ନବୀନ ନିବାସରେ ଚାଲିଛି କସରତ୍‌: ପାଣ୍ଡିଆନଙ୍କ ମିଛକୁ ‘ପିଏସି’ର ମୋହର, ସୁଜାତାଙ୍କ ଏଂଟ୍ରି ପାଇଁ ନେତାଙ୍କ ଲବି

Creat A Revolution
           

ନୂଆପଡ଼ା ଉପନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ନବୀନ ନିବାସରେ ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ବୈଠକ ଅନୁଷ୍ଠିତ ହୋଇଛି ।  ଜିଲ୍ଲା ବାହାରୁ ପ୍ରାର୍ଥୀ ଦେବା, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଚାରରେ ନେବା ଓ ଅନ୍ୟାନ୍ୟ ତ୍ରୁଟିପୂର୍ଣ୍ଣ ରଣନୀତି ପାଇଁ ନୂଆପଡ଼ାରେ ଦଳର ବିପର୍ଯ୍ୟୟ ଘଟିଲା ବୋଲି ସ୍ୱୀକାର କରିବା ପରିବର୍ତ୍ତେ ଦଳୀୟ ନେତାମାନେ ଏବେ ଆତ୍ମରକ୍ଷା ମୋଡରେ ରହିଥିବା ଆଜି ପୁଣିଥରେ ପ୍ରମାଣିତ ହୋଇଛି । ନୂଆପଡ଼ାର ତ୍ରୁଟିକୁ ନବୀନଙ୍କ ଆଗରେ ଲୁଚାଇବା ପାଇଁ ପିଏସି ବୈଠକରେ ବେଶ୍ କସରତ ହୋଇଥିଲା ଓ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଦଳର ପରାଜୟର ଯେଉଁ ‘ମିଛ ନାଟକ’ ଲେଖିଥିଲେ ତାକୁ ନବୀନଙ୍କ ଆଗରେ ପିଏସି ସଦସ୍ୟମାନେ ମୋହର ମାରିଥିବା ଚର୍ଚ୍ଚା ହେଉଛି ।  ଏପଟେ ବିଗତ ଦୁଇଦିନ ଧରି ଦଳର ନେତାମାନଙ୍କୁ ନବୀନ ନିବାସ ଡକାଯାଇ ପାଣ୍ଡିଆନ ଦମ୍ପତିଙ୍କ ସପକ୍ଷରେ ନବୀନଙ୍କ ପାଖରେ ଓକିଲାତି କରାଯାଉଥିବା ମଧ୍ୟ ଜଣାପଡ଼ିଛି ।

ପାଣ୍ଡିଆନଙ୍କ ରଣନୀତିକ ବିଫଳତାକୁ ଲୁଚାଇଲା ‘ପିଏସି’

ଆଜି ସନ୍ଧ୍ୟାରେ ଦଳର ପିଏସି ବୈଠକ ପରେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶାସକ ବିଜେପି ବାହୁବଳ, ଅଥର୍ବଳ ଏବଂ ସରକାରୀ କଳର ଅପବ୍ୟବହାର କରି ନିର୍ବାଚନ ଜିତିଛି । ଇଭିଏମ୍  ମେସିନରେ କାରସାଦି କରାଯାଇଥିବା ଏବଂ ବୁଥଗୁଡ଼ିକରେ ଲୋକଙ୍କୁ ଭୋଟ୍ ଦେବାକୁ ସୁଯୋଗ ଦିଆନଯାଇ ଜୋରଜବରଦସ୍ତି ବିଜେଡି ଭୋଟକୁ ନିଜ ସପକ୍ଷରେ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତ । ନୂଆପଡ଼ାର ପ୍ରାୟ ୬୩ଟି ବୁଥରେ ଭୋଟ୍ ରିଗିିଂ ହୋଇଛି ଓ ଖୁବଶୀଘ୍ର ଦଳ ପକ୍ଷରୁ ‘ବୁଥ୍ ୱାରି ଯାଂଚ’ କରି ନିର୍ବାଚନ କମିଶନଙ୍କ ପାଖରେ ମଧ୍ୟ ଏନେଇ ଅଭିଯୋଗ କରାଯିବ ବୋଲି କହିଛନ୍ତି । ବୈଠକରେ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ମଧ୍ୟ ଆଲୋଚନା ହୋଇଛି । ଆଗାମୀ ଦିନରେ ଛାତ୍ର, ମହିଳା ଏବଂ ଯୁବ ସଂଗଠନକୁ ଅଧିକ ସୁଦୃଢ଼ କରାଯିବ । ଏଥିପାଇଁ ତୁରନ୍ତ ଜିଲ୍ଲା ଏବଂ ବ୍ଲକ୍ କମିଟି ବୈଠକ ଡକାଯିବ । ବିଜେଡି ପୂର୍ବରୁ ଯେଭଳି ଶକ୍ତିଶାଳୀ ଥିଲା, ଭବିଷ୍ୟତରେ ମଧ୍ୟ ସେହିଭଳି ରହିବ ବୋଲି ପ୍ରମିଳା କହିଛନ୍ତି ।

ପାଣ୍ଡିଆନଙ୍କ ସ୍କ୍ରିପ୍ଟ , ନବୀନଙ୍କ ପ୍ରଶ୍ନ

ଅନ୍ୟପକ୍ଷରେ ବିଜେଡି ସୂତ୍ର ଅନୁସାରେ, ବୈଠକରେ ବିଜେପିର ଅର୍ଥବଳ ଓ ଇଭିଏମ୍ ଟାମ୍ପରିଂ ଯୋଗୁ ବିଜେଡି ପ୍ରାର୍ଥୀ ପରାଜିତ ହେଲେ ଏବଂ ନବୀନଙ୍କ ପ୍ରଚାର ସତ୍ତ୍ୱେ ଭୋଟ୍ ଶାସକ ଦଳ ପାଖକୁ ପଳାଇଲା ବୋଲି ପିଏସି ସଦସ୍ୟମାନେ ନବୀନଙ୍କ ଆଗରେ ମତ ରଖିଥିଲେ । କିନ୍ତୁ ସ୍ନେହାଙ୍ଗିନୀ ଛୁରିଆଙ୍କ ଭଳି ଜିଲ୍ଲା ବାହାରର ନେତ୍ରୀଙ୍କୁ ପ୍ରାର୍ଥୀ କରିବା, ଶେଷମୁହୂର୍ତ୍ତରେ ଆବଶ୍ୟକ ପରିମାଣର ଅର୍ଥ ଖର୍ଚ୍ଚ କରାନଯିବା ପ୍ରସଙ୍ଗରେ କେହି ନବୀନଙ୍କ ପାଖରେ ମୁହଁ ଖୋଲିନଥିଲେ । ତେବେ ବିଜେଡି ତୁଳନାରେ କମ୍ ଅର୍ଥ ଖର୍ଚ୍ଚ କରି କଂଗ୍ରେସର ଘାସିରାମ ମାଝୀ କିଭଳି ଦ୍ୱିତୀୟ ସ୍ଥାନରେ ରହିଲେ ସେକଥା ନବୀନ ପ୍ରଶ୍ନ କରିବା ସହ କୋମନା ଦାୟିତ୍ୱରେ ଥିବା ବରିଷ୍ଠ ନେତା ପ୍ରଣବପ୍ରକାଶ ଦାସ(ବବି) ଓ ନୂଆପଡ଼ା ଦାୟିତ୍ୱରେ ଥିବା ନିରଞ୍ଜନ ପୂଜାରୀଙ୍କ ଉପରେ କ୍ଷୁବ୍ଧ ହୋଇଥିବା ସୂଚନା ମିଳିଛି । ପାଣ୍ଡିଆନଙ୍କ ସ୍କ୍ରିପ୍ଟ ଆଧାରରେ ନବୀନ ସବୁ ଜାଣିଥିବା ଭଳି ପିଏସି ନେତାମାନଙ୍କ ଆଗରେ ଆଚରଣ କରିଥିଲେ ବୋଲି ଜଣାପଡ଼ିଛି । ଆଜିର ବୈଠକ ମୁଖ୍ୟତଃ ନୂଆପଡ଼ା ଉପନିର୍ବାଚନକୁ ନେଇ ପାଣ୍ଡିଆନଙ୍କ ତ୍ରୁଟିପୂର୍ଣ୍ଣ ରଣନୀତିର ଦୋଷକୁ ପିଏସି ଉପରେ ଲଦିବା ଓ ନବୀନଙ୍କ ଆଗରେ ତାଙ୍କ ମିଛକୁ ମୋହର ମାରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଚର୍ଚ୍ଚା ହେଉଛି।

ସୁଜାତାଙ୍କ ଏଂଟ୍ରି ପାଇଁ ନବୀନ ନିବାସରେ କସରତ୍‌

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ମଙ୍ଗଳବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ନିଜର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଛନ୍ତି । ବାର୍ଦ୍ଧକ୍ୟଜନିତ ଶାରୀରିକ ଅସୁସ୍ଥତା ଓ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ନବୀନ ବିଶ୍ରାମ ନେଉଥିବାବେଳେ ଦଳୀୟ ନେତାମାନଙ୍କୁ ନବୀନ ନିବାସ ଡକାଇ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ବିଜେଡିରେ ଏଂଟ୍ରି ପାଇଁ ଏବେ ମାହୋଲ ପ୍ରସ୍ତୁତ କରାଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଦଳର ନେତାମାନେ ଯେଭଳି ଭାବେ ବିଗତ ଦୁଇ-ତିନିଦିନ ଧରି ନବୀନ ନିବାସକୁ ଯାଉଛନ୍ତି ଏବଂ ନବୀନଙ୍କ ପାଖରେ ସଂଗଠନରେ ପାଣ୍ଡିଆନ ଦମ୍ପତିଙ୍କ ଏଂଟ୍ରି ପାଇଁ ଓକିଲାତି କରୁଛନ୍ତି ସେଥିରୁ ଏଭଳି ପ୍ରାୟୋଜିତ ଭେଟଘାଟ ଦଳୀୟ ମହଲରେ ସନ୍ଦେହ ବଢ଼ାଇଛି । ଡିସେମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ସୁଜାତାଙ୍କୁ ବିଜେଡିରେ ସାମିଲ କରି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦେବା ପାଇଁ ଏହି ମାହୋଲ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି । ଦଳର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କୁ ନବୀନ ନିବାସ ଡକାଯାଇ ଏସବୁ କସରତ ହେଉଥିବା ଜଣାପଡ଼ିଛି । ଦଳର ପ୍ରାୟ ୮ଜଣ ବିଧାୟକ ସଂଘବଦ୍ଧ ହୋଇ ନବୀନ ନିବାସ ଯାଇ ପାଣ୍ଡିଆନଙ୍କ ଦମ୍ପତିଙ୍କ ହାତରେ ସଂଗଠନ ଦାୟିତ୍ୱ ଦେବାକୁ ନବୀନଙ୍କ ପାଖରେ ଲବି କରିଥିବା ସୂଚନା ମିଳିଛି । ସବୁ ବିଧାୟକମାନଙ୍କ ଉପସ୍ଥିତିରେ ପାଣ୍ଡିଆନ ଦମ୍ପତିଙ୍କ ସପକ୍ଷରେ ନବୀନଙ୍କ ନିକଟରେ ଖୋର୍ଦ୍ଧା ଜିଲ୍ଲାର ଜଣେ ବିଧାୟକ ଓକିଲାତି କରିଥିଲେ । ଏହି ବିଧାୟକମାନଙ୍କ ମଧ୍ୟରେ ଧ୍ରୁବ ସାହୁ, ସୁଦର୍ଶନ ହରିପାଲ, ଶାରଦା ଜେନା, ପ୍ରଦୀପ ସାହୁ ପ୍ରମୁଖ ରହିଥିବା ଜଣାପଡ଼ିଛି । ସେହିପରି ଦଳର ପୂର୍ବତନ ବିଧାୟକଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ନବୀନଙ୍କୁ ଭେଟିଛନ୍ତି । ଅତନୁ ସବ୍ୟସାଚୀ ନାୟକ, ଦେବେଶ ଆଚାର୍ଯ୍ୟ, ଭୃଗୁ ବକ୍ସିପାତ୍ର, ଚିରଞ୍ଜିବି ବିଶ୍ୱାଳ ପ୍ରମୁଖ ୮ରୁ ୧୦ଜଣ ବରିଷ୍ଠ ନେତା ଦୁଇଦିନ ତଳେ ନବୀନଙ୍କୁ ଭେଟିଥିବା ସୂଚନା ମିଳିଛି । କଟକ ଓ ଭୁବନେଶ୍ୱର ମେୟରଙ୍କୁ ମଧ୍ୟ ନବୀନ ନିବାସ ଡକାଯାଇଥିବା ଜଣାପଡ଼ିଛି । ଏସବୁ କେବଳ ପାଣ୍ଡିଆନ ଦମ୍ପତିଙ୍କୁ ପୁଣିଥରେ ଆନୁଷ୍ଠାନିକ ଭାବେ ଦଳୀୟ ସଂଗଠନରେ ସକ୍ରିୟ ଭୂମିକାରେ ସାମିଲ କରିବା ପାଇଁ କସରତ ବୋଲି ଚର୍ଚ୍ଚା ହେଉଛି ।

ଶ୍ରୀମୟୀଙ୍କ ଆକଳନ ସତ ହେବ କି?

ଆଜି ପିଏସି ବୈଠକ ଏବଂ ବିଗତ ଦୁଇଦିନ ଧରି ଦଳର ନେତାମାନେ ଯେଭଳି ଭାବେ ନବୀନ ନିବାସ ଯାତାୟତ କରୁଛନ୍ତି ସେଥିରୁ ଏଭଳି ଆଭାସ ମିଳିବାରେ ଲାଗିଛି । ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର ଗତ ସପ୍ତାହରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ବିଜେଡିରେ ଏଂଟ୍ରିକୁ ନେଇ ଆକଳନ କରିଥିଲେ । ଆଜି ପିଏସି ବୈଠକରେ ନୂଆପଡ଼ା ଉପନିର୍ବାଚନ ସମୀକ୍ଷା ଆଳରେ ଦଳର ବିପର୍ଯ୍ୟୟର ଦୋଷ ପିଏସି ମୁଣ୍ଡରେ ସୁଚିନ୍ତିତ ଢଙ୍ଗରେ ଲଦି ଦିଆଯାଇଥିବା ଚର୍ଚ୍ଚା ହେଉଛି ।  ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ସମେତ ପିଏସିର ସଦସ୍ୟ ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ପ୍ରଣବପ୍ରକାଶ ଦାସ, ସୁଦାମ ମାର୍ଣ୍ଡି ପ୍ରମୁଖ ପିଏସି ବୈଠକରେ ଉପସ୍ଥିତ ଥିଲେ । ଦଳର ସଂଗଠନକୁ ସୁଦୃଢ଼ ପାଇଁ ଯେଭଳି ଚର୍ଚ୍ଚା ହେଲା ତାହା ପରୋକ୍ଷରେ ପାଣ୍ଡିଆନ ଦମ୍ପତିଙ୍କ ଆନୁଷ୍ଠାନିକ ଏଂଟ୍ରି ମାର୍ଗ ପ୍ରଶସ୍ତ କରୁଥିବା ବିଜେଡି ସୂତ୍ରରୁ ଜଣାପଡ଼ିଛି । 


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading