୧୮ରେ ନେଲେ, ଆଜି ଫିଙ୍ଗିଦେଲେ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଅର୍ପଣ ଚାଉଳ : ସବୁ ମହଲରେ ନିନ୍ଦା

Creat A Revolution
           

ପୁରୀ – : ଭକ୍ତଙ୍କ ଭକ୍ତି ଓ ଭାବାବେଗ ସହ ସାଙ୍ଘାତିକ ଖେଳ ଖେଳାଯାଇଛି। ଫିଙ୍ଗିଦେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଅର୍ପଣ ଚାଉଳ। ଲୁଚାଛପାରେ ପୁରୀଠାରୁ ବହୁ ଦୂର ଗୋପ ତହସିଲଠାରୁ ୫ ଶହ ମିଟର ଦୂର ବାୟାକୁଦା ପୋଲ ନିକଟ କେନାଲରେ ଏହି ଚାଉଳକୁ ଫିଙ୍ଗି ଦିଆଯାଇଛି। ଏହି ନିକାଞ୍ଚନ ଜାଗାରେ ଫିଙ୍ଗିବା ବେଳେ କିଛି ସ୍ଥାନୀୟ ମହିଳା ଓ ଯୁବକ ଏହାକୁ ଧରିଛନ୍ତି। ଆଜି ଏଭଳି ଘଟଣା ଧରାପଡ଼ିବା ପଡ଼ିବା ପରେ ଆରମ୍ଭ ହୋଇଛି ତମ୍ବିତୋଫାନ। ଅଗଣିତ ଭକ୍ତଙ୍କ ସହ ସେବାୟତ ଏଭଳି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଜାନୁଆରି ୧୭ ତାରିଖ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ତତ୍କାଳୀନ ବିଜେଡି ସରକାରଙ୍କ ନିଷ୍ପତ୍ତି କ୍ରମେ ସାରା ରାଜ୍ୟ ପରିକ୍ରମା କରିଥିଲା ଅର୍ପଣ ରଥ। ଅର୍ପଣ ରଥ ଜରିଆରେ ମହାପ୍ରଭୁଙ୍କ ନାଁରେ ସାରା ରାଜ୍ୟରୁ ସମୁଦାୟ ୧୪୦୧୭.୨୩ କ୍ବିଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ ହେଲା।

ପରେ ଜିଲ୍ଲା ପ୍ରଶାସନ ଏହି ଅର୍ପଣ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ମାଗଣାରେ ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲା। ନିଷ୍ପତ୍ତିକ୍ରମେ ପର୍ଯ୍ୟାୟକ୍ରମେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଗଚ୍ଛିତ ଚାଉଳରୁ ୩୮୫୬.୮୪ କ୍ବିଣ୍ଟାଲ ଚାଉଳ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯାଇଥିଲା। ପ୍ରଦତ୍ତ ଅଳ୍ପ କିଛି ଚାଉଳରୁ ନିଯୋଗ ମହାପ୍ରସାଦ କରି ଭକ୍ତଙ୍କୁ ବାଣ୍ଟିଥିବା ବେଳେ ବାକି ଚାଉଳ ସେହିଭଳି ଶ୍ରୀମନ୍ଦିର ଉତ୍ତର ଓ ପଶ୍ଚିମଦ୍ୱାରରେ ପଡ଼ି ରହିଥିଲା। ଫଳରେ ଫିମ୍ପି ମାରିଯାଇଥିଲା। ବିଣ୍ଡି ହୋଇ ଦୁର୍ଗନ୍ଧ ବାହାରିଥିଲା। ଏହାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଗତ ୧୮ ତାରିଖରେ ନିଯୋଗ ଏକ ୪୦୭ ମିନି ଟ୍ରକ୍‌ (ଓଆର୍‌-୦୨-ବି-୫୮୯୯) ରେ ଏହାକୁ ଗୋପ-ନିମାପଡ଼ା ରାସ୍ତାରେ ଥିବା ରାଇସ୍‌ ମିଲକୁ ପ୍ରୋସେସିଂ ପାଇଁ ପଠାଇଥିଲା।

ତିନିଦିନ ପରେ ଅର୍ଥାତ୍‌ ଆଜି ଏହି ଚାଉଳକୁ ସେହି ମିନି ଟ୍ରକ୍‌ରେ ଆଣି ବାୟାକୁଦା କେନାଲରେ ଫିଙ୍ଗି ଦିଆଯାଇଛି। ଯେଉଁ ବସ୍ତା ସବୁ କାଟି ଚାଉଳ କେନାଲ ଭିତରେ ଢଳା ଯାଉଛି, ସେଥିରେ ବିଭିନ୍ନ ସ୍ଥାନର ନାମ ଉଲ୍ଲେଖ ରହିଛି ବୋଲି ଅଭିଯୋଗ ହୋଇଛି। ସୁଆର ମହାସୁଆର ନିଯୋଗ କିନ୍ତୁ ଏ ସମ୍ପର୍କରେ କିଛି ଜାଣିନଥିବା କହିଛି। ନିଯୋଗ ସଭାପତି ପଦ୍ମନାଭ ମହାସୁଆର ଓ ସମ୍ପାଦକ ନାରାୟଣ ମହାସୁଆର ଗଣମାଧ୍ୟମକୁ କହିଛନ୍ତି, ଆମେ ଏ ସମ୍ପର୍କରେ ଜାଣିନୁ। ଯଦି ଏଭଳି ହୋଇଥାଏ, ନିଶ୍ଚିତ ମହାପାପ। ଆମେ ଗୁରୁବାର ମିଲ୍‌ ଯାଇ ସ୍ଥିତି ଅନୁଧ୍ୟାନ କରିବୁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading