କଟକ -: ଗ୍ୟାଙ୍ଗଷ୍ଟର୍ ମହମ୍ମଦ ସକିଲ୍ ପୁଲିସକୁ ଚକ୍ମା ଦେଇ ଫେରାର ହୋଇଯାଇଛି। କେଶରପୁର ବଡ଼ି ମସଜିଦ୍ ନିକଟରେ ଥିବା ଶ୍ବଶୁର ଘରେ ନିଜ ମୋବାଇଲ୍ ଫୋନ୍ ଛାଡ଼ି ଫେରାର ହୋଇଯାଇଛି। ସେ ଆନ୍ଧ୍ରପ୍ରଦେଶ ଖସିଯାଇଥିବା ପୁଲିସ ସନ୍ଦେହ କରୁଛି। ତେବେ ପୁଲିସ ସକିଲ୍ର ମୋବାଇଲ୍ ଲୋକେସନ୍ ଟ୍ରାକିଂ କରି ଶ୍ବଶୁର ଘରେ ପହଞ୍ଚିଲା ବେଳକୁ ସେଠାରେ କେବଳ ତାର ମୋବାଇଲ୍ ଫୋନ ମିଳିଛି। ସକିଲ୍ ପୁଲିସକୁ ଚକମା ଦେବାକୁ ଯାଇ ଏଭଳି କାଣ୍ଡ କରିଛି। ସେହିଭଳି ସକିଲ୍ର ଡ୍ରାଇଭର ପୁତୁ ଘରେ ବି ପୁଲିସର ଆଉ ଏକ ଟିମ୍ ଚଢ଼ଉ କରିଥିଲା।
ଶ୍ବଶୁର ଘରେ ମୋବାଇଲ୍ ଛାଡ଼ି ଫେରାର୍ ସକିଲ, କାର୍ ଡ୍ରାଇଭର ପୁତୁ ଘରେ ପୁଣି ଚଢ଼ଉ ପତ୍ନୀ, ଶାଶୂଙ୍କୁ ଜେରା; ୧୨ ଜଣଙ୍କୁ ଧରିବାକୁ ସ୍ବତନ୍ତ୍ର ଟିମ୍

ଗ୍ୟାଙ୍ଗଷ୍ଟର ସକିଲ୍ ଓ କାଦିର ପୁଣି ଏକାଠି ହୋଇଥିବା ରିପୋର୍ଟ ‘ସମ୍ବାଦ’ରେ ଗତ ୨୬ ତାରିଖରେ ପ୍ରକାଶ ପରେ କଲିକତା ଫେରାର୍ ହୋଇଯାଇଥିବା ଗ୍ୟାଙ୍ଗଷ୍ଟର୍ ସକିଲ୍ ୨୭ ତାରିଖରେ ତା’ ବାପା ସହିତ ମଙ୍ଗଳାବାଗ ଥାନାରେ ହାଜର ହୋଇଥିଲା। ଅପରାଧରୁ ଦୂରେଇ ରହିବାକୁ ପ୍ରତିଶ୍ରୁତି ଦେବା ସତ୍ତ୍ବେ ଦରଘାବଜାର ଥାନା ବାଉଁଶଗଳି ଅଞ୍ଚଳର ଛେଳି ବ୍ୟବସାୟୀ ସେକ୍ ତୌସିଫ୍ଙ୍କୁ ଗଲା ୨୯ତାରିଖ କେଶରପୁରରେ ମୁଣ୍ଡ ଜାମିନ୍ ରଖି ନିର୍ଘାତ ମାଡ଼ ମାରିଥିଲା। ଏହି ମାମଲାରେ ସକିଲ୍ ସମେତ କାଦିର, ସୋହେଲ୍, ସକିଲର ଡ୍ରାଇଭରକୁ ମିଶାଇ ୫ ଜଣ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ମୋଟ ୧୨ ଜଣ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି। ପୁଲିସ ଏହି ମାମଲାରେ କାଦିରକୁ ୩୧ ତାରିଖରେ ଗିରଫ କରିଥିବା ବେଳେ ସକିଲ ଗ୍ୟାଙ୍ଗକୁ ବାନ୍ଧିବାକୁ କଟକ କମିସନରେଟ୍ ପୁଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି। ସୋମବାର ଦିନ ପ୍ରାୟ ୨ଟା ବେଳେ ସକିଲର କେଶରପୁର ଘର ଓ ବଡ଼ି ମସଜିଦ ନିକଟରେ ଥିବା ଶ୍ବଶୁର ଘରେ ମଙ୍ଗଳାବାଗ ଥାନା ଆଇଆଇସି ଉମାକାନ୍ତ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରିଥିଲା। ସକିଲର ପତ୍ନୀ ଓ ଶାଶୂଙ୍କୁ ମଙ୍ଗଳାବାଗ ଥାନା ଆଇଆଇସି ଶ୍ରୀ ସାହୁ ପଚରାଉଚରା କରିଥିଲେ। ସକିଲ ସମ୍ପର୍କରେ କୌଣସି ସୂଚନା ମିଳିଲେ ପୁଲିସକୁ ଜଣାଇବାକୁ ସେମାନଙ୍କୁ ତାଗିଦ କରାଯାଇଛି। ସେହିଭଳି ସୂତାହାଟରେ ଥିବା ସକିଲ୍ର ଗାଡ଼ି ଡ୍ରାଇଭର୍ ପୁତୁ ଘରେ ବି ପୁଲିସ ସମାନ୍ତରାଳ ଭାବେ ଚଢ଼ଉ କରିଛି। ପୁତୁ ବି ଫେରାର ହୋଇଯାଇଛି। ଅନ୍ୟ ସହଯୋଗୀଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି। ତୌସିଫ୍ ୪୫ ହଜାର ଟଙ୍କା ବାକି ଅର୍ଥ ମାଗିବାରୁ ସକିଲ୍ ଗ୍ୟାଙ୍ଗ ଏଭଳି କାଣ୍ଡ ଘଟାଇଥିବା ଥାନାରେ ଅଭିଯୋଗ ହୋଇଛି।
Discover more from odia.bnslive.in
Subscribe to get the latest posts sent to your email.
