କଟକ : ଓଡ଼ିଶା ମାଟିରୁ ମାଓବାଦୀଙ୍କୁ ଚେତାବନୀ ଦେବା ସହ ମାଓମୁକ୍ତ ଭାରତର ସ୍ବପ୍ନ ପୂରଣ ହେବା ନେଇ ପୁଣି ଥରେ ସ୍ବର ଶାଣିତ କଲେ ଶାହ । ଦେଶରୁ ମାଓବାଦୀ ଲୋପ ପାଉଛନ୍ତି ଆଉ ଆଗାମୀ ୨୫ ଦିନ ଭିତରେ ଭାରତ ମାଓ ମୁକ୍ତ ହେବା ନେଇ ସେ ଦମ୍ଭ ଦେଖାଇଛନ୍ତି । ନକ୍ସଲବାଦର ମୂଳପୋଛ ଏବଂ ମାଓବାଦୀ ସଫା ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ମୋଦୀ ସରକାର ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ଦେଶକୁ ନକ୍ସଲବାଦ ମୁକ୍ତ କରିବାକୁ ସଂକଳ୍ପବଦ୍ଧ । ମାଓମୁକ୍ତ ଭାରତ ପାଇଁ ଅଭିଯାନ ଜୋରଦାର ଚାଲିଛି ଏବଂ CISF ଏହି ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଓଡ଼ିଶା, ଛତିଶଗଡ଼ କିମ୍ବା ତେଲେଙ୍ଗାନା, CISF ନକ୍ସଲବାଦକୁ ଦୂର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ଆମର ସୁରକ୍ଷା ବାହିନୀ ତିରୁପତିରୁ ପଶୁପତି ପର୍ଯ୍ୟନ୍ତ ଲାଲ କରିଡରର ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ପରାସ୍ତ କରିଛନ୍ତି । ଏହା ଆମ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା । ତେବେ ଦିନିକିଆ ଓଡ଼ିଶା ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ବିମାନ ବନ୍ଦରରେ ଗୃହମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେ କଟକ ମୁଣ୍ଡଳିରେ ପହଞ୍ଚିଛନ୍ତି । ସେଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ସାମିଲ ହୋଇଛନ୍ତି । ସେଥିରେ ସେ କହିଛନ୍ତି ନକ୍ସଲ ମୁକ୍ତରେ CISFର ବଡ଼ ଅବଦାନ । ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ CISFର ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ । ସମୟ ସହିତ ନିଜକୁ ଗଢ଼ିଛି CISF । ଦେଶର ସୁରକ୍ଷାରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ । ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ବୋଲି କହିଛନ୍ତି ଶାହ । CISF ହାତରେ ସୁରକ୍ଷିତ ରହିଛି ଦେଶର ବନ୍ଦର । ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ଲକ୍ଷ୍ୟ ରହିଛି। ନକ୍ସଲମୁକ୍ତ ଅଭିଯାନରେ ସୁରକ୍ଷାବଳଙ୍କ ଭୂମିକା ଅନନ୍ୟ । CISF ଯବାନ କଠିନ ପରିସ୍ଥିତିରେ କର୍ତ୍ତବ୍ୟପାଳନ କରିଆସୁଛନ୍ତି । କଟକ ପରେ ପାରଦୀପ ଗସ୍ତ କରିବେ ଶାହ। ସେଠାରେ ୧ଟା ୪୫ ମିନିଟରେ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟର ଲୋକାର୍ପଣ କରିବେ। ପାରାଦୀପରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ବର ଫେରିବେ ଗୃହ ମନ୍ତ୍ରୀ । ଭୁବନେଶ୍ୱରରେ ଜାତୀୟ ଫୋରେନସିକ୍ ସାଇନ୍ସ ୟୁନିଭର୍ସିଟି (NFSU) ର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିବେ। ଏହା ସହିତ ଏହାର ଅସ୍ଥାୟୀ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିବେ ।
ଏହି ବିଶ୍ୱବିଦ୍ୟାଳୟ ପାଇଁ ଓଡ଼ିଶା ସରକାର ୪୦ ଏକର ଜମି ଯୋଗାଇ ଦେଇଛନ୍ତି । ସେ କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) ର ମଧ୍ୟ ଭୂମି ପୂଜନ କରିବେ । ଭୁବନେଶ୍ୱରରେ ନୂଆ ନ୍ୟାୟ ସଂହିତା ଉପରେ ଏକ ପ୍ରଦର୍ଶନୀର ଉଦଘାଟନ କରିବା ସହ ଏକ ମୋବାଇଲ୍ ଫୋରେନସିକ୍ ଭ୍ୟାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ସହ ଭର୍ଚୁଆଲ୍ ମାଧ୍ୟମରେ ଅନେକ ନୂଆ ଥାନା ବିଲଡିଂର ଉଦଘାଟନ କରିବେ । ଏହି ଅବସରରେ IIT ଭୁବନେଶ୍ୱର ଏବଂ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହେବ । ସଂଧ୍ୟାରେ ଦିଲ୍ଲୀ ଫେରିଯିବେ । ଶାହଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାପରେ ସରକାରୀ କାର୍ଯ୍ୟକ୍ରମ ସାରି ଦଳୀୟ କାର୍ଯ୍ୟାଳୟ ଆସିବେ ଶାହ । ରାଜ୍ୟ ସଙ୍ଗଠନ ବାବଦରେ ନେତାଙ୍କ ସହ କରିବେ ଆଲୋଚନା ।
ଏହି ସମୟରେ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦଳର ତୁଙ୍ଗ ନେତା ମାନେ ଉପସ୍ଥିତ ରହିବେ ରାଜ୍ୟ କାର୍ଯ୍ୟାଳୟରେ ଶାହ ପ୍ରାୟ ୧ ଘଣ୍ଟା ରହିବେ । ସେଠାରୁ ଫେରି ଭୁବନେଶ୍ବରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀରେ ସାମିଲ ହେବେ। ସଂଧ୍ୟାରେ ଦିଲ୍ଲୀ ଫେରିଯିବେ ।
