ତିଗିରିଆ -: ବଞ୍ଚିବା ନିମନ୍ତେ ଆବଶ୍ୟକ ହେଉଥିବା ତିନୋଟି ମୌଳିକ ଆବଶ୍ୟକତା ମଧ୍ୟରେ ଗୃହ ହେଉଛି ଅନ୍ୟତମ। ପ୍ରତ୍ୟକ ମଣିଷର ମୁଣ୍ଡ ଉପରେ ପକ୍କା ଘର ଛାତ ଖଣ୍ଡିଏ ରହିବାର ସ୍ୱପ୍ନ ରହିଥାଏ।କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ପ୍ରାଥମିକତା ଭିତ୍ତିରେ ପ୍ରତ୍ୟକ ଯୋଗ୍ୟ ହିତାଧିକାରୀ ଙ୍କୁ ପକ୍କା ଘର ପ୍ରଦାନ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି।ଏଥିପାଇଁ ବାର୍ଷିକ ହଜାର ହଜାର କୋଟି ଟଙ୍କା କେନ୍ଦ୍ର ଓ ରାଜ୍ୟ ଅର୍ଥ କୋଷରୁ ଖର୍ଚ୍ଚ ହେଉଛି।କିନ୍ତୁ କେତେକ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ କିମ୍ବା ସ୍ଥାନୀୟ ପ୍ରଶାସନ ର ଅପାରଗତା କାରଣରୁ ବହୁତ ଯୋଗ୍ୟ ହିତାଧିକାରୀ ସରକାର ଙ୍କର ଏହି ଯୋଜନା ର ଲାଭ ପାଇବାରୁ ବଞ୍ଚିତ ହୋଇଥାନ୍ତି।ଯାହାର ଉଦାହରଣ ହେଉଛି ତିଗିରିଆ ବ୍ଲକ ଭିରୁଡ଼ା ପଞ୍ଚାୟତ ସ୍ଥିତ ଭିରୁଡ଼ା ତଳଗଡ଼ ଗ୍ରାମର ବାସିନ୍ଦା ବୁଦ୍ଧିମତି ବାରିକ (୩୬)।
ଜନ୍ମରୁ ଶୁଣି ପାରୁନଥିବା ବେଳେ ଭଲରେ କଥା କହି ପାରୁନଥିବା ବୁଦ୍ଧି ଶତ ପ୍ରତିଶତ ବିକଳାଙ୍ଗ ଅଟନ୍ତି।ଶତ ପ୍ରତିଶତ ବିକଳାଙ୍ଗ କାରଣରୁ ବିବାହ କରିନଥିବା ବୁଦ୍ଧି ନିଜର ଭରଣ ପୋଷଣ ପାଇଁ ସମ୍ପୂର୍ଣ୍ଣ ଭାବେ ପରିବାର ଉପରେ ନିର୍ଭରଶୀଳ ଅଟନ୍ତି।ବାପା ଲିଙ୍ଗରାଜ ବାରିକ ନିଜର କୌଳିକ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ବର୍ତ୍ତମାନ ବୟସାଧିକ କାରଣରୁ ଆଉ କାମ କରିପାରୁନଥିବା ଜଣାପଡିଛି।ଫଳରେ ଏବେ ପରିବାର ପ୍ରତିପୋଷଣ ଦାୟିତ୍ୱ ନିଜର ଦୁଇ ଭାଇଙ୍କ ଉପରେ ରହିଥିବା ଜଣାପଡିଛି।ଅର୍ଥ ଅଭାବ ଯୋଗୁଁ ଦୀର୍ଘ ଦିନ ଧରି ଛପର ନ ହୋଇଥିବା କାରଣରୁ ବୁଦ୍ଧି ନିଜର ବାପା ଙ୍କ ସହ ରହୁଥିବା ଚାଳ ଛପର ଘର ଏବେ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।ଫଳରେ ବୁଦ୍ଧି ଏବେ ନିଜର ଭାଇ ଙ୍କ ପାଖରେ ଆଶ୍ରୟ ନେଇଛନ୍ତି।
ଏପରି ସ୍ଥଳେ ଅନ୍ତ୍ୟେଦୟ ଯୋଜନା ଘର ଖଣ୍ଡିଏ ପାଇବା ଆଶାରେ ଆବେଦନ କରିଥିଲେ।କିନ୍ତୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚଳିତବର୍ଷ ର ଏହି ଯୋଜନାରେ ବିଭିନ୍ନ ପଞ୍ଚାୟତ ର ଯୋଗ୍ୟ ହିତାଧିକାରୀ ଙ୍କ ନାମ ର ଦ୍ୱିତୀୟ ତାଲିକା ଏବେ ପ୍ରକାଶ ପାଇଥିବା ବେଳେ ଏଥିରେ ତାଙ୍କ ନାମ ନଥିବା ଦେଖି ନିରାଶ ହୋଇଛନ୍ତି ବୁଦ୍ଧି।ନିଜ ପଞ୍ଚାୟତ ହେଉ କିମ୍ବା ବ୍ଲକ ର ଅନ୍ୟାନ୍ୟ ପଞ୍ଚାୟତ ରେ ବହୁ ଅଯୋଗ୍ୟ ହିତାଧିକାରୀ ଙ୍କ ନାମ ଏହି ତାଲିକାରେ ରହିଥିବା ବେଳେ ତାଙ୍କ ଭଳି ଜଣେ ଯୋଗ୍ୟ ହିତାଧିକାରୀ ଙ୍କ ନାମ କେଉଁ ଆଧାରରେ ବାଦ ପଡିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ପୂର୍ବରୁ ଏ ନେଇ ବୁଦ୍ଧି ସ୍ଥାନୀୟ ବିଡ଼ିଓ ଙ୍କ ନିକଟରେ ନିଜ ନାମ ଏହି ଯୋଜନାରେ ସାମିଲ ପାଇଁ ନିବେଦନ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିବାରୁ ନିରାଶ ହୋଇଛନ୍ତି ବୁଦ୍ଧି।ତାଙ୍କ ଭଳି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡୁଥିଲେ ତେବେ ଏହି ଯୋଜନା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧି।ତେଣୁ ଯଥାଶୀଘ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ବୁଦ୍ଧି ଙ୍କ ନାମକୁ ଏହି ଯୋଜନାରେ ସାମିଲ କରିବା ପାଇଁ ସାଧାରଣ ରେ ଦାବି କରାଯାଇଛି।
Discover more from odia.bnslive.in
Subscribe to get the latest posts sent to your email.