ଆପାର୍ଟମେଣ୍ଟ ପଞ୍ଜୀକରଣ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

Creat A Revolution
           

କଟକ -: ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରସଙ୍ଗ ପୁଣି ବିବାଦରେ ଛନ୍ଦି ହୋଇଛି। ରେରା ଆଇନ କାର୍ଯ୍ୟକାରୀ ଅର୍ଥାତ୍ ୨୦୧୭ ଫେବ୍ରୁଆରି ୧୭ ପୂର୍ବରୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଆପାର୍ଟମେଣ୍ଟଗୁଡ଼ିକର କିଣାବିକା ପଞ୍ଜୀକରଣକୁ ଅନୁମତି ଦେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରିକରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୨୫ ଫେବ୍ରୁଆରି ୧ରେ ଜାରି କରାଯାଇଥିବା ଏହି ବିଜ୍ଞପ୍ତି ଉପରେ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା ଓ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ବିମଳେନ୍ଦୁ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଫେବ୍ରୁଆରି ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। 

ମାମଲାର ବିବରଣୀରୁ ପ୍ରକାଶ ଯେ ପୂର୍ବରୁ ଆପାର୍ଟମେଣ୍ଟ ମାଲିକାନା ଆଇନରେ ଦ୍ବନ୍ଦ୍ବ ରହିଥିବା ବେଳେ ଆପାର୍ଟମେଣ୍ଟ ପଞ୍ଜୀକରଣ ବନ୍ଦ ରହିଥିଲା। ଆପାର୍ଟମେଣ୍ଟ ନେଇଥିବା ବ୍ୟକ୍ତିଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର ନୂଆ ଆଇନ ୨୦୨୩ରେ ଆଣିଥିଲେ। ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଆଇନ ୨୦୨୩ ଜୁନ୍ ୨୮ରେ କାର୍ଯ୍ୟକାରୀ ହୋଇଥିଲା। ନୂଆ ଆଇନରେ ଆବାସିକ ଓ ବ୍ୟାବସାୟିକ ଆପାର୍ଟମେଣ୍ଟ ବିକ୍ରି କବଲା ପଞ୍ଜୀକରଣ ପାଇଁ ଅକ୍ୟୁପାନ୍ସି ସାର୍ଟିଫିକେଟ୍‌ ବାଧ୍ୟତାମୂଳକ କରାଯାଇଥିଲା। ଏଥି ସହିତ ଆପାର୍ଟମେଣ୍ଟ କିଣିଥିବା ବ୍ୟକ୍ତିମାନଙ୍କ ଆସୋସିଏସନ୍ ପଞ୍ଜୀକରଣ ସାର୍ଟିଫିକେଟ୍‌ ଏଥି ପାଇଁ ଆବଶ୍ୟକ ବୋଲି କୁହାଯାଇଥିଲା।

ରେରା ଆଇନ କାର୍ଯ୍ୟକାରୀ ପୂର୍ବରୁ ନିର୍ମାଣ ସଂପୂର୍ଣ୍ଣ ହୋଇଥିବା ଆପାର୍ଟମେଣ୍ଟ ଗୁଡ଼ିକର ବିକ୍ରି କବଲା ପଞ୍ଜୀକରଣ ବେଳେ ନୂଆ ଆଇନରେ ଥିବା ବ୍ୟବସ୍ଥା ଲାଗୁକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଥିଲା। ଏହି ପ୍ରସଂଗରେ ସ୍ଥିତି ସ୍ପଷ୍ଟ କରି ନଗର ଉନ୍ନୟନ ବିଭାଗ ଗତ ଫେବ୍ରୁଆରି ୧ରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା। ରେରା ଆଇନ ୨୦୧୭ରେ ଲାଗୁ ହେବା ପୂର୍ବରୁ ‌ଯେଉଁ ଆପାର୍ଟମେଣ୍ଟ ସଂପୂର୍ଣ୍ଣ ହୋଇଥିବ ତାହାର ବିକ୍ରି କବଲା ପଞ୍ଜୀକରଣ ପାଇଁ ପଞ୍ଜୀକରଣ କର୍ତ୍ତୃପକ୍ଷ ମନା କରି ପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଏଭଳି ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ପଞ୍ଜୀକରଣ ଅଧିକାରୀଙ୍କୁ ଆବଶ୍ୟକ ଆଦେଶନାମା ଜାରି କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅନୁରୋଧ କରାଯାଇଥିଲା। ଏପରି ବିଜ୍ଞପ୍ତି ଆଇନରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ କୁମାର ଅଗ୍ରଵାଲ ମାମଲା ପରିଚାଳନା କରୁଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading