ଆଜି ବିଶ୍ବ ବ୍ୟାଘ୍ର ଦିବସ, ସାତକୋଶିଆ ମହାବଳ ଶୂନ୍ୟ : କ’ଣ ଫେରିବ କି ମହାବଳ ?

Creat A Revolution
           

ଅନୁଗୁଳ -: ଆଜି ସାରାବିଶ୍ବ ପାଳିବ ବ୍ୟାଘ୍ର ଦିବସ। ଜଙ୍ଗଲରୁ ହଜିଯାଉଥିବା ଏହି ପ୍ରାଣୀଟିର ବଂଶ କେମିତି ସୁରକ୍ଷିତ ରହିବ, ବାଘ ସଂଖ୍ୟା ବହୁଗୁଣିତ ହେବ ସେଥିପାଇଁ ଚାଲିବ ଯୋଜନା ଏବଂ ସଚେତନତା। କିନ୍ତୁ, ସାତକୋଶିଆରେ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ମହାବଳ ବଂଶ କଣ ହେବ? ଏତେ ବଡ଼ ଅଭୟାରଣ୍ୟରୁ ଗୋଟିଏ ପ୍ରଜାତି ପୂରା ନିଶ୍ଚିହ୍ନ ହୋଇଗଲେ। ତାହା ପୁଣି କେବେ ସଜଡ଼ା ହେବ। ଆଜି ବିଶ୍ବ ବ୍ୟାଘ୍ର ଦିବସ ପାଳନ ହେବାକୁ ଯାଉଥିବା ବେଳେ ଗଲାବର୍ଷ ମହାବଳ ଶୂନ୍ୟ ହୋଇ ପଡ଼ିଥିବା ସାତକୋଶିଆର ସୁବିସ୍ତୀର୍ଣ୍ଣ ଜଙ୍ଗଲରେ ମହାବଳ ପୁନରାଗମନକୁ ନେଇ ପରିବେଶବିତ୍‌ ମହଲରେ ଏ ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, ଦେଶର ପ୍ରଥମ ଯେଉଁ ଅନ୍ତଃରା୍ୟ ମହାବଳ ବାଘ ସ୍ଥାନାନ୍ତର ପ୍ରକଳ୍ପ ଯୋଜନା ହୋଇଥିଲା, ସେଥିରେ ମୋଟ୍ ୬ଟି ମହାବଳ ବାଘ ସାତକୋଶିଆକୁ ଆଣିବାକୁ ଯୋଜନା ହୋଇଥିଲା। ଏହି ପ୍ରକଳ୍ପରେ ଭାରତ ସରକାର ସମେତ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ସରକାର ସାମିଲ୍ ହେବେ। ମଧ୍ୟପ୍ରଦେଶ ସରକାର ମହାବଳ ବାଘ ଦେବେ, ଓଡ଼ିଶା ସରକାର ତାକୁ ଆଣି ସାତକୋଶିଆରେ ପାଳିବେ। ଭାରତ ସରକାର ଏଥିପାଇଁ ଅନୁଦାନ ବ୍ୟବସ୍ଥା କରିବାକୁ ଯୋଜନା ହୋଇଥିଲା। ମୋଟ୍ ୬ଟି ମହାବଳ ପାଇଁ ୧୪କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ସେଥିରୁ ୬୦ ପ୍ରତିଶତ ଟଙ୍କା କେନ୍ଦ୍ର ସରକାର ବହନ କରିବେ ଓ ଅବଶିଷ୍ଟ ୪୦ ପ୍ରତିଶତ ଓଡ଼ିଶା ସରକାର ଯୋଗାଇ ଦେବାକୁ ଆକ୍ସନ ପ୍ଲାନ୍‌ ହୋଇଥିଲା।

ମୋଟ୍‌ ତିନି ଯୋଡ଼ା ମହାବଳ ବାଘ ମଧ୍ୟରୁ ପ୍ରଥମ ଦୁଇଟିକୁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ରାଇଗୁଡ଼ାରେ, ଦ୍ବିତୀୟ ପର୍ଯ୍ୟାୟରେ ଆସିବାକୁ ଥିବା ବାଘ-ବାଘୁଣୀ ସାତକୋଶିଆ ଅଭୟାରଣ୍ୟର ମହାନଦୀ ବନଖଣ୍ଡରେ ଏବଂ ତୃତୀୟ ଯୋଡ଼ାଙ୍କୁ ପୁଣି ସାତକୋଶିଆରେ ଛାଡ଼ିବାକୁ ଜାଗା ଚିହ୍ନଟ ହୋଇଥିଲା। ଉଦ୍ଦେଶ୍ୟ ଥିଲା, ମହାନଦୀ ଗଣ୍ଡର ଏପାଖ ଅବବାହିକାରେ ଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଜଙ୍ଗଲରେ ଦୁଇଟି ବାଘ-ବାଘୁଣୀ ଏବଂ ଆରପାଖ ଅବବାହିକାରେ ଥିବା ମହାନଦୀ ବନପ୍ରାଣୀ ବନଖଣ୍ଡରେ ଦୁଇଟି ବାଘ-ବାଘୁଣୀ ରହିବେ। ଅତୀତରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନିଜ ନିଜ ରାଜ୍ୟ ମଧ୍ୟରେ ବ୍ୟାଘ୍ର ସ୍ଥାନାନ୍ତର କରି ଯେମିତି ମହାବଳ ବଂଶ ବୃଦ୍ଧି କରାଇଥିଲେ, ସାତକୋଶିଆରେ ବି ସେହି ସ୍ବପ୍ନ ସାକାର ହେବ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading