ମିଳି ମିଶି ମାରିଦେବାକୁ ଷଡ଼୍‌ଯନ୍ତ୍ର, ଅଧିକାରୀ ପୋତୁଛନ୍ତି, ମାଫିଆ ବିକୁଛନ୍ତି

Creat A Revolution
           

ଭୁବନେଶ୍ୱର : ଆଉ କିଛି ବର୍ଷ ପରେ ଭୁବନେଶ୍ବର ମାନଚିତ୍ର‌ରେ ଦୟାୱେଷ୍ଟ କେନାଲର ଚିହ୍ନବର୍ଣ୍ଣ ମିଳିବନି। ଜମି ମାଫିଆଙ୍କଠାରୁ ଆରମ୍ଭ କରି କୁଜି ନେତା, କେନାଲ କଡ଼ରେ ଘର କରିଥିବା ସ୍ଥାନୀୟ ଲୋକ ଓ ସରକାରୀ ଅଧିକାରୀମାନେ ଏହି କେନାଲକୁ ମାରିଦେବା ପାଇଁ ସତେଯେମିତି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ଭୁବନେଶ୍ବର ଦେଇ ପାଖାପାଖି ୧୪ କିଲୋମିଟର ବହି ଯାଇଥିବା ଏହି କେନାଲର ବର୍ତ୍ତମାନର ସ୍ଥିତି ଦେଖିଲେ ଏଭଳି ଆଶଙ୍କା ସୃଷ୍ଟି ହେବା ସ୍ବାଭାବିକ। ରାସ୍ତା ଚଉଡ଼ା କରିବା ଆଳରେ ଖୋଦ୍‌ ସରକାରୀ ଅଧିକାରୀମାନେ କେନାଲକୁ ଦୁଇ କଡ଼ରୁ ପୋତି ଦେଉଥିବା ବେଳେ ଜମି ମାଫିଆମାନେ କେନାଲ ଜମିକୁ ଖଣ୍ଡଖଣ୍ଡ କରି ବିକ୍ରି କରୁଛନ୍ତି। ଶ୍ରମିକ ଶ୍ରେଣୀର ଲୋକଙ୍କୁ ସେଠାରେ ରଖି କୁଜିନେତା ଘରଭଡ଼ା ଆଦାୟ କରୁଛନ୍ତି। ଦିନ ଆଲୁଅରେ ଖୋଲାଖୋଲି କେନାଲକୁ ଏମିତି ମାରି ଦିଆଯାଉଥିଲେ ହେଁ ଜଳସମ୍ପଦ ବିଭାଗ ଓ ବିଏମ୍‌ସି ଅଧିକାରୀଙ୍କୁ ଯେମିତି କିଛି ଦିଶୁନି।

ସରକାରୀ ଅଧକାରୀଙ୍କ ଏପରି ଉଦାସୀନତା ପାଇଁ ଦିନେ ଚଳଚଞ୍ଚଳ ଥିବା ୫୦ଫୁଟିଆ ଏହି କେନାଲ୍‌ ଏବେ ୧୫ଫୁଟ୍‌ ମଧ୍ୟରେ ସୀମିତ ହୋଇଗଲାଣି। ଏମିତି ସ୍ଥିତି ଜାରି ରହିଲେ, ହୁଏ ଆଉ କିଛି ବର୍ଷ ମଧ୍ୟରେ ଏ କେନାଲଟି ସଂପୂର୍ଣ୍ଣ ମରିଯିବ ବୋଲି କୁହାଯାଉଛି। ଗତ କିଛି ବର୍ଷ ହେବ ଏହି କେନାଲ ଉପରେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଚକେଇସିଆଣି ଓ ଜିଜିପି ଅଞ୍ଚଳରେ କେନାଲ ଦୁଇକଡ଼ରେ କେନାଲ ଜମିକୁ ଖଣ୍ଡ ଖଣ୍ଡ କରି ବେଆଇନ ଭାବେ ବିକ୍ରି କରାଯାଉଛି। ଜମିର କାଗଜପତ୍ର ନଥିଲେ ହେଁ ଲକ୍ଷେ, ୨ ଲକ୍ଷ ଟଙ୍କାରେ ଖଣ୍ଡେ ଜମି ମିଳି ଯାଉଥିବାରୁ ଲୋକେ ତାହାକୁ କିଣି ନେଉଛନ୍ତି। ଆଉ କିଛି ସ୍ଥାନୀୟ କୁଜିନେତା ସେଠାରେ ଘର ତିଆରି କରି ଶ୍ରମିକ ଶ୍ରେଣୀ ଲୋକଙ୍କୁ ଭଡ଼ା ଦେଇ ଦେଉଛନ୍ତି। ଏଠାରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ମୋ ଘର ବ୍ରହ୍ମପୁର। ପିଲା ବେଳୁ ରାଜଧାନୀରେ ଆସି କାମ କରୁଛି।

ଭଲ ଘରେ ରହିବା ଆମ ଭାଗ୍ୟରେ ନାହିଁ। କେନାଲ୍‌ କଡ଼ରେ ଝୁମ୍ପୁଡ଼ି କରି ରହିବା ପାଇଁ ଆସିବା ବେଳେ ମୋତେ କିଛି ବାବୁ ଉଠାଇ ଦେଲେ। ଏହାପରେ ମୋଠାରୁ କିସ୍ତିରେ ୬୦ହଜାର ଟଙ୍କା ନେଲା ପରେ ଘର କରିବାକୁ କହିଥିଲେ। ଏଠି ବାସ କରୁଥିବା ଲୋକ ଅଧେ ଭଡ଼ା ଦେଉଛନ୍ତି, ଆଉ କିଛି ଏକାଥରେ ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି। ଏଥିସହ କେନାଲ୍‌ କଡ଼ରେ ଅନେକ ସ୍ଥାୟୀ ଦୋକାନ ଘର ନିର୍ମାଣ କରାଯାଇଛି। ଜିଜିପି କଲୋନି ନିକଟରେ କେନାଲ ଭିତରେ ଦୁଇ ମହଲା ଘର ନିର୍ମାଣ କରାଯାଇଛି। ଏଥିରେ ଜମି ମାଫିଆଙ୍କ ସମେତ କିଛି ରାଜନେତା, କର୍ପୋରେଟର୍‌ ଓ ସରକାରୀ ଅଧିକାରୀ ମୁଖ୍ୟ କାର୍ପଟଦାର୍‌ ସାଜିଛନ୍ତି।

ବଡ଼ କଥା ହେଲା, କେନାଲ ଭିତରେ ବ୍ୟବସାୟ ପ୍ରତିଷ୍ଠାନ ଓ ଘର ଗଢ଼ିଥିଲେ ବି ବିଏମ୍‌ସି ଓ ଜଳସମ୍ପଦ ବିଭାଗର କୌଣସି ପ୍ରତିକ୍ରିୟା ନାହିଁ। ଗତ ୫ବର୍ଷରେ ଅନେକଥର ଉଚ୍ଛେଦ ପାଇଁ ଉଦ୍ୟମ ହୋଇଛି। କିନ୍ତୁ କିଛି ଲାଭ ହୋଇନାହିଁ।ଅପରପକ୍ଷେ ଚକେଇସିଆଣି, ପଳାସୁଣି, ଜିଜିପି କଲୋନି, ଲକ୍ଷ୍ମୀସାଗର, ଝାରପଡ଼ା, ବଡ଼ଗଡ଼, ବ୍ରହ୍ମେଶ୍ୱର ପାଟଣା, ଗ୍ୟାରେଜ୍‌ ଛକ, ସାମନ୍ତରାପୁର ପର୍ଯ୍ୟନ୍ତ କେନାଲର ଦୁଇ ପାର୍ଶ୍ବରେ ବିରାଟ ବିରାଟ ଅଟ୍ଟାଳିକା ନିର୍ମାଣ ହୋଇଛି। ଘର ଆଗ ପ୍ରଶସ୍ତ କରିବା ପାଇଁ ସେମାନେ କେନାଲ କଡ଼କୁ ପୋତି ଚାଲିଛନ୍ତି। ଏହି ସବୁ ଘର, କଲୋନିରୁ ବାହାରୁଥିବା ଅଳିଆ, ଆର୍ବଜନା କେନାଲରେ ଫିଙ୍ଗା ଯାଉଥିବା ବେଳେ ବସ୍ତିର ଡ୍ରେନ୍ ସବୁ କେନାଲକୁ ସଂଯୋଗ ହୋଇଛି। ଫଳରେ ଏହି କେନାଲ୍‌ ପୋତି ହୋଇ ଆବର୍ଜନା କୁଣ୍ଡରେ ପରିଣତ ହୋଇସାରିଲାଣି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading