ଓଡ଼ିଶାରେ କେତେ ସୁରକ୍ଷିତ ବସ ଯାତ୍ରା ?

Creat A Revolution

ବରଗଡ(ନିରଞ୍ଜନ ତ୍ରିପାଠୀ)-: ରବିବାର ଭୋର ସକାଳୁ ସକାଳୁ ବରପାଲି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ବଲାଙ୍ଗୀର ରୁ ବରପାଲି ପଟେ ଆସୁଥିବା ଏକ ସରକାରୀ ବସ କୁ ସାମ୍ନାପଟୁ ଆସୁଥିବା ଏକ ଟ୍ରକ ମୁହାଁମୁହିଁ ଧକ୍କା ଦେବା ଫଳରେ ପ୍ରାୟ ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇ ଗାଡ଼ିର ଡ୍ରାଇଭର ସହ ଅନ୍ୟ ଦୁଇଜଣ ଯାତ୍ରୀ ଗୁରୁତର ଆହତ ହେବାରୁ ଭୀମସାର ବୁର୍ଲାକୁ ସ୍ଥାନାନ୍ତରଣ କରାଯାଇଛି ।ଗୁରୁତର ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଏକ ଅଜଣା ଆତଙ୍କ ଖେଳେଇ ଯାଇଥିବା ସହ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ବୁଦ୍ଧିଜୀବୀ ମହଲରେ ।ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ଦୁର୍ଘଟଣାରେ ଆହତ ସମସ୍ତ ଯାତ୍ରୀମାନଙ୍କୁ ରାଜ୍ୟ ସରକାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବୀ ହେଉଛି ।

ଏହି ଘଟଣା ଘଟିବା ପରେ ବରଗଡ଼ ଅଞ୍ଚଳର ସଚେତନ ନାଗରିକଙ୍କ ମଧ୍ୟରେ ଅନେକ କଥା ଚର୍ଚ୍ଚା ହେଉଛି । ପ୍ରଥମତଃ ବରଗଡ଼ ତଥା ଆଖପାଖ ଜିଲ୍ଲାରେ ବସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ କୌଣସି ଟିକେଟ ପ୍ରଦାନ କରାଯାଉନାହିଁ ଯେଉଁଥିପାଇଁ ଯାତ୍ରୀମାନେ ଉଚିତ ମୂଲ୍ୟ ଦେଇ ଯାତ୍ରା କରିପାରୁନାହାନ୍ତି‌। ସ୍ଥାନେ ସ୍ଥାନେ ଯାତ୍ରୀଙ୍କ ଠାରୁ କଣ୍ଡକ୍ଟର ମାନେ ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ବହୁତ ଅଧିକ ଟଙ୍କା ନେଉଛନ୍ତି ଏଭଳିକି କିଛି ବସ ଦୁଇଗୁଣା ବସ ଭଡ଼ା ଆଦାୟ କରୁଥିବା ଦେଖାଯାଉଛି । ଏସବୁ ଜାଣିଶୁଣି ମଧ୍ୟ ବରଗଡ଼ ଜିଲ୍ଲା ପ୍ରଶାସନ ତଥା ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ,ବରଗଡ଼ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ଯାହା ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।କୌଣସି ବସ ଦୁର୍ଘଟଣା ହେବା ପରେ ସେଥିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ବୀମା ସୁନିଶ୍ଚିତ ହେବା କଥା କିନ୍ତୁ ଯାତ୍ରୀମାନଙ୍କ ସୁରକ୍ଷା ତ ଦୂରର କଥା ପ୍ରଥମେ ଯାତ୍ରୀମାନଙ୍କୁ ଟିକେଟ ମଧ୍ୟ ପ୍ରଦାନ କରାଯାଉନାହିଁ ।

କିଛି ସଚେତନ ନାଗରିକଙ୍କ ମତରେ ବସ କଣ୍ଡକ୍ଟର ମାନେ ଲୋକଙ୍କ ଠାରୁ ବେନିୟମ ଭାବେ ଅଧିକ ବସ ଭଡ଼ା ଆଦାୟ କରୁଥିବା ଯୋଗୁଁ ପ୍ରତିଦିନ ଅନେକ କଳାଧନ ସୃଷ୍ଟି ହେଉଛି ।ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ ସରକାର ତଥା ବରଗଡ଼ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବୀ କରିଛନ୍ତି । ସମସ୍ତ ସରକାରୀ ତଥା ଘରୋଇ ବସ ରେ ଟିକେଟ ପ୍ରଦାନ କରିବା ବାଧ୍ୟତାମୂଳକ କରିବା ସହ ବିଭିନ୍ନ ବ୍ଲକର ବସ ଷ୍ଟାଣ୍ଡ ଗୁଡ଼ିକରେ ସରକାରୀ ଧାର୍ଯ୍ୟ ବସ ଭଡ଼ା ଦର ପ୍ରଦର୍ଶନ କରିବା ନିମନ୍ତେ ସଚେତନ ନାଗରିକ ଦାବୀ କରିଛନ୍ତି ।ଏ ଭଳି ସ୍ପର୍ଶକାତର ସଡ଼କ ଦୁର୍ଘଟଣା ର ଖବର ପାଇ ତୁରନ୍ତ କାଳବିଳମ୍ବ ନକରି ସ୍ଥାନୀୟ ବିଧାୟିକା ତଥା ଓଡ଼ିଶାର ମାନ୍ୟବର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ସରକାରୀ ଡାକ୍ତରଖାନା କୁ ଯାଇ ଆହତ ଯାତ୍ରୀ ମାନଙ୍କୁ ଭେଟିବା ସଙ୍ଗେ ସଙ୍ଗେ କାର୍ଯ୍ୟରତ ଡାକ୍ତର ତଥା ବରପାଲି ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଦେବାପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!