କଟକରୁ ନକଲି ଔଷଧ ଜବତ ଘଟଣା : ୪ ବ୍ୟବସାୟୀ ଫେରାର, ଦୁଇ ଡ୍ରଗ୍ସ ଏଜେନ୍ସିର ସଦସ୍ୟତା ରଦ୍ଦ

Creat A Revolution

କଟକ -:

କଟକରୁ ନକଲି ମେଡିସିନ୍‌ ଜବତ ହେବା ଘଟଣାରେ ନକଲି ମେଡିସିନ୍‌ ବିକ୍ରି କରିଥିବା ଦୁଇ ହୋଲସେଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌। ଉଭୟ ବ୍ୟବସାୟୀଙ୍କ ସଦସ୍ୟତା ପଦ ରଦ୍ଦ କରିଛି ସଂଘ। ଏଥିସହ ଉଭୟ ନକଲି ଔଷଧ ବିକ୍ରି କରି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଲୋକଙ୍କ ଜୀବନ ସହ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଟକ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌ର ସଭାପତି ଭାଗବତ ପ୍ରସାଦ ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଗ୍ଲେନ୍‌ମାର୍କ କମ୍ପାନିର ଲୋଗୋ ବ୍ୟବହାର କରି ନକଲି ଖୋଳରେ ବଜାରରେ ଦାମୀ ବ୍ରାଣ୍ଡର ବିକ୍ରି ହେଉଥିବା ଉଚ୍ଚ ରକ୍ତଚାପ ଔଷଧ ନକଲି ବୋଲି ସ୍ପଷ୍ଟ ହୋଇଛି।

ଏଭଳି ବ୍ୟାଚ୍‌ର ଔଷଧ ତିଆରି କରିନି ବୋଲି ଗ୍ଲେନ୍‌ମାର୍କ କମ୍ପାନି ଲିଖିତ ଭାବେ ସ୍ପଷ୍ଟ କରିବାପରେ କଟକ ଜିଲ୍ଲା ଡ୍ରଗ୍‌ସ ଇନ୍ସପେକ୍ଟର୍‌ ମାଣିକୋଷ ବଜାରସ୍ଥିତ ଭି.ଆର୍‌ ଡ୍ରଗ୍‌ ଏଜେନ୍ସି ଓ ଯାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜେସ୍‌ର ୪ଜଣଙ୍କ ନାମରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି। ଭି.ଆର୍‌ ଡ୍ରଗ୍‌ ଏଜେନ୍ସିର ମାଲିକ ବର୍ଷାରାଣୀ କ୍ୟାଲ୍ ଓ ତାଙ୍କ ପୁଅ ରାହୁଲ କୁମାର କ୍ୟାଲ୍‌ଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଯାଉଁଳିଆପଟି ପୂଜା ଏଣ୍ଟର୍‌ପ୍ରାଇଜେସ୍‌ର ମାଲିକ ସଞ୍ଜୟ ଜଲାନ୍‌ ଓ ତାଙ୍କ ପତ୍ନୀ ଚଞ୍ଚଲ ଜଲାନ୍‌ଙ୍କ ନାମରେ ପୁରୀଘାଟ ଥାନା ପୁଲିସ ମାମଲା ରୁଜୁ କରିଛି।

ଉଭୟ ଏଜେନ୍ସିଙ୍କ ନିକଟରୁ ୨ ଲକ୍ଷ ୩ ହଜାର ୪୦୦ ଟେଲ୍‌ମା-୪୦ ଓ ୪୬ ହଜାର ୩୫୦ ଟେଲ୍‌ମା ଏଏମ୍‌ ବଟିକା ଜବତ୍‌ କରାଯାଇଥିବା କଟକ ଜିଲ୍ଲା ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର୍‌ ଧର୍ମଦେବ ପୁହାଣ ସୂଚନା ଦେଇଛନ୍ତି। ଅନ୍ୟପଟେ ମାମଲା ରୁଜୁ ହୋଇଥିବା ସମସ୍ତ ବ୍ୟବସାୟୀ ଫେରାର୍‌ ଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିପାରିନି। ଉଲ୍ଲେଖଯୋଗ୍ୟ ଯେ ନକଲି ଔଷଧ ଅଭିଯୋଗ ପରେ ଗତ ୬ ତାରିଖରୁ ତିନିଦିନ ଧରି ଚଢଉ ଜାରି ରହିଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!