ରଦେଶ ‌ନେଇ ଯାଇଥିଲେ। ଗଲାବେଳେ ତାଙ୍କୁ ଅଗ୍ରିମ ୫୦ ହଜାର ଟଙ୍କା ଦେଇଥିଲେ। କେବେ ଏତେ ଟଙ୍କା ଛୁଇଁ ନଥିବାରୁ ସେ ଚମକି ପଡ଼ିଥିଲେ, ସନ୍ଦେହ ବି କରିଥିଲେ। କିନ୍ତୁ ଆଗକୁ ବିବାହ ଥିବାରୁ ସେମାନଙ୍କ ସହ ଯିବାକୁ ରାଜି ହୋଇଗଲେ।ମଧ୍ୟପ୍ରଦେଶ‌ରେ ପହଞ୍ଚିବାର ଦିନକ ପରେ ସେ ଠକି ଯାଇଥିବା ଜାଣିଲେ। ତାଙ୍କୁ ଜଣେ ଲୋକ ବିବାହ କରିବାକୁ କିଣି ନେଇଥିବା ଓ ସେଥିପାଇଁ ଦୁଇ ଦଲାଲଙ୍କୁ ଅଢ଼େଇଲକ୍ଷ ଟଙ୍କା ଦେଇଥିବା ଜାଣି କାନ୍ଦିଥିଲେ। ଗାଁରେ ତାଙ୍କୁ ବିବାହ କରିବାକୁ ଅନ୍ୟ ଜଣେ ଅପେକ୍ଷା କରିଛି କହି ଛାଡ଼ି ଦେବାକୁ ବହୁ ନେହୁରା ହୋଇଥିଲେ। କିନ୍ତୁ ବର କିମ୍ବା‌ ତା’ ପରିବାର ଲୋକେ କିଛି ଶୁଣି ନଥିଲେ। ଧମକଚମକ ଦେଇ ବିବାହ କରି ଦେଇଥିଲେ। ଦଲାଲମାନେ ଟଙ୍କାନେଇ ଚାଲି ଆସିଥିଲେ।

ପରେ ତାଙ୍କୁ ନଜରବନ୍ଦୀ କରି ଘରେ ରଖାଯାଇଥିଲା। କିନ୍ତୁ ସୁଯୋଗ ଦେଖି ଝିଅ ବାପାଙ୍କୁ ଫୋନ୍‌ କରି ସବୁ କଥା କହି ତୁରନ୍ତ ତାଙ୍କୁ ନେଇ ଯିବାକୁ କହିଥିଲେ। ଝିଅର ଦୁର୍ଦ୍ଦଶାରେ ବିଚଳିତ ବାପା ତୁରନ୍ତ ସଦର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ଫୋନ୍‌ ଟ୍ରାକିଂ କରି ମଧ୍ୟପ୍ରଦେଶରେ ଥିବା ବରଘର ପତ୍ତା ପାଇଥିଲା। ପରେ ସେଠାକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରିଛି। ଅପରପକ୍ଷେ, ଝିଅ ଉଦ୍ଧାର ହୋଇ ଘରକୁ ଫେରି ଆସିଲେ ସତ, କିନ୍ତୁ ଗାଁ ପୁଅଟି ତାଙ୍କୁ ଆଉ ବିବାହ କରିବ କି ନା କିଏ ଜାଣେ, ସେ ଚିନ୍ତାରେ ଏବେ ବାପଝିଅ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading