ଅଗରତାଲା -:
ଘଟଣାର ରିପୋର୍ଟରୁ ପ୍ରକାଶ, ମୋହନପୁର ଉପଖଣ୍ଡର କାଲିବଜାର ନିବାସୀ ଆକାଶ ସରକାର ଗତ ମାସରେ ନିଖୋଜ ହୋଇ ଯାଇଥିଲେ। ପରେ, ଜୁନ୍ ୩ ତାରିଖରେ, ପଶ୍ଚିମ ଅଗରତାଲା ପୁଲିସ ଷ୍ଟେସନ ଅଧୀନରେ ମେଲାରମାଥ ନିକଟରେ ଥିବା ଏକ ହ୍ରଦରେ ଏକ ଗଳିତ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ତଦନ୍ତ ପରେ ଜଣାପଡିଲା ଯେ ମୃତକ ଜଣକ କାଲିବଜାରର ବାସିନ୍ଦା, ଯିଏ ଗତ ମାସରେ ନିଖୋଜ ହୋଇ ଯାଇଥିଲେ। ତଦନୁଯାୟୀ, ପୁଲିସ ଆକାଶ ସରକାରଙ୍କ ପରିବାର ସହିତ ଯୋଗାଯୋଗ କରି ତାଙ୍କ ମୃତଦେହ ଉଦ୍ଧାର ବିଷୟରେ ସୂଚନା ଦେଇଥିଲା।
ମୋହନପୁର ଉପବିଭାଗୀୟ ପୁଲିସ ଅଧିକାରୀ କେବି ମଜୁମଦାର କହିଛନ୍ତି, ଆକାଶଙ୍କ ପିତା ପ୍ରଣବ ସରକାର ଜିବିପି ଡାକ୍ତରଖାନାକୁ ମୃତଦେହର ଚିହ୍ନଟ ପାଇଁ ଯାଇଥିଲେ। ସେଠାରେ ସେ ମୃତଦେହ ସହ ଉଦ୍ଧାର ହୋଇଥିବା ବ୍ୟାଗ ଦେଖିବା ପରେ ତାହା ତାଙ୍କ ପୁଅର ମୃତଦେହ ବୋଲି ଚିହ୍ନଟ କରିଥିଲେ; ଯେଉଁଥିରେ ନିଖୋଜ ହୋଇଥିବା ଯୁବକଙ୍କ ପୋଷାକ ଏବଂ ଟାବଲେଟ୍ ରହିଥିଲା।
ଶବ ବ୍ୟବଚ୍ଛେଦ କରାଯିବା ପରେ ପୁଲିସ ମରଶରୀରକୁ ପ୍ରଣବ ସରକାରଙ୍କୁ ହସ୍ତାନ୍ତର କରିଥିଲା ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା ତାଙ୍କର ଅନ୍ତିମ ସଂସ୍କାର କରା ଯାଇଥିଲା। ଏବେ ଆକାଶ ଫେରିଆସିବା ପରେ ପୁଲିସ୍ କହିଛି ଯେ ଯେହେତୁ ଏହା ଭୁଲ ପରିଚୟର ମାମଲା, ଆମେ ଏହି ଘଟଣାର ପୁନଃ ଅନୁସନ୍ଧାନ କରିବୁ ଏବଂ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ। ଅନ୍ୟପକ୍ଷରେ ଆକାଶଙ୍କ ପିତା ପ୍ରଣବ କିନ୍ତୁ ଦାବି କରିଛନ୍ତି ଯେ ପୁଲିସ ହିଁ ତାଙ୍କ ପୁଅର ମୃତଦେହ ଚିହ୍ନଟ କରିବାକୁ ଏବଂ ଏହାକୁ ସଂସ୍କାର ପାଇଁ ନେବାକୁ ଚାପ ପକାଇଥିଲା।
