ଆସନ୍ତାକାଲି ନୂଆପଡ଼ା ଭୋଟ୍ ଗଣତି ସହ ଆସିବ ଜନାଦେଶ । ନୂଆପଡା ପାଇବ ନୂଆ ବିଧାୟକ । ଜୋୟ ଢଲକିଆ, ସ୍ନେହାଙ୍ଗିନୀ ଛୁରିଆ ନା ଘାସିରାମ ମାଝୀ କିମ୍ବା ଅନ୍ୟ କିଏ । ଆସନ୍ତାକାଲି ତାହା ସ୍ପଷ୍ଟ ହୋଇଯିବ । ଚାଲିବ ଭୋଟ ଗଣତି ଆଉ ଆସିବ ଜନାଦେଶ । ଆସନ୍ତାକାଲି ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ଭୋଟ ଗଣତି । ସକାଳ ୮ଟାରେ ବାଲାଟ ପେପର, ପରେ EVM ଗଣତି ଆରମ୍ଭ ହେବ । ମୋଟ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ । ପୋଷ୍ଟାଲ ବାଲାଟ୍ ପାଇଁ ରହିବ ଗୋଟିଏ ଟେବୁଲ । ପ୍ରତି ଟେବୁଲ ପାଇଁ ରହିବେ ୩ ଅଧିକାରୀ । ଇଭିଏମରେ ସିଲ୍ ହୋଇ ରହିଛି ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ମତଦାନ ପରେ ନ୍ୟାସନାଲ କଲେଜ ସ୍ଥିତ ଷ୍ଟ୍ରଙ୍ଗ ରୁମରେ ସମସ୍ତ ୩୫୮ ଇଭିଏମକୁ ସୁରକ୍ଷିତ ରଖା ଯାଇଛି। ଷ୍ଟ୍ରଙ୍ଗ ରୁମକୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ସିସିଟିଭି ସହ ସୁରକ୍ଷା କର୍ମୀ ୨୪ ଘଣ୍ଟିଆ ପହରା ଦେଉଛନ୍ତି ।
ଏହାସହ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମଧ୍ୟ ବ୍ୟବସ୍ଥାକୁ କଡାକଡି ଅନୁଧ୍ୟାନ କରୁଛନ୍ତି। କେନ୍ଦ୍ରୀୟ ପୋଲିସ ବଳ, ରାଜ୍ୟ ପୋଲିସ ଫୋର୍ସ ସହ ଲୋକାଲ ପୋଲିସ ଏହି ତ୍ରିସ୍ତରୀୟ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ରେଜଲ୍ଟ । ତା ପୂର୍ବରୁ ‘ଧନ୍ୟବାଦ ନୂଆପଡ଼ା’କୁ ନେଇ ଚର୍ଚ୍ଚା । ପ୍ରଥମେ ସାମ୍ବାଦିକ ସମ୍ମିଳନୀରେ ମନମୋହନ କହିଲେ ‘ଧନ୍ୟବାଦ ନୂଆପଡ଼ା’ । ତାପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସୋସିଆଲ ମିଡିଆ ପୋଷ୍ଟ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି। ଜୟ ନିଜ ସୋସିଆଲ ମିଡିଆ ସାଇଡରେ ‘ଧନ୍ୟବାଦ ନୂଆପଡ଼ା’ କହିଛନ୍ତି । ବିଜେପି ନେତା ଜଦୁ ପାଣିଗ୍ରାହୀ ମଧ୍ୟ ଏଭଳି ନିଜ ସୋସିଆଲ ମିଡିଆ ସାଇଡ଼ରେ “ଧନ୍ୟବାଦ ନୂଆପଡ଼ା । ଭୋଟ ସରୁ ସରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀରେ ହସି ହସି “ଧନ୍ୟବାଦ ନୂଆପଡ଼ା” କହିବା । ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ରାଜନୈତିକ ସମୀକ୍ଷକ ଏହାକୁ ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛନ୍ତି। ଜୟ ‘ଧନ୍ୟବାଦ ନୂଆପଡ଼ା’ ପୋଷ୍ଟ କ’ଣ ଇଶାରା କରୁଛି। ସେପଟେ ସାଧାରଣରେ ମଧ୍ୟ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଲୋକେ ଏହାକୁ ନେଇ ଆଲୋଚନା କରୁଛନ୍ତି ।
