କେନ୍ଦୁଝର -: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ରେ ହୋଇଥିବା ମନରେଗା ଦୁର୍ନୀତିରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପୂର୍ବରୁ ଏନେଇ ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ ଲୋକାୟୁକ୍ତ। କିନ୍ତୁ, ତାହା ସନ୍ତୋଷଜନକ ନ ଥିଲା। ତେଣୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାପାଇଁ ଜିଲ୍ଲାପାଳଙ୍କୁ ଲୋକାୟୁକ୍ତ ମନେପକାଇ ଦେଇଛନ୍ତି। ଏଥିସହ ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ଏବଂ ଲୋକପ୍ରତିନିଧିଙ୍କ ତଥ୍ୟ ଦେବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ହାଟଡିହି ବ୍ଲକ୍ରେ ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଜଣାପଡ଼ିବା ପରେ ମାନବାଧିକାର କର୍ମୀ ହିମାଂଶୁ ନାୟକ ସମସ୍ତ ତଥ୍ୟ ପ୍ରମାଣ ସହ ୨୦୨୦ ଅକ୍ଟୋବର ୧୦ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ।

ଲୋକାୟୁକ୍ତଙ୍କ ନିର୍ଦେଶକ୍ରମେ କେନ୍ଦୁଝର ଜିଲ୍ଲାପାଳ ହାଟଡିହି ବ୍ଲକ୍ ସମେତ ସମସ୍ତ ୩୧ଟି ପଞ୍ଚାୟତରେ ଏକ ସ୍ୱତନ୍ତ୍ର ଅଡିଟ୍ ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ଅନୁରୋଧ କରିଥିଲେ। ବିଭାଗ ପକ୍ଷରୁ ୨୦୧୫-୧୬ରୁ ୨୦୨୦-୨୧ ଆର୍ଥିକବର୍ଷ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ କାମର ସ୍ବତନ୍ତ୍ର ଅଡିଟ୍ କରାଯାଇଥିଲା। ବିଭିନ୍ନ କାମରେ ୪୦ ଲକ୍ଷ ୮୯ ହଜାର ୨୪ ଟଙ୍କା ଦୁର୍ନୀତି ହୋଇଥିବା ଜଣାପଡ଼ିଥିଲା। ଦାୟୀ ଅଧିକାରୀଙ୍କଠାରୁ ଏହି ଟଙ୍କା ଆଦାୟ ପାଇଁ ଅଡିଟ୍ ରିପୋର୍ଟ (୩/୨୦୨୧-୨୨)ରେ ସୁପାରିସ କରାଯାଇଥିଲା। ସେହିପରି ୩୨ କୋଟି ୯୫ ଲକ୍ଷ ୯୭ ହଜାର ୬୫୦ ଟଙ୍କାର ବିନିଯୋଗ ଉପରେ ଆପତ୍ତି ଉଠାଇଥିଲା ସ୍ବତନ୍ତ୍ର ଅଡିଟ୍ ଟିମ୍। ସ୍ବତନ୍ତ୍ର ଅଡିଟ୍ ପରେ ଲୋକାୟୁକ୍ତଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହାର ରିପୋର୍ଟ ମଗାଯାଇଥିଲା। ଜିଲ୍ଲାପାଳ ଯେଉଁ ରିପୋର୍ଟ ଦେଇଥିଲେ ତାହା ସନ୍ତୋଷଜନକ ନ ଥିଲା।
ମାର୍ଚ୍ଚ ୩୧ ତାରିଖ ଶୁଣାଣିରେ ଲୋକାୟୁକ୍ତ ପଞ୍ଚାୟତିରାଜ ବିଭାଗର ରିପୋର୍ଟ ଏବଂ ଜିଲ୍ଲାପାଳ ଦେଇଥିବା ଆକ୍ସନ ଟେକେନ୍ ରିପୋର୍ଟକୁ ଗ୍ରହଣ କରି ନଥିଲେ। ଲୋକାୟୁକ୍ତ ଶୁଣାଣି ବେଳେ କହିଥିଲେ, ଏହା ଆକ୍ସନ ଟେକେନ୍ ରିପୋର୍ଟ ନୁହେଁ, ଏହା ଏକ ତଦନ୍ତ ରିପୋର୍ଟ। ତେଣୁ ଏ କ୍ଷେତ୍ରରେ ଲୋକାୟୁକ୍ତ ହାଟଡିହି ବ୍ଲକ୍ର ୨୦୧୫-୧୬ରୁ ୨୦୨୦-୨୧ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ବିଡିଓ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଇଞ୍ଜିନିୟର, ନିର୍ବାହୀ ଅଧିକାରୀ, ସମସ୍ତ ସରପଞ୍ଚଙ୍କ ନାମ ଏବଂ ଠିକଣା ସହିତ ବର୍ତ୍ତମାନ ସେମାନଙ୍କ କାର୍ଯ୍ୟସ୍ଥଳୀ ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ଜୁନ୍ ୩ ତାରିଖ ଶୁଣାଣି ବେଳେ ଜିଲ୍ଲାପାଳଙ୍କ ପକ୍ଷରୁ ଦିଆଯିବାକୁ ଥିବା ଆକ୍ସନ ଟେକେନ୍ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ପହଞ୍ଚିଲା ନାହିଁ। ତେଣୁ ଲୋକାୟୁକ୍ତ ଆଉଥରେ ଜିଲ୍ଲାପାଳଙ୍କୁ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.