ଓଲିଉଡ୍ରେ ପୁଣି ଏକ ନୂଆ କାହାଣୀକୁ ନେଇ ଚର୍ଚ୍ଚା! ଏଥର କାହାଣୀରେ ରହିଛି ଭକ୍ତି, ପରମ୍ପରା, ସଂଘର୍ଷ, ପରିଚୟ ଏବଂ ଅନେକ ଅକୁହା ରହସ୍ୟ। ନାଁ ହେଉଛି ‘ଦେବକନ୍ୟା’!
ଏକ ପୁଅ, ଯିଏ ମଞ୍ଚରେ ନାରୀ ବେଶ ଧାରଣ କରି ଘୋଡ଼ାନାଚ ପରିବେଷଣ କରେ। କିନ୍ତୁ ଧୀରେ ଧୀରେ ତା’ର ଚାଲିଚଳଣ, କଥାବାର୍ତ୍ତା ଓ ଆଚରଣରେ ଆସିବାକୁ ଲାଗେ ଅଜବ ପରିବର୍ତ୍ତନ। ଏହା କେବଳ ଅଭିନୟ ନା ତା’ ଜୀବନରେ ଲୁଚି ରହିଛି ଆଉ କିଛି ବଡ଼ ସତ୍ୟ ? ଏହି ନିଆରା କାହାଣୀକୁ ନେଇ ନଭେମ୍ବର ୨୦ ତାରିଖରେ ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ‘ଦେବକନ୍ୟା’। ବନ୍ଧୁଗଣ, ଏହି ଫିଲ୍ମର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଏହାର କାହାଣୀର ପୃଷ୍ଠଭୂମି। ପୁରୀ ଅଞ୍ଚଳର ପାରମ୍ପରିକ ଘୋଡ଼ାନାଚକୁ ନେଇ ଗଢ଼ିଉଠିଛି ଏହି ସିନେମାର କାହାଣୀ। ଘୋଡ଼ାନାଚ କେବଳ ଏକ ନୃତ୍ୟକଳା ନୁହେଁ, ଏହା ଓଡ଼ିଶାର ଲୋକସଂସ୍କୃତି ଓ ଧାର୍ମିକ ପରମ୍ପରାର ଏକ ଅଂଶ।

କାହାଣୀର କେନ୍ଦ୍ରରେ ରହିଛି ଶିବ ନାମକ ଜଣେ ଯୁବକ। ପିଲାଦିନରୁ ତା’ର ଜୀବନ ଘୋଡ଼ାନାଚ ସହ ଜଡ଼ିତ। ବାପାଙ୍କଠାରୁ ମିଳିଥିବା ପାରମ୍ପରିକ କଳାକୁ ସେ ନିଜ ଜୀବନର ଅଂଶ କରିନିଏ। ମଞ୍ଚରେ ସେ ଚଢ଼େଇଆଣୀ ବେଶରେ ନୃତ୍ୟ ପରିବେଷଣ କରେ। କିନ୍ତୁ ସମୟ ଗଡ଼ିବା ସହ ତା’ର ବ୍ୟକ୍ତିତ୍ୱ ଓ ଜୀବନରେ ଅନେକ ପରିବର୍ତ୍ତନ ଆସେ। ମାଆ ମଙ୍ଗଳାଙ୍କ ପ୍ରତି ତା’ର ଗଭୀର ଭକ୍ତି ଓ ସମର୍ପଣ ଯୋଗୁଁ ତାକୁ ମିଳେ ଏକ ନୂଆ ପରିଚୟ – ‘ଦେବକନ୍ୟା’। କିନ୍ତୁ କାହାଣୀ ଏତିକିରେ ଶେଷ ହୋଇନାହିଁ।
ଶିବର ନିଜ କଳା ପ୍ରତି ଭଲପାଇବା ଓ ସାମାଜିକ ପରମ୍ପରା ମଧ୍ୟରେ ଆରମ୍ଭ ହୁଏ ସଂଘର୍ଷ। ବିବାହ ପରେ ତା’ର ଜୀବନରେ ଆସେ ନୂଆ ମୋଡ଼। ରାମାଙ୍କ ସହ ତା’ର ସମ୍ପର୍କ ଏବଂ ଜଗ୍ଗୁ ସହ ଜଡ଼ିତ ଘଟଣା ତାକୁ ମାନସିକ ଭାବରେ ଭାଙ୍ଗିଦିଏ। ଏମିତି ଏକ ସମୟରେ ତା’ର ଗୁରୁ ମାକୁ ବରାଳ ତାକୁ ପୁଣି ପୁରୀକୁ ଫେରାଇ ଆଣନ୍ତି। ହେଲେ ସେଠାରେ ଘଟିଥିବା ଏକ ନିଷ୍ଠୁର ଘଟଣା ଶିବ ଜୀବନରେ ଆଣିଦିଏ ଏକ ଅପ୍ରତ୍ୟାଶିତ ମୋଡ଼। ତେବେ ଶିବ କ’ଣ ପୁଣି ନିଜ କଳାକୁ ଫେରିପାଇବ? ତା’ର ଜୀବନର ଶେଷ ପରିଣତି କ’ଣ ହେବ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବ ସିନେମା ହଲ୍ରେ। ଏହି ଫିଲ୍ମରେ ମୁଖ୍ୟ ଚରିତ୍ର ଶିବ ଭୂମିକାରେ ଅଭିନୟ କରିଛନ୍ତି ସୁଭାଷିଷ ଶର୍ମା, ଯିଏ ମଣ୍ଟୁ ନାମରେ ମଧ୍ୟ ପରିଚିତ।

ତାଙ୍କ ସହ ଅଭିନୟ କରିଛନ୍ତି ଅଶ୍ରୁମୋଚନ ମହାନ୍ତି, କୁନା ତ୍ରିପାଠୀ, କେଦାର ମିଶ୍ର, ସୁଶ୍ରୀ ମିଶ୍ର ଓ ଅନ୍ୟ କଳାକାରମାନେ। ଅଶ୍ରୁମୋଚନ ମହାନ୍ତି ମଙ୍ଗଳା ପ୍ରଧାନ ଚରିତ୍ରରେ ଏକ ନୂଆ ରୂପରେ ନଜର ଆସିବେ। ସୁପ୍ରିମ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ସୁରେଶ କୁମାର ସାହୁ ଓ ଭୈରବୀ ତ୍ରିପାଠୀ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି। ଶଙ୍କର ତ୍ରିପାଠୀ କାହାଣୀ ଓ ଚିତ୍ରନାଟ୍ୟ ଲେଖିଥିବା ବେଳେ ରାଶେଶ ମହାନ୍ତି (ସିଲୁ) ନିର୍ଦ୍ଦେଶନା ଦେଇଛନ୍ତି। ବିକାଶ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବିରଞ୍ଚି ନାରାୟଣ ଗୀତ ରଚନା କରିଛନ୍ତି। ତେବେ ବନ୍ଧୁଗଣ, ଓଡ଼ିଆ ସିନେମାରେ ଏଭଳି ଏକ ଭିନ୍ନଧରଣର କାହାଣୀ ଦର୍ଶକଙ୍କୁ କେତେ ମାତ୍ରାରେ ଆକର୍ଷିତ କରିବ, ତାହା ଦେଖିବାକୁ ରହିଲା। ଏହି ଫିଲ୍ମ କେବଳ ମନୋରଞ୍ଜନ ନୁହେଁ, ବରଂ ଓଡ଼ିଶାର ପାରମ୍ପରିକ ଲୋକକଳା, ମାଆ ମଙ୍ଗଳାଙ୍କ ପ୍ରତି ଭକ୍ତି ଏବଂ ଜଣେ କଳାକାରଙ୍କ ଜୀବନ ସଂଘର୍ଷକୁ ସାମ୍ନାକୁ ଆଣିବାର ଏକ ପ୍ରୟାସ। ନଭେମ୍ବର ୨୦ ତାରିଖରେ ସିନେମା ହଲ୍ରେ ମୁକ୍ତିଲାଭ କରିବ ‘ଦେବକନ୍ୟା’। ଆପଣଙ୍କୁ ଏହି ଫିଲ୍ମର କାହାଣୀ କେମିତି ଲାଗିଲା? ଆପଣ ଏହାକୁ ସିନେମା ହଲ୍ରେ ଦେଖିବାକୁ ଯିବେ କି? ନିଶ୍ଚିତ ଭାବେ କମେଣ୍ଟ କରି ଜଣାନ୍ତୁ।
ଓଲିଉଡ୍ର ସମସ୍ତ ନୂଆ ଖବର ପାଇଁ ଦେଖୁଥାନ୍ତୁ bnslive.in
Discover more from odia.bnslive.in
Subscribe to get the latest posts sent to your email.
