ଲିଡ୍‌ସରୁ ଲିଡ୍‌ ନେଲା ଇଂଲଣ୍ଡ: ପରାଜୟରୁ ଗିଲ୍ ଯୁଗ ଆରମ୍ଭ, ଇଂଲଣ୍ଡ ୫ ୱିକେଟ୍‌ରେ ଜିତିଲା

Creat A Revolution
           

ନୂଆଦିଲ୍ଲୀ/ ଲିଡ୍‌ସ -: ଲିଡ୍‌ସ ଲଢ଼େଇ ଜିତିବାକୁ ୫ ଶତକ, ଗୋଟିଏ ପାଞ୍ଚ ୱିକେଟ୍ ସଫଳତା ପର୍ଯ୍ୟାପ୍ତ ହୋଇନି। ଦୁର୍ବଳ ଫିଲ୍‌ଡିଂ, ଠିକଣା ସମୟରେ କ୍ୟାଚ୍ ହାତଛଡ଼ା କରିବାର ଦୁର୍ବଳତା ଏବଂ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାର ଦୁର୍ଦ୍ଦଶା ସହ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ରହିବାର ଚାପ ଆଗରେ ଏସବୁ ସ୍ମରଣୀୟ ସଫଳତା ଫିକା ପଡ଼ିଯାଇଛି। ସ୍କୋର୍ ବୋର୍ଡରେ ବଡ଼ ରନ୍ ସହ ପାଗ, ପରିବେଶ ଓ ପିଚ୍ ସବୁକିଛି ବୋଲିଂ ପାଇଁ ଅନୁକୂଳ ଥିଲେ ମଧ୍ୟ ଇଂଲଣ୍ଡ ଦ୍ବିତୀୟ ପାଳିର ୧୦ ୱିକେଟ୍ ଝାଡ଼ିବାରେ ଅସମର୍ଥ ହୋଇ ଭାରତ ଏଠାରେ ୫ ୱିକେଟ୍‌ରେ ପରାଜିତ ହୋଇଛି। ୫ ଶତକ ପରେ ବି ମ୍ୟାଚ୍ ହାରିବାରେ ୧୪୮ ବର୍ଷର ଟେଷ୍ଟ୍ ଇତିହାସରେ ପ୍ରଥମ ଦଳ ହୋଇଛି ଟିମ୍ ଇଣ୍ଡିଆ। 

ପାଳି ଗଢ଼ିବା ଏବଂ ଦଳୀୟ ଆବଶ୍ୟକତା ଅନୁସାରେ ଖେଳିବାର ଅପୂର୍ବ ଏକାଗ୍ରତା ପାଇଁ ଏକଦା ସବୁଦୃଷ୍ଟିରୁ ପଛୁଆ ଥିବା ଇଂଲଣ୍ଡର ଉତ୍କଣ୍ଠାପୂର୍ଣ୍ଣ ବିଜୟକୁ ନାଟକୀୟ ଭାବେ ଅଟକାଇ ପାରିନି ଗିଲ୍ ବାହିନୀ।  ଯାହା ପ୍ରଶଂସକଙ୍କୁ ନିରାଶ ଏବଂ ବିଶେଷଜ୍ଞଙ୍କୁ ବିସ୍ମିତ କରିଛି। ସେହିଭଳି ଭାରତର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ହେବାର ଗୌରବ ସହ ଅଧିନାୟକତ୍ବର ପ୍ରଥମ ପାଳିରେ ଶତକ ହାସଲ କରିବାର ବିରଳ ରେକର୍ଡ କରିଥିବା ଯୁବ ଅଧିନାୟକ ଶୁବମନ୍ ଗିଲ୍ ପରାଜୟରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି। ଭାରତ ପାଞ୍ଚ ଟିକିଆ ତେନ୍ଦୁଲକର-ଆଣ୍ଡରସନ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ହାରି ୦-୧ରେ ପଛୁଆ ହୋଇଛି। ସେହିଭଳି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ୍ ତାଲିକାରେ ଖାତା ଖୋଲି ପାରିନି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ଆକ୍ରମଣକୁ ଅସ୍ତ୍ର କରି ଅସାଧ୍ୟକୁ ସାଧ୍ୟ କରିଥିବା ଇଂଲଣ୍ଡ କଠିନ ପରିସ୍ଥିତିରେ ୩୭୧ ରନ୍‌ର ଲକ୍ଷ୍ୟକୁ ହାସଲ କରି ନୂଆ ଉଦାହରଣ ସୃଷ୍ଟି କରିଛି।  ଭାରତ ବିପକ୍ଷରେ ଦ୍ବିତୀୟ ସର୍ବବୃହତ୍ ପଶ୍ଚାତ୍‌ଧାବନ ହାସଲ କରିଛି ଇଂଲଣ୍ଡ। 

