ଭୁବନେଶ୍ବର: ଅକ୍ଟୋବର ଆସିଲେ ମନରେ ଛନକା ପଶେ। ‘ବାତ୍ୟା’ ଆସି ସବୁ ଛାର୍ଖାର୍ କରିଦେବ ବୋଲି ଶଙ୍କା ହୁଏ। ତେବେ ପାଣିପାଗ ବିଜ୍ଞାନୀମାନେ ଏନେଇ ଆଶ୍ବସ୍ତ ରହିବାକୁ କହିଛନ୍ତି। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ, ଏବେ ଯାଏଁ ବାତ୍ୟାର କୌଣସି ସୂଚନା ମିଳିନାହିଁ। ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ। ପ୍ରତିବର୍ଷ ବଙ୍ଗୋପସାଗର ଓ ଆରବସାଗରରେ ସାଧାରଣତଃ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ। ତା’ ଭିତରେ ୩ଟି ବାତ୍ୟା ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ। ମାତ୍ର ଏ ବର୍ଷ ଏଯାଏଁ କୌଣସି ବାତ୍ୟା ବଙ୍ଗୋପସାଗର କିମ୍ବା ଆରବସାଗରରେ ସୃଷ୍ଟି ହୋଇନାହିଁ। ହେଲେ ଅକ୍ଟୋବରରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟିର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି।
କୌଣସି ସୂଚନା ନାହିଁ: ଆଇଏମ୍ଡି ଡିଜି
ଏବେଠାରୁ ଅନୁମାନ କରିହେବ ନାହିଁ: ପଶୁପାଳକ
ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅକ୍ଟୋବରରୁ ଡିସେମ୍ବର ରାଜ୍ୟରେ ଲା-ନିନା ସ୍ଥିତି ଜାରି ରହିବ। ସାମ୍ଭାବ୍ୟ ଲା-ନିନା ବାତ୍ୟାର କାରଣ ବୋଲି ଅନେକ ଭାବିଥା’ନ୍ତି। ଏହା କିଛି ମାତ୍ରାରେ ସତ। ତେବେ ବାତ୍ୟା ସୃଷ୍ଟି ପାଇଁ ଅନେକ କାରକ ଦାୟୀ। ଗତ ୨୪ ବର୍ଷର ତଥ୍ୟକୁ ବିଶ୍ଲେଷଣ କଲେ ଜଣାପଡ଼ୁଛି, ଲା-ନିନା ସମୟରେ ବଙ୍ଗେପସାଗରୀୟ ବାତ୍ୟା ସଂଖ୍ୟା ସାମାନ୍ୟ ଅଧିକ। ସୂଚନାଯୋଗ୍ୟ, ଲା-ନିନା ସମୟରେ ବଙ୍ଗୋପସାଗରରେ ୧୯୯୯ ମସିହାର ମହାବାତ୍ୟା ଓ ୨୦୨୦ର ‘ଅମ୍ଫାନ’ ଦେଖାଯାଇଥିଲା। ତେବେ ସାମୁଦ୍ରିକ ସ୍ଥିତି ଏନ୍ସୋ (ଏଲ୍-ନିନୋ ସାଉଦର୍ଣ୍ଣ ଓସିଲେସନ୍) ବ୍ୟତୀତ ଏମ୍ଜେଓ (ମାଡେନ୍ ଜୁଲିଆନ୍ ଓସିଲେସନ୍) ମଧ୍ୟ ବାତ୍ୟା ସୃଷ୍ଟି କରିବା ସହ ଏହାକୁ ଶକ୍ତିଶାଳୀ କରିଥାଏ। ଏମ୍ଜେଓ ଯେତେବେଳେ ବଙ୍ଗୋପସାଗର ଓ ଭାରତ ମହାସାଗରରେ ସକ୍ରିୟ ରୁହେ, ବାତ୍ୟା ସୃଷ୍ଟି ପାଇଁ ପରିସ୍ଥିତି ଅନୁକୂଳ ହୋଇଥାଏ। ମେଘ ଗଠନ, ବାୟୁର ଊର୍ଦ୍ଧ୍ବଗାମୀ ଗତି, ଲଘୁଚାପ ଓ ଅବପାତର ଚକ୍ରଗତି ଅଧିକ ହୋଇ ବାତ୍ୟା ସୃଷ୍ଟି ସହିତ ଶକ୍ତିଶାଳୀ ହେବା ପାଇଁ ଅନୁକୂଳ ହୋଇଥାଏ। ଅନ୍ୟପଟେ ଆଇଓଡି ନେଗେଟିଭ୍ ରହିଲେ, ବଙ୍ଗୋପସାଗରରେ ଜଳପତ୍ତନର ତାପମାତ୍ରା ବଢ଼ିଥାଏ। ସାଧାରଣତଃ ଏଲ୍-ନିନୋ ପରେ ଏହା ସଂଗଠିତ ହୋଇଥାଏ। ଏହା ବାତ୍ୟାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବଳ ଯୋଗାଇଥାଏ। ବର୍ତ୍ତମାନ ସେପ୍ଟେମ୍ବରରେ ଆଇଓଡି ନେଗେଟିଭ୍ ରହିଛି। ଅକ୍ଟୋବରରେ ମଧ୍ୟ ଏହା ନେଗେଟିଭ୍ ରହିପାରେ।
ଏହି ସବୁ ବାତ୍ୟା ସୃଷ୍ଟିକାରୀ କାରକ ଅକ୍ଟୋବରରେ କ’ଣ ରହିବ, ତାହା ଉପରେ ବାତ୍ୟା ହେବ କି ନାହିଁ, ନିର୍ଭର କରେ। ତେଣୁ ଏବେଠାରୁ ବାତ୍ୟା ଅନୁମାନ ଅମୂଳକ ବୋଲି ଡ. ପଶୁପାଳକ କହିଛନ୍ତି। ସାଧାରଣତଃ ମୌସୁମୀର ପ୍ରତ୍ୟାବର୍ତ୍ତନ ପରେ ଓ ବେଳେବେଳେ ପ୍ରତ୍ୟାବର୍ତ୍ତନ ସମୟରେ ବାତ୍ୟା ସୃଷ୍ଟି ହୋଇଥାଏ। ମୌସୁମୀ ସମୟରେ ବାତ୍ୟା ସୃଷ୍ଟି ହୋଇନଥାଏ। କାରଣ ଊର୍ଦ୍ଧ୍ବଗାମୀ ବାୟୁର ଗତିର ବେଗ ଘର୍ଷଣ ଯୋଗୁଁ କମ୍ ହୋଇଥାଏ। ଏହାସହ ମୌସୁମୀ ବାୟୁ ପ୍ରବାହ ହେତୁ ବାୟୁମଣ୍ଡଳ ଅସ୍ଥିର ହୋଇଯାଏ। ଯାହାକି ବାତ୍ୟା ପାଇଁ ଅନୁକୂଳ ନୁହେଁ। ତେବେ ପ୍ରତ୍ୟାବର୍ତ୍ତନ ସମୟରେ ମୌସୁମୀ ଟ୍ରଫ୍ ବଙ୍ଗୋପସାଗରକୁ ଲମ୍ବିଥିଲେ, ତାହା ବାତ୍ୟା ପାଇଁ ଅନୁକୂଳ ହୋଇଥାଏ। ଅକ୍ଟୋବର ୨ରୁ ୧୦ ମଧ୍ୟରେ ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ରହିଛି। ଏଣୁ ୧୦ ତାରିଖ ଭିତରେ ବାତ୍ୟା ସମ୍ଭାବନା ନାହିଁ।
Discover more from odia.bnslive.in
Subscribe to get the latest posts sent to your email.
