ଭବାନୀପାଟଣା/କୋକସରା -: କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗ କୋକସରା ବ୍ଲକରେ ୨୦୧୦ରେ ଏସିଏସ୍ଓ ତଥା ପରଚେଜ୍ ଅଫିସର ଭାବେ ଅବସ୍ଥାପିତ ଥିବା ଏସିଏସ୍ଓ ମନୋଜ ପ୍ରଧାନ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ୧୪ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗର କୋକସରା ବ୍ଲକଠାରେ ଅତିରିକ୍ତ ଯୋଗାଣ ଅଧିକାରୀ ତଥା ଧାନ କ୍ରୟ ଅଧିକାରୀ ଭାବରେ ୨୦୧୦ ମସିହାରେ ମନୋଜ ପ୍ରଧାନ କାର୍ଯ୍ୟ କରୁଥିଲେ। ଏହି ସମୟରେ ବଙ୍ଗୋମୁଣ୍ଡାର ସୁରଜ ଏଗ୍ରୋ ଇଣ୍ଡଷ୍ଟ୍ରିଜର ମାଲିକ ସୂର୍ଯ୍ୟ ପ୍ରକାଶ ଅଗ୍ରୱାଲ ଓ ସିଉନିର ଜୟ ହନୁମାନ ରାଇସ ମାଲିକ ଘାସିରାମ ଅଗ୍ରୱାଲ ଯୋଗାଣ ବିଭାଗରୁ ପ୍ରତ୍ୟେକ ୨୭ ହଜାର କ୍ବିଣ୍ଟାଲ ଧାନ ନେଇଥିଲେ। ସେଥିମଧ୍ୟରୁ ୬୮% ଚାଉଳ ପ୍ରଦାନ କରିଥିଲେ।
ଏହି ଚାଉଳ ନେଇ ଏସିଏସଓ ମନୋଜ ପ୍ରଧାନ କିଛି ଚାଉଳ ନିମ୍ନମାନର ଦର୍ଶାଇ ମିଲ ମାଲିକଙ୍କୁ ଫେରାଇ ଥିବାବେଳେ ଅବଶିଷ୍ଟ ଚାଉଳ ହଡପ୍ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ ଏକ ମାମଲା ରୁଜୁ କରାଯାଇଥିଲା। ଶନିବାର ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ସ୍ବତନ୍ତ୍ର ଜଜ ଶ୍ରୀକାନ୍ତ କୁମାର ମିଶ୍ର ଶୁଣାଣି କରି ଏହି ମାମଲାରେ ଏସିଏସ୍ଓ ମନୋଜ କୁମାର ପ୍ରଧାନଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୪ ଲକ୍ଷ ଟଙ୍କା ଜରିମାନା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୧ ବର୍ଷ ଜେଲଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମିଲ ମାଲିକ ସୂର୍ଯ୍ୟ ପ୍ରକାଶ ଅଗ୍ରୱାଲ ଓ ଘାସିରାମ ଅଗ୍ରୱାଲଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଏହି ୨ଜଣ ମିଲ ମାଲିକ ଧାନ ନେଇ ଚାଉଳ ନଦେବା ଅଭିଯୋଗରେ ଯୋଗାଣ ବିଭାଗ ପକ୍ଷରୁ ଚାଲିଥିବା ଅନ୍ୟ ଏକ ମାମଲା ବିଚାରାଧୀନ ଥିବା ଯୋଗୁଁ କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି। ଆଜି ମାମଲା ଶୁଣାଣି ହେବା ପରେ ବର୍ତ୍ତମାନ ବରଗଡ଼ରେ ଥିବା ଯୋଗାଣ ବିଭାଗର ଏସିଏସଓ ମନୋଜ କୁମାର ପ୍ରଧାନଙ୍କୁ ଗିରଫ କରି ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି। ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅଶ୍ବିନୀ ସାହୁ ମାମଲା ପରିଚାଳନା କରିଥିଲେ।
Discover more from odia.bnslive.in
Subscribe to get the latest posts sent to your email.