କାର୍ତ୍ତିକରେ ବନାନ୍ତୁ ଦହି ଆମ୍ବୁଲ; ଆମିଷ ଖାଦ୍ୟ ପଡ଼ିବେ ପଛରେ…

Creat A Revolution
           

କାର୍ତ୍ତିକ ମାସରେ ଲୋକ ସାତ୍ତ୍ବିକ ନିରାମିଷ ଖାଦ୍ୟ ଭକ୍ଷଣ କରିବାକୁ ପସନ୍ଦ କରିଥାନ୍ତି। ସାଧା ଖାଦ୍ୟରେ ଖଟା ହେଉଛି ପ୍ରଧାନ ଜିନିଷ। ଭାତ ଡାଲ୍‌ମା ସାଙ୍ଗକୁ କୌଣସି ବି ପ୍ରକାରର ଖଟା ଟିକେ ହୋଇଗଲେ ଖାଇବାର ମଜା ଆସିଯାଏ। ସେଥିପାଇଁ ଆଜି ଆମେ ଜାଣିବା ଏକ ଖଟା ରେସିପି। ରେସିପିର ନାମ ‘ଦହି ଆମ୍ବୁଲ’।

ଦହି, ଆମ୍ବୁଲ, ଶୋରିଷ, କଞ୍ଚା ଲଙ୍କା, ସୁଖିଲା ଲଙ୍କା, ଅଦା, ଶୋରିଷ ତେଲ, ପଞ୍ଚଫୁଟଣ, ନଡ଼ିଆ, ଆମ୍ବକଷିଆ ଅଦା, ଭ୍ରୁଷଙ୍ଗ ପତ୍ର, ଚାଟ୍‌ ମସଲା, ହେଙ୍ଗୁ, ଲଙ୍କାଜିରା ଗୁଣ୍ଡ, ଧନିଆ ପତ୍ର, ଲୁଣ, ଚିନି, ପାଣି।

ଦହି ଆମ୍ବୁଲ ବନାଇବା ପାଇଁ ଆମକୁ ପ୍ରଥମେ ଆମ୍ବୁଲକୁ ଏକ ପାତ୍ରରେ ପାଣି ଦେଇ ଅଧଘଣ୍ଟାରୁ ଅଧିକ ସମୟ ଭିଜାଇ ଦେବା। ତା’ପରେ ବେସର ପ୍ରସ୍ତୁତ କରିବାକୁ ପଡ଼ିବ। ବେସର ପ୍ରସ୍ତୁତ କରିବା ପାଇଁ ‌ନେବା ଗୋଟେ କି ଦେଢ଼ ଚାମଚ୍‌ ଶୋରିଷ, ଗୋଟାଏ କଞ୍ଚାଲଙ୍କା, ଛୋଟ ଖଣ୍ଡ ଅଦା, ଅଳ୍ପ ଟିକେ ନଡ଼ିଆ କୋରା। ଏସବୁକୁ ମିଶାଇ ବାଟିକି ରଖିଦେବା। ତା’ପରେ ଆଣିବା ଦୁଇ କପ୍‌ ଦହି। ଦହିରେ ବେସରକୁ ମିଶାଇବା। ସେଥିରେ ସ୍ବାଦ ମୁତାବକ, ଚିନି, ଲୁଣ, ଚାଟ୍‌ ମସଲା, ଆମ୍ବକଷିଆ ଅଦା କୋରା, ଧନିଆ ପତ୍ର, ଲଙ୍କାଜିରା ଗୁଣ୍ଡ ଓ ସାମାନ୍ୟ ପାଣି ମିଶାଇ ଗୋଳାଇ ଥୋଇଦେବା।

ଦେଖିବା ଆମ୍ବୁଲ ଯଦି ଭଲ କରି ବତୁରି ଯାଇଛି ତେବେ ତାହାକୁ ଟିକେ ଚକଟି ଦେଇ ଉକ୍ତ ମିଶ୍ରଣରେ ମିଶାଇବା। ସବୁ କିଛି ମିଶାଇ ସାରିବା ପରେ ଫୁଟଣ କାମ। ଫୁଟଣ ପାଇଁ କଡ଼େଇରେ ଟିକେ ଶୋରିଷ ତେଲ ନେବା। ତେଲ ତାତିବା ପ‌ରେ ସେଥିରେ ୨ଟି ସୁଖିଲା ଲଙ୍କା ପକାଇବା। ତା’ପରେ ସେଥିରେ ଦେବା ପଞ୍ଚଫୁଟଣ। ଫୁଟଣ ଭାଜି ହେବା ପରେ ସାମାନ୍ୟ ଅଦା ଘୋରି ଦେଇ ହେଙ୍ଗୁ ଟିକେ ପକାଇବା ଓ ଶେଷରେ ପକାଇବା ଭ୍ରୁଷଙ୍ଗ ପତ୍ର। ବଢ଼ିଆ ଛୁଙ୍କଟେ ହେବା ପରେ ତାହାକୁ ଆମେ ଆମ୍ବୁଲ ମିଶ୍ରିତ ହଦିରେ ଢାଳି ଦେଇ ଗୋଳେଇ ଦେବା। ୨୦ ମିନିଟ୍‌ ପର୍ଯ୍ୟନ୍ତ ବାହାରେ ରଖି ତା’ପରେ ଫ୍ରିଜ୍‌‌ରେ ରଖିଦେବା। ସେହି ଦହି ଆମ୍ବୁଲକୁ ଆପଣ ସପ୍ତାହେ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଖାଇଲେ ବି ତାହା ଖରାପ ହେବ ନାହିଁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading