ତିଗିରିଆ -:
ଏହି ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଅଚଳକୋଟ, ଭିରୁଡ଼ା, ନିଜିଗଡ଼, ଭୋଗଡ଼ା, ଜେମାଦେଈପୁର ଆଦି ପଞ୍ଚାୟତରେ ସର୍ବଦା ବନ୍ୟପ୍ରାଣୀଙ୍କ ଆତଙ୍କ ଲାଗି ରହୁଛି। ଏଥିସହ ହାୀ, ବାର୍ହା ଆଦିଙ୍କ ଦ୍ବାରା ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହେଉଛି। ଏ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହୁଥିବା ଦେଖିବାକୁ ମିଳୁଛି। କେତେକ ପଞ୍ଚାୟତରେ ବାରମ୍ବାର ଫସଲ ନଷ୍ଟ ଯୋଗୁଁ ଚାଷୀମାନେ ଚାଷକାର୍ଯ୍ୟ ଛାଡ଼ିଦେବାକୁ ନିଷ୍ପତ୍ତି ମଧ୍ୟ ନେଇଥିବା ଜଣାପଡ଼ିଛି। ହେଲେ, ଏହି ପଞ୍ଚାୟତଗୁଡ଼ିକର ଜନସାଧାରଣ ଓ କୃଷିକ୍ଷେତ୍ର ସହ ବନ୍ୟଜନ୍ତୁ ଓ ଜଙ୍ଗଲର ସୁରକ୍ଷା ପାଇଁ ତିଗିରିଆ ବନପାଳଙ୍କ କାର୍ଯ୍ୟାଳୟରେ ଜଣେ ବନପାଳଙ୍କ ସମେତ କେବଳ ୩ ଜଣ ଗାର୍ଡ ଓ ୬ ଜଣ ହାତୀ ଜଗୁଆଳି ରହିଥିବା ସୂଚନା ମିଳିଛି। ଏତେବଡ଼ ବନଖଣ୍ଡରେ କେବଳ ୧୦ଜଣ କର୍ମଚାରୀ ଥିବାରୁ ବାଘ ମୃତ୍ୟୁ ସହ ହାତୀ-ମଣିଷ ଲଢ଼େଇ, ବାର୍ହା ଆକ୍ରମଣ, ହାତୀ ଓ ଅନ୍ୟ ଜୀବଜନ୍ତୁଙ୍କ ଦ୍ଵାରା ଫସଲ ହାନି ଆଦି ଘଟଣା ଘଟୁଥିବା ଅଭିଯାଗ ହେଉଛି।
ଜଙ୍ଗଲ ମାଫିଆମାନେ ମଧ୍ୟ ଏହାର ଫାଇଦା ଉଠାଉଥିବା ଦେଖିବାକୁ ମିଳୁଛି। ପ୍ରତ୍ୟହ ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଶିକାରୀ ଅବାଧରେ ଶିକାର କରୁଥିଲା ବେଳେ ମାଫିଆମାନେ ମୂଲ୍ୟବାନ କାଠ ଲୁଟି ନେଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ, କିଛିଦିନ ଭିତରେ ହାତୀ ଆକ୍ରମଣରେ ତିଗିରିଆ ବନଖଣ୍ଡରେ ଦୁଇରୁ ଅଧିକ ଲୋକ ପ୍ରାଣ ହରାଇବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହେଲେ, ରାତିରେ ପାଟ୍ରୋଲିଂ ପାଇଁ ତିଗିରିଆ ବନପାଳଙ୍କ କାର୍ଯ୍ୟାଳୟରେ ରହିଥିବା ଗାଡ଼ି ପ୍ରାୟ ୭ ମାସ ହେବ ଖରାପ ହୋଇ ପଡ଼ି ରହିଛି। ଫଳରେ ବନପାଳ ଓ କର୍ମଚାରୀ ନିଜ ନିଜ ଗାଡ଼ିରେ ପାଟ୍ରୋଲିଂ କରିବାକୁ ଯାଉଥିବା ବନପାଳ ରାକେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ବନପାଳ ଶ୍ରୀ ପ୍ରଧାନ କହିଛନ୍ତି। ତେବେ ଅଚଳ ଗାଡ଼ି ମରାମତି ନ ହେବା କିମ୍ବା ନୂତନ ଗାଡ଼ି ପ୍ରଦାନ କରା ନ ଯିବାରୁ ବନ କର୍ମଚାରୀ ଜୀବନକୁ ବିପଦରେ ପକାଇ ପାଟ୍ରୋଲିଂ କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଯଥାଶୀଘ୍ର ତିଗିରିଆ ବନଖଣ୍ଡରେ କର୍ମଚାରୀ ସଂଖ୍ୟା ବୃଦ୍ଧି ଓ କାର୍ଯ୍ୟାଳୟର ଗାଡ଼ି ସମସ୍ୟା ଦୂର କରିବା ସହ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
