ଭୁବନେଶ୍ବର : ଆଜି ବିଧାନସଭା ପାଇଁ ରାଷ୍ଟ୍ରପତିଙ୍କ ସମ୍ବୋଧନ ଯେ ଖାଲି ଐତିହାସିକ ଆଉ ଅଭୁଲା ବୋଲି କହି ହେବନି ବରଂ ଅନେକ ଚିତ୍ର ଆଜିର ଦିନକୁ ସ୍ମରଣୀୟ କରିବା ସହ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅଧ୍ୟାୟରେ ଲେଖା ହୋଇ ଚିର କାଳ ପାଇଁ ରହିବ । ତାହା ଭିତରୁ ଗୋଟିଏ ହେଉଛି ମହାମହିମଙ୍କ ମହନୀୟତା । ବିଧାନସଭା ପରିସରରେ ରାଷ୍ଟ୍ରପତି ଯେମିତି ସବୁ ପ୍ରୋଟୋକଲକୁ ଭାଙ୍ଗି ନିଜର ସଂସ୍କାର, ନିଜର ବ୍ୟବହାର ନିଜର ବଡ଼ପଣ ଦେଖାଇଥିଲେ ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମ୍ବିଧାନିକ ପଦ ପଦବୀ ଅନୁସାରେ ଦେଶର ପ୍ରଥମ ନାଗରିକ ହେଲେ ମଧ୍ୟ ସେ ଯେ ଉତ୍କଳ ମାଟିର ସୁପୁତ୍ରୀ, ଏ ମାଟିର ଝିଅ ତାହା ସେ କେବେ ଭୁଲି ନାହାନ୍ତି । ସିଏ ଆଗରୁ ନିଜ ମାଟିକୁ ଯେମିତି ଭଲପାଉଥିଲେ ଆଜି ବି ମାଟି ସହ ସେମିତି ଭଲପାଇବାର ସହ ଯୋଡ଼ି ହେଇ ରହିଛନ୍ତି। ତାହା ଆଜି ପୁଣି ଥରେ ସେ ପ୍ରମାଣିତ କରି ଦେଖାଇଛନ୍ତି ।

ମାଟିର ଝିଅ ମହାମହିମ

ଦେଶର ପ୍ରଥମ ନାଗରିକ ହେଉଛନ୍ତି ଆମ ମାଟିର ଝିଅ । ଆଉ ଦେଶର ପ୍ରଥମ ନାଗରିକ ହୋଇ ବି ସବୁ ପ୍ରୋଟୋକଲକୁ ଭୁଲି ଆଜି ସିଏ ବିଧାନସଭା ପରିସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମଥାନତ ହୋଇ ନମସ୍କାର କରିଥିଲେ । ଦେଶର ସର୍ବୋଚ୍ଚ କ୍ଷମତାରେ ଥାଇ ବି ଜଣଙ୍କୁ ଅହଙ୍କାର ଛୁଇଁନାହିଁ ଆଉ ସିଏ ସେସବୁରୁ ବହୁ ଦୂରରେ ବୋଲି ପୁଣି ଥରେ ପ୍ରମାଣିତ କରିବା ସହ ସବୁବେଳେ ନିଜ ମାଟି ଏବଂ ନିଜ ମାଟିର ମଣିଷମାନଙ୍କ ପାଖରେ ନମ୍ରତାର ସହ ବ୍ୟବହାର ଦେଖାଇବା ଉଚିତ ବୋଲି ମହାମହିମ ନିଜ ଆଚରଣରେ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ । ଯାହା ଇତିହାସ ମନେ ରଖିଥିବ। ଖାଲି ତାଙ୍କ କାମ, ଆଚରଣ, ଉଚ୍ଚାରଣ ଆଉ ବାଣୀ ନୁହେଁ ବରଂ ତାଙ୍କ ମହନୀୟତା ସମସ୍ତଙ୍କ ପାଇଁ ସବୁଦିନ ପ୍ରେରଣାଦାୟୀ ହୋଇ ରହିବ… ଗୋଟିଏ ଫଟୋରେ ନବୀନଙ୍କୁ ମୁଣ୍ଡିଆ ମାରୁଥିବା ବେଳେ ଅନ୍ୟ ଏକ ଫଟୋରେ ନବୀନ ପ୍ରତି ନମସ୍କାର କରୁଥିବା ବେଳେ ମହାମହିମ ତାଙ୍କ ହାତକୁ ଧରିବା ପାଇଁ ଉଦ୍ୟତ ହେଉଛନ୍ତି । ଯଦିଓ ମହାମହିମ ପଦ ପଦବୀରେ ବଡ ମାତ୍ର ନବୀନ ଯେ ତାଙ୍କ ଠାରୁ ବୟସରେ ବଡ଼ ଏବଂ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସିଏ ଦିନେ ମନ୍ତ୍ରୀ ଥିଲେ ତାହା ସେ କେବେ ଭୁଲି ନାହାନ୍ତି ତେଣୁ ତ ଚିରନମସ୍ୟ ନବୀନଙ୍କୁ ରାଷ୍ଟ୍ରପତି ହୋଇ ବି ମଥା ନୁଆଁଇ ନମସ୍କାର କରିଛନ୍ତି । ସତରେ ରାଜନୀତି ଠାରୁ ଶ୍ରଦ୍ଧା,ସମ୍ମାନ ସବୁବେଳେ ଉପରେ…
ନବୀନଙ୍କୁ ଭାଇ ବୋଲି ଡାକନ୍ତି ରାଷ୍ଟ୍ରପତି…
୨୦୨୨ର କଥା । ଦ୍ରୌପଦୀ ମୁର୍ମୁଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏନଡିଏ ଯେତେବେଳେ ଘୋଷଣା କଲା ଆଉ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବାକୁ ବିଜେଡି ସୁପ୍ରିମୋ କହିଥିଲେ ଠିକ୍ ତାପରେ ପରେ ପ୍ରଥମ ଥର ପାଇଁ ଓଡିଶାକୁ ଆସିଥିବା ଦ୍ରୌପଦୀଙ୍କୁ ସ୍ୱାଗତ କରିଥିଲେ ନବୀନ । ନବୀନଙ୍କୁ ଭେଟି ଭାବବିହ୍ୱଳ ହୋଇପଡିଥିଲେ ଦ୍ରୌପଦୀ ମୁର୍ମୁ । ନବୀନଙ୍କୁ ଭାଇ ବୋଲି ସମ୍ବୋଧନ କରିଥିଲେ । ଆଉ ରାଷ୍ଟ୍ରପତି ସେବେ କହିଥିଲେ- ରାଖି ବାନ୍ଧିଥିଲି, ରାଖିର ପାଉଣା ମାଗିବା ପୂର୍ବରୁ ଭାଇ ଉପହାର ଦେଇଦେଲେ । ଆଉ ଆଜି ବିଧାନସଭାରେ ନବୀନଙ୍କୁ ଦେଖି ତାଙ୍କ ଆଗରେ ମଥାନତ ହୋଇ ନମସ୍କାର କରିଥିଲେ ।

ଧର୍ମେନ୍ଦ୍ରଙ୍କ ହାତ ଧରିଲେ ନବୀନ
ବିଧାନସଭା ପରିସରରେ ଆଜି ଆଉ ଏକ ଚିତ୍ର ବେଶ ଗୁରୁତ୍ବ ବହନ କରିଛି ଆଉ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାହା ହେଉଛି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ । ପାଖାପାଖି ବସି ନବୀନ ଓ ଧର୍ମେନ୍ଦ୍ର କଥା ହେଉଥିବାର ଦେଖିବାକୁ ମିଳିଛି । ଧର୍ମେନ୍ଦ୍ରଙ୍କ ହାତ ନବୀନ ଧରିଛନ୍ତି ଆଉ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସହ ଭାବର ଆଦାନପ୍ରଦାନ କରୁଛନ୍ତି । ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ହେଉଛି । କେହି କେହି ଏହା ରାଜନୀତିରୁ ବହୁ ଉର୍ଦ୍ଧ୍ବରେ ବୋଲି କହୁଥିବା ବେଳେ କେହି କେହି ଏହାକୁ ଶ୍ରଦ୍ଧା, ସମ୍ମାନ, ସଂସ୍କାରର କଥା ବି କହୁଛନ୍ତି ।
