ନିୟମ ମାନୁନାହାନ୍ତି କମ୍ପାନି: ତାଳଚେର, ଅନୁଗୁଳକୁ ପ୍ରଦୂଷଣ ଚିନ୍ତା

Creat A Revolution
           

ଅନୁଗୁଳ -: ବାୟୁ ପ୍ରଦୂଷଣ ପାଇଁ ରେଡ୍‌ ଜୋନ୍‌ରେ ରହିଛି ତାଳଚେର ସହର। କୋଇଲା ଖଣି ଓ କଳକାରଖାନା ପାଇଁ ଏଠାକାର ପାଣିପବନ‌ରେ ବିଷ ଭରି ଯାଇଥିଲା ବେଳେ ଲୋକଙ୍କ ଜୀବନ ଦୁର୍ବିଷହ ‌ହୋଇପଡ଼ିଛି। ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଷ୍ଟ୍ରାୟତ୍ତ କଂପାନି ଜଳ ଓ ବାୟୁ ପ୍ରଦୂଷଣର ସର୍ତ୍ତ ଖିଲାପ କରୁଛନ୍ତି। ଏଥିପାଇଁ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି ପ୍ରଦୂଷଣ। ଖୋଦ୍‌ ସରକାର ଏହା ସ୍ବୀକାର କରିବା ପରେ ଅନୁଗୁଳ ଜିଲ୍ଲାର ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି। ଏସିଆ ମହାଦେଶର ପ୍ରଦୂଷିତ ସହର ତାଲିକାରେ ତାଳଚେର ଓ ଅନୁଗୁଳ ସହର ରହିଛି। ଏଠାରେ ପାଖାପାଖି ଏକ ଡଜନ୍‌ କୋଇଲା ଖଣି ରହିଛି।

ସେହିପରି ଅନେକ ଘରୋଇ ଶିଳ୍ପାନୁଷ୍ଠାନ ରହିଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବି ଭର୍ତ୍ତି ହୋଇଛି। ଏଥିପାଇଁ ଅନୁଗୁଳ ଓ ତାଳଚେର ସହରରେ ବାୟୁର ମାନ ଅତି ଖରାପ ସ୍ତରକୁ ଚାଲି ଯାଉଛି। ଶୀତଦିନେ ସ୍ଥିତି ଅତି ସାଂଘାତିକ ହେଉଛି। ଚଳିତବର୍ଷ ପ୍ରାରମ୍ଭରେ ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ୩ ଶହ ଉପରେ ରହୁଥିଲା। ଯାହାକି ଅତି ସମ୍ବେଦନଶୀଳ ବୋଲି ବିବେଚନା କରାଯାଉଛି। କେବଳ ବାୟୁ ନୁହେଁ, ଜଳ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ବି ଏଠାରେ ଉଦ୍‌ବେଗଜନକ ସ୍ଥିତିରେ ରହିଛି। ରାଷ୍ଟ୍ରାୟତ କଂପାନି ସର୍ତ୍ତ ପୂରଣ କରୁନଥିବା ଅଭିଯୋଗ ଆସିଛି। ପ୍ରଦୂଷଣ ନିରାକରଣ ପାଇଁ ପଦକ୍ଷେପ ନେବାକୁ କଂପାନିକୁ କୁହାଯାଇଥିବା ଜଙ୍ଗଲ, ପରିବେଶ ଓ ଜଳ‌ବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ବିଧାନସଭାରେ ଜଣାଇଛନ୍ତି।

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଥିଲେ। ଆଗକୁ ତାଳଚେର ଓ ଅନୁଗୁଳର ପ୍ରଦୂଷଣ ନେଇ ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତାଳଚେର ପ୍ରଦୂଷଣ ସଂପର୍କରେ ସରକାର ଅବଗତ ଥିବା ମନ୍ତ୍ରୀ ବିଧାନସଭାରେ କହିଛନ୍ତି। ଜଳ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଭିନ୍ନ ସର୍ତ୍ତ ରଖାଯାଇ ଏହି ଅନୁମତି ଦିଆଯାଇଛି। ଏହାଛଡ଼ା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଛି। ଏପଟେ ପ୍ରଦୂଷଣ କମାଇବା ପାଇଁ ସରକାର ପ‌ଦକ୍ଷେପ ନେଉଥିବା କହିଛନ୍ତି। ତାଳଚେର ସହରରେ ପ୍ରଦୂଷଣ କମାଇବା ପାଇଁ ସିଟି ଆକ୍ସନ ପ୍ଲାନ୍‌ ଓ ବାର୍ଷିକ ଆକ୍ସନ ପ୍ଲାନ୍‌ କରାଯାଇ ପୌରପାଳିକା ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଜାତୀୟ ସ୍ବଚ୍ଛ ବାୟୁ ଯୋଜନାରେ ତାଳଚେରକୁ ସାମିଲ କରାଯାଇ ୨୦୧୯ରୁ ୨୦୧୪ ଭିତରେ ୩କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ମନ୍ତ୍ରୀ କହିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading