ବାଲେଶ୍ଵର: ସହର ସମ୍ପ୍ରସାରିତ ହେବା ସହ ବଢ଼ି ଚାଲିଛି ଅନୁଷ୍ଠାନ । ହୋଟେଲରୁ ନେଇ ବ୍ୟାଙ୍କ, ଇଲେକ୍ଟ୍ରୋନିକ୍ସ ଶୋ ରୁମ୍ରୁ ନେଇ ସପିଂ ମଲ୍ ଖୋଲିବାରେ ଲାଗିଛି । ହେଲେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି କାହାରି ଖାତିର୍ ନାହିଁ । ବିନା ଅଗ୍ନି ନିରାପତ୍ତାରେ ବାଲେଶ୍ୱରରେ ମୁଣ୍ଡ ଟେକିଛି ଏକାଧିକ ଅନୁଷ୍ଠାନ । ଜିଲ୍ଲାରେ ଶତାଧିକ ଅନୁଷ୍ଠାନରୁ ମାତ୍ର ୯ଟି ପାଇଛନ୍ତି ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ।
ଶତାଧିକ ଅନୁଷ୍ଠାନ, ଲକ୍ଷାଧିକ ଟଙ୍କାର ବ୍ୟବସାୟ । ହେଲେ ଧନ ଜୀବନ ସୁରକ୍ଷା ପ୍ରତି ନାହିଁ କାହାର ଧ୍ୟାନ । ବାଲେଶ୍ଵର ଜିଲ୍ଲାରେ ଶତାଧିକ ଅନୁଷ୍ଠାନ ରହିଥିବା ବେଳେ ମାତ୍ର ୯ଟି ସଂସ୍ଥା ପାଇଛନ୍ତି ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ । ବାରମ୍ବାର ନୋଟିସ୍ ସୁଦ୍ଧା ଅଗ୍ନିଶମ ବିଭାଗର ତାଗିଦ୍କୁ କେହି ଖାତିର୍ କରୁ ନାହାନ୍ତି । ଏମିତିକି ସହରରେ ଥିବା ସୁଉଚ୍ଚ ଅଟ୍ଟାଳିକା, ମଲ୍, ମଣ୍ଡପ, ବ୍ୟାଙ୍କ ଅନେକଙ୍କ ନିକଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଅଗ୍ନିଶମ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୧୫ ମିଟର ମଧ୍ୟରେ ଥିବା ଅନୁଷ୍ଠାନକୁ ଡେପୁଟି ଫାୟାର ଅଫିସର ଦେବେ ଅନୁମତି । ଏହା ଉପର ଅନୁଷ୍ଠାନକୁ ଅଗ୍ନିଶମ ମୁଖ୍ୟାଳୟ କଟକରୁ ଅନୁମତି ଆଣିବାକୁ ପଡ଼ିବ । ତେବେ ୧୫ ମିଟର ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ଏକାଧିକ ହୋଟେଲ, ବ୍ୟାଙ୍କ, ମଲ ଯାଉଥିବା ବେଳେ ମାତ୍ର ୯ ଜଣଙ୍କୁ ଛାଡ଼ିଦେଲେ କେହି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରି ନାହାନ୍ତି ।
ସେପଟେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ୨୦୦ରୁ ଅଧିକ ଅନୁଷ୍ଠାନକୁ ଚିଠି ଲେଖିଛି ଅଗ୍ନିଶମ ବିଭାଗ । କିନ୍ତୁ ମାତ୍ର ୯ ଜଣଙ୍କୁ ମିଳିଛି ଅଗ୍ନି ନିରାପତ୍ତା ଲାଇସେନ୍ସ । ଶତାଧିକ ଅନୁଷ୍ଠାନ ଅଗ୍ନି ନିରାପତ୍ତା ଲାଇସେନ୍ସ ପାଇ ନଥିବା ବେଳେ ଅଗ୍ନିଶମ ବାହିନୀ କାହିଁକି ଚୁପ୍ ବସିଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । କ’ଣ କୌଣସି ଆକସ୍ମିକ ଅଘଟଣକୁ ଅନାଇ ବସିଛି କି ବାଲେଶ୍ଵରର ଅଗ୍ନିଶମ ବିଭାଗ ? ନା ଅଗ୍ନିଶମ ବିଭାଗର ତାଗିଦ୍କୁ ନାହିଁ ଅନୁଷ୍ଠାନ ମାନଙ୍କର ଖାତିର୍ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଅନୁଷ୍ଠାନରେ ଅଚାନକ ଅଗ୍ନିକାଣ୍ଡ ଘଟିଲେ କିଏ ହେବ ଦାୟୀ ? ନିୟମର ବେଖାତିର୍ ପାଇଁ ଧନ ଜୀବନ ହାନି ହେଲେ କିଏ ହେବ ଉତ୍ତରଦାୟୀ ?
Discover more from odia.bnslive.in
Subscribe to get the latest posts sent to your email.