ଭାରତ ଏକ  କଷ୍ଟକର ଲକ୍ଷ୍ୟ ଦେବା ପରେ ସୋମବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବିନା କ୍ଷତିରେ ୨୧ ରନ୍ କରିଥିଲା ଇଂଲଣ୍ଡ। ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନରେ ବିଜୟ ପାଇଁ ବେନ୍ ଷ୍ଟୋକ୍ସଙ୍କ ଦଳକୁ ଆଉ ୩୫୦ ରନ୍‌ର ଦରକାର ଥିଲା। ବେନ୍ ଡକେଟ୍ ଓ ଜ୍ୟାକ୍ କ୍ରଲି ଦ୍ରୁତ ଓ ଦମ୍‌ଦାର ବ୍ୟାଟିଂ କରି ପ୍ରଥମ ୱିକେଟ୍‌ରେ ୧୮୮ ରନ୍ ଯୋଡ଼ିବା ପରେ ହିଁ ଭାରତ ହାତରୁ ମ୍ୟାଚ୍ ଖସି ଯାଇଥିଲା। ବିଶେଷ କରି ଡକେଟ୍‌ଙ୍କ ୧୪୯ ରନ୍‌ର ଅବିଶ୍ବସନୀୟ ପାଳି ଦୁଇ ଦଳ ମଧ୍ୟରେ ଫରକ ହୋଇଥିଲା। ଏକାଧିକ ଥର ବର୍ଷା ବ୍ୟାଘାତ ସତ୍ତ୍ବେ ବୁମ୍‌ରା ୱିକେଟ୍ ଶୂନ୍ୟ ରହିବା ଭାରତକୁ ସବୁଠୁ ବେଶି ବାଧିଥିଲା। ପ୍ରସିଦ୍ଧ କ୍ରିଷ୍ଣା ପ୍ରଥମେ କ୍ରଲି ଓ ପରେ ଓଲି ପୋପ୍‌ଙ୍କୁ ଶସ୍ତାରେ ଆଉଟ୍ କରିଥିଲେ ମଧ୍ୟ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।  ଦିନର ଅଧିକାଂଶ ସମୟ ନିଷ୍ପ୍ରଭ ଥିବା ଶାର୍ଦୁଳ ଠାକୁର ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେବା ଏବଂ ରବୀନ୍ଦ୍ର ଜାଡ଼େଜା ପ୍ରତିପକ୍ଷ ଅଧିନାୟକ ‌ଷ୍ଟୋକ୍ସଙ୍କୁ ଆଉଟ୍ କରି  କିଛିଟା ରୋମାଞ୍ଚ ଭରିଥିଲେ। ତେବେ ନିର୍ଭରଯୋଗ୍ୟ ଜୋ ରୁଟ୍ ବରଫ ଭଳି ଶାନ୍ତ ଓ ସ୍ଥିର ରହି ଇଂଲଣ୍ଡ ପାଳିକୁ ଆଗେଇ ନେଇଥିଲେ। ଅର୍ଦ୍ଧଶତକ ଅର୍ଜନ କରି ନିଜ ଦଳକୁ ଶେଷରେ ‌ରୋମାଞ୍ଚକ ବିଜୟ ଉପହାର ଦେଇଥିଲେ। ଭାରତ ପ୍ରଥମ ପାଳିରେ ଶେଷ ୭ ୱିକେଟ୍‌ ୪୧ ରନ୍‌ରେ ଏବଂ ଦ୍ବିତୀୟ ପାଳିରେ ଶେଷ ୬ ୱିକେଟ୍ ୩୧ ରନ୍‌ରେ ହରାଇବା ଶେଷରେ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading