ଅଲୋଡା ହେଲା ନବଜାତ ଶିଶୁ ପୁତ୍ର । ଜଙ୍ଗଲ ଭିତରୁ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ଜଣେ ମହିଳା । ଜଙ୍ଗଲକୁ କାଠ ସଙ୍ଗ୍ରହ ପାଇଁ ଯାଇଥିବା ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣିବା ପରେ ଉଦ୍ଧାର କରି ଘରକୁ ଆଣିଥିଲେ । ଦେବଗଡ ଜିଲ୍ଲା ସୀମାନ୍ତ ଜମନକିରା ଥାନା କସଡା ଗାଁ ନିକଟ ଜଙ୍ଗଲ ମଧ୍ୟରୁ ଗତକାଲି ସକାଳୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା । କସଡା ଗ୍ରାମର ସୁନୀତା ନାୟକ ଶିଶୁପୁତ୍ରକୁ ଉଦ୍ଧାର କରି ଘରକୁ ଆଣିଥିଲେ । ପରେ ଶିଶୁପୁତ୍ରର ଲାଳନପାଳନ ପାଇଁ ଦେବଗଡ ଜିଲ୍ଲା ଲଇମୁରା ଥାନା କଂସର ଗ୍ରାମରେ ଥିବା ତାଙ୍କ ଭଉଣୀ ସୁସ୍ମିତା ନାୟକଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଦେବଗଡ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆଜି ଖବର ପାଇ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି । ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଏସଏନସିୟୁରେ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଶିଶୁପୁତ୍ରକୁ ଆଶ୍ରୟ ଦେଇଥିବା ମହିଳାଙ୍କ କୋଳରୁ ଶିଶୁ ସୁରକ୍ଷା ବିଭାଗ ଶିଶୁକୁ ନେଇ ଆସିବା ପରେ ଡାକ୍ତରଖାନାରେ ସୁସ୍ମିତା ବାରମ୍ବାର ଅଚେତ ହୋଇ ପଡୁଥିବା ଦେଖାଯାଇଥିଲା । ଉଦ୍ଧାର ହୋଇଥିବା ଶିଶୁପୁତ୍ରକୁ ସେ ପୁଅ କରି ରଖିବା ପାଇଁ ସୁସ୍ମିତା ଦାବି କରିଥିଲେ ।
ଅନ୍ୟପଟେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଏବେ ଶିଶୁର ଚିକିତ୍ସା ଜାରି ରହିଛ ଏବଂ ସେ ସୁସ୍ଥ ଅଛି । ଚିକିତ୍ସା ପରେ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଯିବ । ଉପଯୁକ୍ତ ପ୍ରମାଣପତ୍ର ସହିତ ଶିଶୁପୁତ୍ରର ହେି ଦାବିଦାର ଆସିଲେ ତାଙ୍କୁ ହସ୍ତାନ୍ତର କରାଯିବ । ନହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ପୌଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ଶିଶୁପୁତ୍ରକୁ ସାମିଲ କରାଯିବ। ହେଲେ ଏମିତି ଦେଖିବାକୁ ମିଳେ ଯେ ଶିଶୁ କନ୍ୟା ଜନ୍ମ ହୋଇଥିଲେ କେହି କେହି ଅଳିଆ ଗଦାରେ କିମ୍ବା ଜଙ୍ଗଲରେ ଫିଙ୍ଗି ଦିଅନ୍ତି । ଏନେଇ ଅନେକ ବାର ଖବର ପରିବେଷଣ କରାଯାଏ । ପୁଅ ଝିଅ ମଧ୍ୟରେ ଭେଦ ଭାବ ନରଖିବାକୁ କୁହାଯାଏ । ହେଲେ ଶିଶୁପୁତ୍ର ଜନ୍ମ ହେବା ପରେ ଏମିତି ଫିଙ୍ଗିବା ଘଟଣାକୁ ନେଇ କୌଣସି କାରଣ ଜଣାପଡିନାହିଁ ।
Discover more from odia.bnslive.in
Subscribe to get the latest posts sent to your email.