ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଇଂଲଣ୍ଡ ଗସ୍ତରେ ମୋଟ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଏଥିପାଇଁ ଶନିବାର ୧୮ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ ।

ଟେଷ୍ଟ ସିରିଜ୍ ଜୁନ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେବେ ବେଶ୍ କିଛି ଦିନ ପରେ ଭାରତୀୟ ଦଳକୁ ଫେରିଛନ୍ତି ମିଷ୍ଟର ଟ୍ରିପଲ ସେଞ୍ଚୁରି କରୁଣ ନାୟାର । ପ୍ରାୟ ୩ ହଜାର ଦିନ ଅର୍ଥାତ ୮ ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି କରୁଣ । ଇଂଲଣ୍ଡ ଗସ୍ତ ପାଇଁ କରୁଣ ନାୟାରଙ୍କୁ ଦଳରେ ସାମିଲ କରାଯାଇଛି। କରୁଣ ନାୟାର ବହୁତ ଦିନ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଦଳରେ ଏହି ଖେଳାଳିଙ୍କ ଚୟନ ପରେ, ଏକ ପୋଷ୍ଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଗତ ୨୦୨୨ ଡିସେମ୍ବର ୧୦ରେ, କରୁଣ ନାୟାର ତାଙ୍କ X ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ଲେଖାଥିଲା- ‘ଡିଅର୍ କ୍ରିକେଟ୍, ମୋତେ ଆଉ ଗୋଟିଏ ସୁଯୋଗ ମିଳୁ’। କରୁଣ ନାୟାର ଭାରତୀୟ ଦଳ ପାଇଁ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ୨୦୧୭ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଏବେ ୮ ବର୍ଷ ପରେ କରୁଣ ନାୟାର ଇଂଲଣ୍ଡ ଗସ୍ତରେ ଟିମ୍ ସହ ନଜର ଆସିବେ। କରୁଣ ନାୟାର ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ଏକ ତ୍ରିଶତକ ହାସଲ କରିଛନ୍ତି। ୨୦୧୬ରେ ଚେନ୍ନାଇରେ ଖେଳାଯାଇଥିବା ମ୍ୟାଚ୍ରେ ସେ ଇଂଲଣ୍ଡ ବିପକ୍ଷରେ ୩୮୧ ବଲ୍ରେ ୩୦୩ ରନ୍ର ଅପରାଜିତ ଇନିଂସ ଖେଳିଥିଲେ। ଭାରତୀୟ ଦଳ ଏହି ଟେଷ୍ଟ ମ୍ୟାଚ୍ ୭୫ ରନରେ ଜିତିଥିଲା। ଆଉ ରାତାରାତି ଷ୍ଟାର ପାଲଟିଯାଇଥିଲେ କରୁଣ । ଶୁଭମନ ଗିଲ୍ଙ୍କୁ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତ । ଭାରତ ୩୭ତମ ଟେଷ୍ଟ ଅଧିନାୟକ ହୋଇଛନ୍ତି ଗିଲ୍ । ସେହିଭଳି ଋଷଭ ପନ୍ତଙ୍କୁ ଉପ-ଅଧିନାୟକ ଭାର ମିଳିଛି । ବିସିସିଆଇ ପକ୍ଷରୁ ୧୮ ଜଣିଆ ଦଳ ଚୟନ କରାଯାଇଥିବା ବେଳେ ଅନେକ ବଡ଼ ବଡ଼ ମୁହଁ ବାଦ୍ ପଡିଛନ୍ତି । ବିସିସିଆଇ ଚୟନ କମିଟି ପକ୍ଷରୁ ଘୋଷଣା କରାଯାଇଥିବା ୧୮ ଜଣିଆ ଦଳରେ ଶ୍ରେୟସ ଆୟର ଓ ମହମ୍ମଦ ଶାମିଙ୍କ ଭଳି ବଡ଼ ଚେହେରା ନାହାନ୍ତି । ଏହି ଦୁଇ ଭେଟେରାନ୍ଙ୍କ ସମେତ ୫ ଜଣଙ୍କୁ ବାଦ୍ ଦେଇଛି ବିସିସିଆଇ ।

ଶ୍ରେୟସ ଆୟର: ଭାରତୀୟ ଦଳର ଦିନିକିଆ ଟିମ୍ରେ ଜଣେ ନିର୍ଭରଯୋଗ୍ୟ ବ୍ୟାଟର ଶ୍ରେୟସ ଆୟର, ଟେଷ୍ଟରେ କିନ୍ତୁ ନିଜ ସ୍ଥାନ ହାସଲ କରିବାରେ ବିଫଳ ହୋଇଛନ୍ତି । ଗତ କିଛି ଦିନ ହେଲା ଚମତ୍କାର ପ୍ରଦର୍ଶନ କରୁଛନ୍ତି ଆୟର । ଏହା ସତ୍ତ୍ବେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳରେ ସ୍ଥାନ ମିଳିନାହିଁ ।

ମହମ୍ମଦ ଶାମି: ଦ୍ରୁତ ବୋଲର ମହମ୍ମଦ ଶାମି ବି ନିରାଶ ହୋଇଛନ୍ତି । ତାଙ୍କୁ ମଧ୍ୟ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳରେ ସ୍ଥାନ ମିଳିନାହିଁ । ତାଙ୍କୁ ଦଳରେ ନିଆନଯିବାର କାରଣ ଫିଟ୍ନେସ୍ ବୋଲି କୁହାଯାଉଛି । ଶାମି ଏବେ ବି ପୂରାପୂରି ଭାବେ ଫିଟ୍ ହୋଇନାହାନ୍ତି । ଏଥର ଆଇପିଏଲରେ ସେତେଟେ ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି ଶାମି ।

ଅକ୍ଷର ପଟେଲ: ଅଲରାଉଣ୍ଡର ଅକ୍ଷର ପଟେଲ ଟିମ୍ ପାଇଁ ଦମଦାର ପ୍ରଦର୍ଶନ କରୁଛନ୍ତି । ତିନିଟି ଯାକ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ଅକ୍ଷର । କିନ୍ତୁ ଇଂଲଣ୍ଡ ବିପକ୍ଷ ସ୍କ୍ବାଡ୍ରେ ତାଙ୍କ ନାଁ ନାହିଁ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସର୍ଫରାଜ ଖାନ: ମିଡିଲ ଅର୍ଡର ବ୍ୟାଟର ସର୍ଫରାଜ ଖାନ ଗତ କିଛି ଦିନ ହେଲା ଭାରତୀୟ ଟେଷ୍ଟ ଦଳରେ ଥିଲେ । ଟେଷ୍ଟରେ ସେ ୩ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିସାରିଛନ୍ତି । କିନ୍ତୁ ତାଙ୍କୁ ବି ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ଦଳରେ ସ୍ଥାନ ମିଳିନାହିଁ ।

ଅଜିଙ୍କ୍ୟ ରାହାଣେ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଅଜିଙ୍କ୍ୟ ରାହାଣେ ବେଶ୍ କିଛି ଦିନ ହେଲା ଟେଷ୍ଟ ଟିମ୍ରୁ ବାହାରେ ଅଛନ୍ତି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଛନ୍ତି ରାହାଣେ । କିନ୍ତୁ କିଛି ଫାଇଦା ହେଲାନି । ତାଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଲା ନାହିଁ ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ: ଶୁଭମନ ଗିଲ (ଅଧିନାୟକ ), ଋଷଭ ପନ୍ତ ( ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ୱରନ, କରୁଣ ନାୟାର, ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ (ୱିକେଟରକ୍ଷକ), ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, ଜସପ୍ରୀତ ବୁମରାହ,ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂ ଓ କୁଲଦୀପ ଯାଦବ