ଭୁବନେଶ୍ବର -: ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପବଳୟ ଅଧିକ ଘନୀଭୂତ ହେବାରେ ଲାଗିଥିବା ବେଳେ ଆଜିଠାରୁ ବର୍ଷାର ପ୍ରଭାବ ଓ ବିସ୍ତୃତି ବଢ଼ିବ। ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଜିଲ୍ଲାଗୁଡ଼ିକ ହେଲା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଧା, ନୟାଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କଟକ। ଏହି ସବୁ ଜିଲ୍ଲାରେ କାଲି ଗୋଟିଏ ଦିନରେ ପାଖାପାଖି ୭୦ରୁ ୨୦୦ମିମି ବର୍ଷା ହେବାର ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଏହା ପ୍ରଭାବରେ ଭୂ-ସ୍ଖଳନ, କଚ୍ଚା ରାସ୍ତା ଓ ଘର ଭାଙ୍ଗିଯିବା, ଚାଷ ଜମିରେ ପାଣି ଜମି ରହିବା ଆଦି ସମସ୍ୟା ସୃଷ୍ଟି ହୋଇପାରେ। ଏଣୁ ସମସ୍ତ ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର କହିଛି, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପବଳୟ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବାଙ୍ଗୋପସାଗର ଉପରେ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟ ଭାଗ ଯାଏ ଲମ୍ବିଛି। ଏହା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ଲଘୁଚାପର ରୂପ ନେବ ଓ ଉତ୍ତର-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳସ୍ଥ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ରହିବ।
ଏହା ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠାରୁ ବର୍ଷାର ପ୍ରଭାବ ଓ ବିସ୍ତୃତି ବଢ଼ିବ। ଆସନ୍ତାକାଲି ଓ ୧୧ ତାରିଖ ଦିନ ରାଜ୍ୟର କିଛି କିଛି ଅଞ୍ଚଳରୁ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଏଥିସହ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିମି ଯାଏ ବର୍ଷା ହୋଇପାରେ।
Discover more from odia.bnslive.in
Subscribe to get the latest posts sent to your email.