ଅନାଥ ପିଲାଙ୍କୁ ଭତ୍ତା ପାଇଁ ପଦଯାତ୍ରା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲେଖିସାରିଲେଣି ଚିଠି

Creat A Revolution
           

ପୁରୀ -: ଥିଲାବାଲାଙ୍କ ପାଇଁ ସବୁ ଯୋଜନା ଅଛି। କିନ୍ତୁ ଅନାଥଙ୍କ ପାଇଁ କିଛି ନାହିଁ। ତେଣୁ ଅନାଥ ପିଲାଙ୍କୁ ହକ୍‌ ଦେବା ଉଦ୍ଦେଶ୍ୟରେ ପୁରୀରୁ ଭୁବନେଶ୍ବର ପଦଯାତ୍ରା କରିଛନ୍ତି ସୁନ୍ଦରଗଡ଼ ଡାଙ୍ଗରପାଲି ବ୍ଲକ୍‌ କୁଢ଼ାଢ଼ି ଗ୍ରାମର ସମୀର ପଟେଲ୍‌। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ସେ ହାତରେ ଜାତୀୟ ପତାକା ଓ ବେକରେ ‘ଅନାଥ ଭତ୍ତା’ ର ବୋର୍ଡ ଝୁଲାଇ ଚାଲିଚାଲି ଯାତ୍ରା କରିଛନ୍ତି। କାନ୍ଧରେ ପାଖାପାଖି ୫ କେଜି ଓଜନର କାଗଜପତ୍ର ଓ ବେକରେ ଦାବିପତ୍ର ଝୁଲାଇ ଏହି ପ୍ରଖର ଖରାରେ ଯାତ୍ରା କରିଛନ୍ତି।

୨୦୧୬ରୁ ଅନାଥ ଶିଶୁଙ୍କୁ ଭତ୍ତା ଦେବା ଦାବିରେ ସେ ସ୍ବର ଉତ୍ତୋଳନ କରି ଆସୁଥିବା ବେଳେ ଆଜି ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମ୍ମୁଖରୁ ନବୀନ ନିବାସ ଓ ରାଜଭବନ ଅଭିମୁଖେ ଯାଇଛନ୍ତି। ପ୍ରତି ବ୍ଲକ୍‌ରେ ହାରାହାରି ୬ଶହ ଶିଶୁ ଅନାଥ ଜୀବନ କାଟୁଥିଲେ ହେଁ ଅର୍ଥ ଅଭାବରୁ ସେମାନଙ୍କ ଭବିଷ୍ୟତ ବିଗିଡ଼ି ଯାଉଛି। ‌ତେଣୁ ଦୁଃସହ ଜୀବନ ବଞ୍ଚୁଥିବା ଏହି ପିଲାମାନଙ୍କର ହକ୍‌ ପାଇଁ ସେ ନିଜେ କଷ୍ଟ ସ୍ବୀକାର କରି ପୁରୀରୁ ଭୁବନେଶ୍ବର ପର୍ଯ୍ୟନ୍ତ ଚାଲିଚାଲି ଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ପୂର୍ବରୁ ସେ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ଚିଠିକୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଛି।

ମାତ୍ର ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଯେପର୍ଯ୍ୟନ୍ତ ଏ ସଂକ୍ରାନ୍ତ‌ରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେଇନାହାନ୍ତି ସେପର୍ଯ୍ୟନ୍ତ ସେ ଏହି ଦାବି ପୂରଣ ଲାଗି ଭିନ୍ନଭିନ୍ନ ବାଟରେ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି। ସମୀରଙ୍କ କହିବା ମୁତାବକ, ୨୦୧୮ ମସିହାରେ ଦେଶରେ ୩୪୯୧ ଜଣ ଶିଶୁ ନିଖୋଜ ହୋଇଯାଇଥିବା ବ‌େଳେ ମାତ୍ର ୩୧.୭ ପ୍ରତିଶତ ପିଲାଙ୍କୁ ଠାବ କିମ୍ବା ଉଦ୍ଧାର କରାଯାଇପାରିଛି। ସେହିଭଳି ୨୦୧୯ ମସିହାରେ ୫୫୦୩ ଜଣ ଶିଶୁ ନିଖୋଜ ହୋଇଯାଇଥିବା ବେ‌ଳେ ସେମାନଙ୍କ ମଧ୍ୟରୁ ୨୭.୧୪ ପ୍ରତିଶତ ଶିଶୁ ଉଦ୍ଧାର କିମ୍ବା ଠାବ ହୋଇଛନ୍ତି। ରାଜ୍ୟ ସରକାର ପରୀ ରଥ, ମୋ ସାଥୀ ଆପ୍‌, ଅପରେସନ୍‌ ମୁସ୍କାନ ଭଳି ବହୁ ଅଭିଯାନ କରିଛନ୍ତି। କିନ୍ତୁ ଅଧିକାଂଶ କୋମଳମତି ଶିଶୁ ନିଖୋଜ ପରେ ଆଉ ମିଳିନାହାନ୍ତି।

ସେହିପରି ଗତ ୨୦୨୦ ମସିହା ଏପ୍ରିଲ୍‌ ପହିଲାରୁ ୨୦୨୧ ଜୁଲାଇ ୩୦ ତାରିଖ ମଧ୍ୟ‌ରେ ରାଜ୍ୟରେ ମୋଟ୍‌ ୯୧୨୮ ଜଣ ଶିଶୁ ଅନାଥ ହୋଇଯାଇଛନ୍ତି। ଏହା ପୂର୍ବରୁ ଓ ପରେ ମଧ୍ୟ ବହୁ ପିଲା ଅନାଥ ହୋଇଛନ୍ତି। ଯଦିଓ କରୋନା ସମୟରେ ଅନାଥ ହୋଇଥିବାରୁ ସେମାନଙ୍କ ପାଇଁ ୧୮ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ରାଶିର ବନ୍ଦୋବସ୍ତ ଅଛି କିନ୍ତୁ ଅନ୍ୟ ଅନାଥ ପିଲାମାନେ ଏଥିରୁ ବଞ୍ଚିତ ଅଛନ୍ତି। ତେଣୁ ସମସ୍ତ ପିଲାମାନଙ୍କୁ ସମାନ ଅଧିକାର ମିଳୁ ବୋଲି ସେ ଦାବି କରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading