ଦାରିଙ୍ଗବାଡ଼ି (ରାକେଶ କୁମାର ସାହୁ) -: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ତଦାରଖ ର ଅଭାବ ହେତୁ ଡାକ୍ତରଖାନାରେ ସମସ୍ୟା ଲାଗିରହିଛି, ଏହି ଡାକ୍ତରଖାନା ଟି ଅତି ଦୁର୍ଗମ ଅଞ୍ଚଳ ର ସାହା ଭରଷା ପାଲଟି ଥିବା ବେଳେ ଏଠାରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଦାୟିତ୍ବ ହୀନତା ଯୋଗୁଁ ସ୍ଵାସ୍ଥ୍ୟ ସେବା ବିଗିଡ଼ିବାରେ ଲାଗିଛି । ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ସୀମାନ୍ତ କାଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କୁଟ୍ରୁକା ଗ୍ରାମ ର ରୋନି ନାୟକ ଙ୍କ ପତ୍ନୀ ପ୍ରିୟା ସ୍ଵାଲ ସିଂ ଙ୍କ ଗର୍ଭ ବେଦନା ଆରମ୍ଭ ହେବାରୁ ଶୁକ୍ରବାର ଦିନ ସନ୍ଧ୍ୟା ପ୍ରାୟ ସାତଟା ବେଳେ ଆଶା କର୍ମୀ ଦର୍ଶନି ବଳିଆର ସିଂ ଙ୍କୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଜରୀଆରେ ରାତ୍ର ପ୍ରାୟ ୯ଟା ସମୟରେ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ପହଞ୍ଚାଇ ଥିଲେ ସେହି ସମୟରେ ମେଡ଼ିକାଲ ବନ୍ଦ ରହିଥିବାରୁ ,ଗର୍ଭବତୀ ଙ୍କ ସମ୍ପର୍କୀୟ ମାନେ ଷ୍ଟାଫ୍ ମାନଙ୍କ କ୍ୱାର୍ଟର କୁ ଯାଇ ଡ଼ାକି ଥିଲେ, ତାଙ୍କ ଡ଼ାକ ଶୁଣି ମେଡ଼ିକାଲର ପିଅନ ଆସି ପ୍ରସବ ପ୍ରକୋଷ୍ଠ ଖୋଲି ଦେଇଥିଲେ, କିନ୍ତୁ ପ୍ରସବ ଯନ୍ତ୍ରଣାରେ ଗର୍ଭବତୀ ମହିଳା ଙ୍କୁ ପ୍ରସବ କରାଇବା ପାଇଁ କୌଣସି ଡାକ୍ତର କିମ୍ବା ନର୍ସ ତାଙ୍କ ପାଖରେ ପହଞ୍ଚି ନଥିଲେ ।
ବାରମ୍ଵାର ଡାକ୍ତର ଙ୍କୁ ଫୋନ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଫୋନ କଲ୍ ରିସିଭ କରି ନ ଥିଲେ l ପ୍ରାୟ ଦୁଇଘଣ୍ଟା ଉଠାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ଗଣମାଧ୍ୟମ ପ୍ରତିନିଧି ମାନେ ସେଠାରେ ପହଞ୍ଚି ଦାରିଙ୍ଗବାଡ଼ି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜାକେଶ ସାମନ୍ତ ରାୟ ଙ୍କୁ ଯୋଗାଯୋଗ କରିଥିଲେ, ଘଟଣା ସଂପର୍କ ରେ ଜାଣିବା ପରେ ସେ ଅନ୍ୟ ଜଣେ ନର୍ସ ଙ୍କୁ ପଠାଇ ଥିଲେ l କିନ୍ତୁ ନର୍ସ ଜଣକ ଆସି ପ୍ରସବ ପାଇଁ ଆହୁରି ସମୟ ଲାଗିବ ସେଥିପାଇଁ ଅନ୍ୟତ୍ର ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଦୂରଦୂରାନ୍ତ ରୁ ଆସିଥିବା ଗର୍ଭବତୀ ମହିଳା ଓ ତାଙ୍କ ସମ୍ପର୍କୀୟ ମାନେ ନିରୁପାୟ ହୋଇ ରାତ୍ର ପ୍ରାୟ ସାଢେ଼ ୧୨ଟା ବେଳେ ଝଡ଼ ବର୍ଷା ରେ ଅନ୍ୟ ଏକ ମେଡ଼ିକାଲ କୁ ସ୍ଥାନାନ୍ତର କରିଥିଲେ l ପ୍ରଥମେ ସେମାନେ ମୋହନା ମେଡ଼ିକାଲ କୁ ନେଇ ଥିଲେ ସେଠାରୁ ପୁଣି ଡାକ୍ତର ଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ମେଡ଼ିକାଲ କୁ ଯିବା ବାଟରେ ଆମ୍ବୁଲାନ୍ସ ରେ ହିଁ ପ୍ରସବ କରିଥିବା ସୂଚନା ମିଳିଛି l ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ର ଏପରି ଦୁର୍ଗମ ଅଞ୍ଚଳ ରେ ଥିବା ମେଡ଼ିକାଲ ପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ଅବହେଳା କରାଯାଉ ଥିବା ରୁ ଗର୍ଭବତୀ ମହିଳା ମାନେ ଯନ୍ତ୍ରଣା ରେ ଛଟପଟ ହେବା ସାଥେ ସାଥେ ଅକାଳ ମୃତ୍ୟୁ ର ଶିକାର ହେଉଥିବା ନଜିର ରହିଛି।
ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଗର୍ଭବତୀ ମହିଳାଙ୍କ ପାଇଁ କୌଣସି ପ୍ରତୀକ୍ଷା ପ୍ରକୋଷ୍ଠ ନଥିବାରୁ ସବୁବେଳେ ହଇରାଣ ହରକତ ହେବାକୁ ପଡୁଛି, ପ୍ରକାଶ ଥାଉ କି କନ୍ଧମାଳ ଜିଲ୍ଲା ର ଦୁର୍ଗମ ଅଞ୍ଚଳ ତଥା ଗଞ୍ଜାମ ଗଜପତି ଓ ରାୟଗଡ଼ା ଜିଲ୍ଲା ସୀମାନ୍ତ ରେ ଏହି ମେଡ଼ିକାଲ ଥିବାରୁ ଅଞ୍ଚଳ ର ଜନସାଧାରଣ ରୋଗୀ ସେବା ପାଇଁ ଏହି ମେଡ଼ିକାଲ ଉପରେ ନିର୍ଭର କରିଥାନ୍ତି , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୂରତା ଦୃଷ୍ଟିରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅଞ୍ଚଳ ବାସୀଙ୍କ ଦାବୀ ମୁତାବକ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଏକ ପ୍ରସବ କେନ୍ଦ୍ର ଓ ଶବ ବ୍ୟବଛେଦ ପାଇଁ ସରକାର ଙ୍କ ପକ୍ଷରୁ ସୁବିଧା ଯୋଗାଇ ଦିଆ ଯାଇଛି। କିନ୍ତୁ ଏଠି କାର୍ଯ୍ୟରତ କର୍ମଚାରୀ ମାନଙ୍କ ସେବା ମନୋଭାବ ର ଅଭାବ ହେତୁ ଏଠାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଗର୍ଭବତୀ ମହିଳା ଙ୍କ କ୍ଷେତ୍ରରେ ଏହା ପ୍ରଥମ ଘଟଣା ନୁହେଁ, ବାରମ୍ବାର ରାତ୍ରି କାଳୀନ ପ୍ରସବ ସମୟ ରେ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଯେହେତୁ ଏଠି ପ୍ରସବ କରିବା ସୁବିଧା ରହିଛି ଏଣୁ ପ୍ରସୂତୀ ବିଭାଗ ର ଜଣେ ଅତିରିକ୍ତ ଡାକ୍ତର ଙ୍କୁ ନିଯୁକ୍ତି କରିବା ସହ ଗର୍ଭବତୀ ଙ୍କ ପାଇଁ ପ୍ରତୀକ୍ଷା ପ୍ରକୋଷ୍ଠ ନିର୍ମାଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.