ଭୋଗ ପିତା ଲାଗୁଥିବାରୁ ଦେବୀଙ୍କ ନାମ ପିତାବଳୀ

Creat A Revolution

ଫୁଲବାଣୀ -: କନ୍ଧମାଳ ଜିଲ୍ଲାର ପ୍ରମୁଖ ଶକ୍ତିପୀଠମାନଙ୍କ ମଧ୍ୟରୁ ଫିରିଙ୍ଗିଆର ମା’ପିତାବଳୀ ଶକ୍ତିପୀଠ ଅନ୍ୟତମ। ପ୍ରତିବର୍ଷ ଶାରଦୀୟ ଦଶହରା ପୂଜା ବେଳକୁ ମା’ପିତାବଳୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠେ। ମା’ପିତାବଳୀ ହେଉଛନ୍ତି ଫିରିଙ୍ଗିଆର ଅଧିଷ୍ଠାତ୍ରୀ ଦେବୀ। ଅତୀତରେ ମା’ ପିତାବଳୀ ଏକ ଖୋଲା ସ୍ଥାନରେ ଶାଳଗଛ ମୂଳେ ପୂଜା ପାଉଥିଲେ। ପରେ ଗ୍ରାମବାସୀଙ୍କ ଉଦ୍ୟମରେ ମା’ ଏକ ଚାଳଘରେ ପୂଜା ପାଇଥିଲେ। କିନ୍ତୁ ୧୯୫୧ ମସିହାରେ ମା’ପିତାବଳୀଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା। ଅତୀତରେ ମା’ପିତାବଳୀ ପଥର ରୂପରେ ପୂଜା ପାଉଥିଲେ। ବର୍ତ୍ତମାନ ମା’ ଏକ ପିତ୍ତଳ ମୂର୍ତ୍ତି ରୂପରେ ଉପାସିତ ହେଉଛନ୍ତି। ଦୋଳପୂର୍ଣ୍ଣିମା ଅବସରରେ ମା’ଙ୍କ ନିକଟରେ ମହୁଲଫୁଲ, ଝାଟିନି ଫୁଲ, ଆମ୍ବବଉଳ ଓ ଫଗୁ ପୂଜା କରାଯାଇ ଭକ୍ତଙ୍କୁ ବଣ୍ଟନ କରାଯାଏ।

ଜ୍ୟେଷ୍ଠମାସର ତୃତୀୟ ଗୁରୁବାର ଦିନ ମହୁଲଫୁଲ ଓ ଲିଆ ଏକତ୍ର କୁଟାଯାଇ ଏକ ସ୍ବତନ୍ତ୍ର ଧରଣର ଅଠା ପ୍ରସ୍ତୁତ କରାଯାଏ। ଏହାକୁ ଲଠା କୁହାଯାଏ। ମା’ଙ୍କ ନିକଟରେ ଏହା ପ୍ରଥମ କରି ଅର୍ପଣ କରାଯାଉଥିବାରୁ ଏଠାରେ ‘ଲଠା ନୂଆଖାଇ’ ପାଳନ କରାଯାଇଥାଏ। ପ୍ରତିବର୍ଷ ଭାଦ୍ରବ ମାସର ଶେଷ ଗୁରୁବାର ଦିନ ଦେବୀଙ୍କ ନିକଟରେ ଜନ୍ତାଳ ପୂଜା କରାଯାଇଥାଏ। ବିଳମ୍ବିତ ରାତିରେ ଦେବୀଙ୍କ ନିକଟରେ ଛେଳି, କୁକୁଡ଼ା ଆଦି ଜୀବଜନ୍ତୁ ବଳି ପଡ଼ିବା ପରେ ଭୋଗ ଲାଗି ହୋଇଥାଏ। ଗ୍ରାମବାସୀମାନେ ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟ ବଜାଇ ନାଚଗୀତ କରିଥାନ୍ତି। ପରଦିନ ଏଠାରେ ନବାନ୍ନ ଭକ୍ଷଣ କରାଯାଇଥାଏ। ଘରେ ଘରେ ନୂଆ ଚାଉଳ ଭାତ, ଖିରି, ପିଠା ଖିଆଯାଇଥାଏ। ନବାନ୍ନ ଭକ୍ଷଣ ପରେ ସାତ ଦିନ ଧରି ମା’ପିତାବଳୀଙ୍କ ମନ୍ଦିର ବନ୍ଦ ରହିଥାଏ। ପର ଗୁରୁବାର ଦିନ ପତ୍ରୀ ଉଠା କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ। ଦେବୀଙ୍କୁ ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରାଯାଇଥାଏ।

ମା’ପିତାବଳୀଙ୍କ ନିକଟରେ ଭାଦ୍ରବ ମାସରେ ଛାଗଳ ଯାତ୍ରା ସହିତ ମକର ସଂକାନ୍ତି ଓ ଝାମୁ ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ। ଏହାସହିତ ପ୍ରତିବର୍ଷ ଆଶ୍ବିନ ମାସରେ ମା’ଙ୍କର ଶାରଦୀୟ ଦୁର୍ଗାପୂଜା ମହାଆଡ଼ମ୍ବର ସହକାରେ ପାଳିତ ହୋଇଥାଏ। ଆଶ୍ବିନ ମାସ ଶୁକ୍ଳ ପକ୍ଷ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କରାଯାଏ। ଦଶହରା ଦିନ ପିତାବଳୀଙ୍କ ନିକଟରେ ଅପରାଜିତା ପୂଜା ହୋଇଥାଏ। ମା’ ପିତାବଳୀଙ୍କ ନାମକରଣକୁ ନେଇ ଏକ କିମ୍ବଦନ୍ତୀ ରହିଛି। ଦେବୀଙ୍କ ନିକଟରେ ଆମ୍ବ, କଦଳୀ, କାକୁଡ଼ି ଆଦି ଫଳ ଭୋଗ କରି ସାରିବା ପରେ ସେହି ଫଳମାନଙ୍କର ଗୋଟିଏ ପାର୍ଶ୍ବ ପିତା ଲାଗିଥାଏ ଏବଂ ଅନ୍ୟ ଏକ ପାର୍ଶ୍ବ କଷା ଲାଗିଥାଏ। ଭୋଗ ପିତା ଲାଗୁଥିବାରୁ ମା’ଙ୍କ ନାମ ପିତାବଳୀ ହୋଇଛି ବୋଲି ଲୋକମୁଖରୁ ଶୁଣିବାକୁ ମିଳିଥାଏ। ପୀଠକୁ କେବଳ କନ୍ଧମାଳ ଜିଲ୍ଲା ନୁହେଁ, ପଡ଼ୋଶୀ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାରୁ ବହୁ ସଂଖ୍ୟ‌ାରେ ଭକ୍ତ ଓ ମାନସିକଧାରୀ ଆସିଥାନ୍ତି। ମା’ ପିତାବଳୀଙ୍କ ମନ୍ଦିରରୁ ତାବିଜ ନେଇ ହାତରେ ବାନ୍ଧିରେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ବାସ ରହିଛି। 


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!