
କିବ -: ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣକୁ ଜାତିସଂଘର ସାଧାରଣ ପରିଷଦ ବୈଠକରେ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି। ଏଭଳି ସ୍ଥିତିରେ ୟୁକ୍ରେନ ଉପରେ ରୁଷ୍ ଗତକାଲିଠାରୁ ପୁଣି ଆକ୍ରମଣ ତୀବ୍ର କରିଛି। ଶନିବାର ରାତିରେ ଦକ୍ଷିଣ ୟୁକ୍ରେନରେ ରୁଷ୍ ଗୁଳିଗୋଳା ବର୍ଷା କରିଛି। ଜାପୁରଝିଆ ଅଞ୍ଚଳରେ ହୋଇଥିବା ଆକ୍ରମଣ ଘଟଣାରେ ଦୁଇ ଦେଶ ପରସ୍ପରକୁ ଦୋଷାରୋପ କରିଛନ୍ତି। ଆଞ୍ଚଳିକ ଶାସନ ମୁଖ୍ୟ ଓଲେକସାଣ୍ଡର ଷ୍ଟାରୁଖ କହିଛନ୍ତି ୧୦ଟି ବିମାନରୁ ରୁଷ୍ ସେନା ବୋମା ନିକ୍ଷେପ ସହ ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ରୁଷ୍ର ସରକାରୀ ନ୍ୟୁଜ ଏଜେନ୍ସି ଆରଆଇଏ ଦର୍ଶାଇଛି ଯେ ୟୁକ୍ରେନୀୟ ସେନା ଖାଦ୍ୟଭଣ୍ଡାର ଏବଂ ସାର ଗୋଦାମ ଉପରେ ଆକ୍ରମଣ କରିଛି। ୭ ମାସର ଯୁଦ୍ଧରେ ରୁଷ୍ ନିଜ ଅଧୀନକୁ ନେଇଥିବା ୟୁକ୍ରେନୀୟ ଅଞ୍ଚଳରେ ଗଣଭୋଟ ଚଳାଇଛି।
ନିକଟରେ ରୁଷ୍ ସେନା ୟୁକ୍ରେନର କେତେକ ଅଞ୍ଚଳରେ ସଫଳତା ହାସଲ କରି ନପାରି ପଛଘୁଞ୍ଚା ଦେଇଛି। ତେଣୁ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିବାକୁ ଯଥାର୍ଥ ବୋଲି ଚିତ୍ରଣ କରିବା ଲାଗି ରୁଷ୍ ଏହି ଗଣଭୋଟ କରୁଥିବା ପାଶ୍ଚାତ୍ୟ ଦେଶଗୁଡ଼ିକ ଅଭିଯୋଗ କରିଛନ୍ତି। ଜାତିସଂଘର ସାଧାରଣ ପରିଷଦ ବୈଠକରେ ଯୋଗଦେବା ଅବସର ସାମ୍ବାଦିକମାନଙ୍କୁ ରୁଷ୍ର ବିଦେଶ ମନ୍ତ୍ରୀ ସର୍ଗେ ଲଭରୋଭ ଉଦ୍ବୋଧନ ଦେଇ କହିଛନ୍ତି ୟୁକ୍ରେନ ଉପରେ ଯେଉଁ ଆକ୍ରମଣ ଚାଲିଛି ତାହାକୁ ଆମେରିକା ଏବଂ ଏହାର ମିତ୍ର ରାଷ୍ଟ୍ରମାନେ ବିରୋଧ କରୁଛନ୍ତି। ତେବେ ଜାତିସଂଘ ବୈଠକରେ ପାଖାପାଖି ତିନି ଚତୁର୍ଥାଂଶ ଦେଶ ରୁଷ୍ର ଆକ୍ରମଣକୁ ଭର୍ତ୍ସନା କରିବା ସହିତ ସେନା ପ୍ରତ୍ୟାହାର ଦାବି କରିଛନ୍ତି। ଲଭରୋଭ କହିଛନ୍ତି ଯେ ୟୁକ୍ରେନର ଯେଉଁସବୁ ଅଞ୍ଚଳରେ ଗଣଭୋଟ ଚାଲିଛି ସେହି ଅଞ୍ଚଳଗୁଡ଼ିକ ରୁଷ୍ରେ ମିଶିଲେ ସେଗୁଡ଼ିକୁ ମସ୍କୋ ସୁରକ୍ଷା ଦେବ। ଅନ୍ୟପକ୍ଷରେ ଶିଳ୍ପସମୃଦ୍ଧ ଜି-୭ ଦେଶ ଗଣଭୋଟର ଫଳାଫଳକୁ ସ୍ବୀକୃତି ଦେବେନାହିଁ ବୋଲି କହିଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.