ନର୍ଲା : ରାଜ୍ୟରେ ହାତୀ ମୃତ୍ୟୁ ହାର ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଏହାକୁ ନେଇ ଅନେକ ତର୍ଜମା ଚାଲିଥିଲେ ମଧ୍ୟ ହାତୀ ମୃତ୍ୟୁ ରୋକିବାରେ ବିଫଳ ହୋଇଛନ୍ତି ସରକାର ଓ ବନ ବିଭାଗ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନର୍ଲା ସଦର ମହକୁମାରୁ ମାତ୍ର ଦୁଇ କିଲୋମିଟର ଦୂର ନବୋଦୟ ବିଦ୍ୟାଳୟ ପାର୍ଶ୍ୱସ୍ଥ ଛିଟକେଲ ଜଙ୍ଗଲରେ। ଏଠାରେ ଏକ ହାତୀର ମୃତଦେହ ଠାବ ହୋଇଛି। ନର୍ଲାରେ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ହୋଇଗଲାଣି ହାତୀ ଆତଙ୍କ ଲାଗି ରହିଛି। ବଣୁଆ ହାତୀପଲ ଓ ଚାଷୀଙ୍କ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ। ହାତୀପଲ ଚାଷ ଧ୍ଵଂସ କରୁଛନ୍ତି। କ୍ଷତି ସହୁଛି ଚାଷୀ। ତେବେ ଗତକାଲି ଏକ ଚାରି ଟିକିଆ ହାତୀପଲ ନର୍ଲା ନବୋଦୟ ପାର୍ଶ୍ୱସ୍ଥ ଛିଟକେଲ ଡଙ୍ଗରରୁ ଆସି ତଳେ ଥିବା ଚାଷ ଜମିରେ ଫସଲ ଖାଇବା ସହ ନଷ୍ଟ କରିଥିବା ସ୍ଥାନୀୟ ଚାଷୀ ପ୍ରକାଶ କରିଛନ୍ତି।
ଆଜି ସକାଳୁ ଏକ ମାଈ ହାତୀ ମରି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ନର୍ଲା ଫରେଷ୍ଟର ଭବାନୀ ନାଏକ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ରେଞ୍ଜର ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଖବର କରିଥିଲେ। ଘଟଣା ସ୍ଥଳରେ ଅଧିକାରୀ ମାନେ ପହଞ୍ଚି ହାତୀ ମୃତ୍ୟୁ ଘଟଣାର ତଦନ୍ତ ଚଲେଇ ଥିବାବେଳେ ଏହାର ପ୍ରକୃତ କାରଣ ଜଣା ପଡିନାହିଁ। ଉକ୍ତ ଚାରି ଟିକିଆ ହାତୀ ପଲରେ ଗୋଟିଏ ଦନ୍ତା, ଗୋଟିଏ ଶିଶୁ ହାତୀ ଓ ଦୁଇଗୋଟି ମାଈ ହାତୀ ଥିଲେ। ସେଥି ମଧ୍ୟରୁ କୌଣସି କାରଣରୁ ଗୋଟିଏ ମାଈ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଛି।
Discover more from odia.bnslive.in
Subscribe to get the latest posts sent to your email.