ବାପ୍ରେ ବାପ୍ କି ଖରା । ଘରୁ ବାହାରିଲେ ଦେହ ଜଳିଯାଉଛି । ତାତିରେ ମୁଣ୍ଡ ଝାଇଁ ମାରୁଛି । ଆଉ ଘରେ ରହିଲେ ଗମ୍ଗମ୍ ଝାଳ ବୋହୁଛି । ଏଥର ଫେବୃଆରୀରୁ ଖରା ହେଲାଣି । ମାର୍ଚ୍ଚରେ ଦେହ ଜଳୁଥିଲା । ଏବେ ଏପ୍ରିଲ୍ରେ ସ୍ଥିତି ଅସମ୍ଭାଳ ହେଲାଣି । ତେବେ ଏହି ଗରମ କେତେବେଳେ ଜୀବନ ବି ନେଇପାରେ । ମଣିଷକୁ ଅସୁସ୍ଥ ବି କରିପାରେ । ତେଣୁ ଏହି ଖରାରୁ ବଞ୍ଚିବା ପାଇଁ କିଛି ସୁନ୍ଦର ଟିପ୍ସ, ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ଖରାଦିନେ ପ୍ରଥମତଃ ନିଜ ଶରୀରକୁ ହାଇଡ୍ରେଟ୍ ରଖିବା ଆବଶ୍ୟକ । ଏହା ଶରୀର ପାଇଁ ବହୁତ ଜରୁରୀ । କାରଣ ଖରା ଗରମ ବଢ଼ିବା ସାଙ୍ଗକୁ ଶରୀର ଡିହାଇଡ୍ରେସନ୍ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଏ । ଏଥିପାଇଁ ବିଶେଷ ଧ୍ୟାନ ରଖିବା ଉଚିତ୍ । ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ଆମର ଖାଦ୍ୟପେୟରେ ପରିବର୍ତ୍ତନ କରିବା ଉଚିତ ଏବଂ ଅଧିକ ପରିମାଣର ପାଣି ପିଇବା ଆବଶ୍ୟକ ।

ଖରା ଦିନରେ ସାଧାରଣତଃ ଶରୀରରେ ଜଳୀୟ ଅଂଶ ଅଭାବ ରହିଥାଏ । ଯାହାଦ୍ବାରା ଆମର କ୍ଷତି ହୋଇଥାଏ । ସେଥିପାଇଁ ଏକ୍ସପର୍ଟମାନେ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦେଉଛନ୍ତି । ଦିନକୁ ୮ରୁ ୧୦ ଗ୍ଲାସ୍ ପାଣି ପିଇବା ଉଚିତ୍ । ପାଣି ପିଇବା କମିଲେ ଦେହ ଖରାପ ହେବାର ସମ୍ଭାବନା ରହିଥାଏ । ବଦ୍ହଜମି, ଡିହାଇଡ୍ରେସନ୍, ପେଟ ଖରାପ, ପତଳା ଝାଡ଼ା ଭଳି ସମସ୍ୟା ଉପୁଜିଥାଏ । ଏଥିପାଇଁ ଓଆର୍ଏସ୍ ପିଇବା ମଧ୍ୟ ଜରୁରୀ ହୋଇଥାଏ । ଖରାଦିନରେ ଖାଲି ପାଣି ନୁହେଁ… ପଇଡ଼ ପାଣି, ଥଣ୍ଡା କ୍ଷୀର, ଲସି ନଚେତ୍ ଆଖୁ ରସ ପିଅନ୍ତୁ । ଏହା ବ୍ୟତୀତ କାକୁଡି, ତରଭୁଜ, ଖରଭୁଜା ଭଳି ଜଳଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଏହି ଖାଦ୍ୟଗୁଡ଼ିକ ଗ୍ରୀଷ୍ମ ଋତୁରେ ଆପଣଙ୍କୁ ସତେଜ ରଖେ । ଶୋଷ ମେଣ୍ଟାଇବା ପାଇଁ ସାଧାରଣତଃ ଲୋକମାନେ କୋଲଡ୍ରିଙ୍କସ ପିଇଥାନ୍ତି । କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ତେଣୁ ଖରା ଦିନରେ ଅଧିକ ପରିମାଣର ଜଳ କିମ୍ବା ଜଳୀୟ ଅଂଶ ଥିବା ଖାଦ୍ୟ ପଦାର୍ଥ ଖାଇବା ଉଚିତ।
Discover more from odia.bnslive.in
Subscribe to get the latest posts sent to your email.