ପାଣିରେ ପହଁରୁଛି ମୋ ବସ୍, ଅଳ୍ପକେ ବତ୍ତିଲେ ଯାତ୍ରୀ

Creat A Revolution
           

ଜଟଣୀ -: ଆଜି ଜଟଣୀ ରେଳ ଭୂତଳ ରାସ୍ତାରେ ଏକ ‘ମୋ ବସ୍‌’ ବୁଡ଼ିଯାଇଥିଲା। ସୌଭାଗ୍ୟକୁ ଯାତ୍ରୀମାନେ ବର୍ତ୍ତିଯାଇଥିଲେ। ବସ୍‌ରେ ଥିବା ପ୍ରାୟ ୧୫ ଜଣ ଯାତ୍ରୀ, ବସ୍‌ ଚାଳକ ଓ କଣ୍ଡକ୍ଟର ପହଁରି ପହଁରି ଭୂତଳ ରାସ୍ତାରୁ ଉପରକୁ ଉଠି ଆସିଥିଲେ। ପ୍ରତିବର୍ଷ ବର୍ଷା ଋତୁରେ ବଡ଼ଧରଣର ବର୍ଷା ହେଲେ ଏହି ଭୂୂତଳ ରାସ୍ତାରେ ଏମିତି ପରିସ୍ଥିତି ସୃଷ୍ଟି ହେବା ନୂଆ କଥା ନୁହେଁ। ତଥାପି ବସ୍‌ ଚାଳକ କିଭଳି ଜାଣିଶୁଣି ଏଭଳି ବିପଦକୁ ଆମନ୍ତ୍ରଣ କଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଯାତ୍ରୀମାନଙ୍କ ଭିତରେ ମହିଳା, ବରିଷ୍ଠ ନାଗରିକ ଓ ଛୋଟି ପିଲା ଥା’ନ୍ତେ, ତେବେ କି ଭୟଙ୍କର ପରିସ୍ଥିତି ଉପୁଜିଥାଆନ୍ତା ଓ ଏଥିପାଇଁ କିଏ ଦାୟୀ ରହିଥାଆନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ସୂଚନାନୁଯାୟୀ, ଓଡି ୦୨ ବିଜେ ୯୪୦୯ ନମ୍ବର ବିଶିଷ୍ଟ ବସ୍‌ଟି ଜଟଣୀରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ବସ୍‌ରେ ୧୫ରୁ ଅଧିକ ଯାତ୍ରୀ ଥିଲେ।

ସେତେବେଳକୁ ଜଟଣୀରେ ପ୍ରବଳ ବର୍ଷା ହୋଇ ସାରିଥିଲା ଓ ସବୁଆଡ଼ ଜଳାର୍ଣ୍ଣବ ହୋଇଯାଇଥିଲା। ଉକ୍ତ ଭୂତଳ ରାସ୍ତାରେ ବି ପ୍ରବଳ ପାଣି ଜମି ରହିଥିଲା। କିନ୍ତୁ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଦୁଃସାହସ କରି ବସ୍‌କୁ ପାଣି ଭିତରେ ପୂରାଇ ଦେଇଥିଲେ। କିନ୍ତୁ କିଛିବାଟ ଗଲା ପରେ ବସ୍‌ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ସେତେବେଳକୁ ବସ୍‌ର ଝରକା କାଚ ପର୍ଯ୍ୟନ୍ତ ପାଣି ଲାଗିଯାଇସାରିଥିଲା। ବସ୍‌ ଅଟକିଯିବା ଓ ଝରକା ଦେଇ ପାଣି ପଶିବା ଦେଖି ଯାତ୍ରୀମାନେ ଜୀବନ ବଞ୍ଚାଇବାକୁ ବିକଳ ହୋଇପଡ଼ିଥିଲେ। ବସ୍‌ର ଡୋର୍‌ ନ ଖୋଲିବାରୁ ଯାତ୍ରୀମାନେ ଝରକା କାଚ ଭାଙ୍ଗି ପକାଇଥିଲେ ଓ ବାହାରକୁ ଆସି ପହଁରିବାକୁ ଲାଗିଥିଲେ। ଠିକ୍‌ ସେହି ସମୟରେ ଅନ୍ୟ ଏକ ଟ୍ରକ ମଧ୍ୟ ଏହି ଭୂତଳ ରାସ୍ତାରେ ଫସିବାକୁ ଯାଉଥିଲା। ମାତ୍ର ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିକୁ ବାହାରକୁ ନେଇଯିବାରୁ ଟ୍ରକ୍‌ଟି ବୁଡ଼ି ଯିବାରୁ ରକ୍ଷା ପାଇଯାଇଥିଲା। ସୂଚନାଯୋଗ୍ୟ, ରେଳ ପ୍ରଶାସନ ପକ୍ଷରୁ ଏହି ଭୂତଳ ରାସ୍ତା କରାଯାଇଛି।

ଏହି ଭୂତଳ ରାସ୍ତାରେ ଥିବା ଏକ ଡ୍ରେନ୍‌ ଦେଇ ଜଳ ନିଷ୍କାସନ ହୋଇଥାଏ। କିନ୍ତୁ ବଡ଼ଧରଣର ବର୍ଷା ହେଲେ ହଠାତ୍ ସହରର ସବୁ ଆଡ଼ୁ ମାଡ଼ି ଆସୁଥିବା ଜଳ ଏହି ଭୂତଳ ଡ୍ରେନ୍‌ରେ ନିଷ୍କାସନ ହୋଇପାରେନାହିଁ। ସେହିଭଳି ଉକ୍ତ ଡ୍ରେନ୍‌ ନିୟମିତ ବ୍ୟବଧାନରେ ସଫେଇ ହେଉନଥିବାରୁ ବର୍ଷା ଜଳ ନିଷ୍କାସନ ହେବା‌ରେ ବାଧା ସୃଷ୍ଟି ହୁୁଏ। ତେଣୁ ଏହି ଭୂତଳ ରାସ୍ତା ବୁଡ଼ିଯିବା ଏକ ସାଧାରଣ ଘଟଣା। ଏହି ସମସ୍ୟାରୁ ଜଟଣୀବାସସୀଙ୍କୁ ମୁକୁଳିବାକୁ ଏକ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣାଧୀନ ରହିଛି। କଣ୍ଟ ପରେ କଣ୍ଟ ଗଡ଼ୁଛି ସିନା ଉକ୍ତ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ସରିପାରୁନାହିଁ କି ଜଟଣୀବାସୀଙ୍କ ଦୁର୍ଦ୍ଦଶାର ଅନ୍ତ ହେଉନାହିଁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading