ଖଣି ଓ ଖଣିଜ ବିକାଶ ଓ ନିୟାମକ ସଂଶୋଧନ ଅଧିନିୟମ, ୨୦୨୬କୁ ନେଇ ଓଡ଼ିଶାର ରାଜନୀତି ସରଗରମ ହୋଇଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ଜବାବ ଦେଇଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତଥ୍ୟକୁ ଗୋପନ ରଖି ଏବଂ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ସେ ନିଜ ପତ୍ରରେ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗଣତନ୍ତ୍ରରେ ରାଜନୈତିକ ଆଲୋଚନା ସ୍ୱାଭାବିକ । କିନ୍ତୁ ସଂସଦରେ ଓଡ଼ିଶାର ସ୍ୱର ଭାବରେ ରାଜ୍ୟର ଅର୍ଥନୈତିକ ବିକାଶ, ଶିଳ୍ପ ସମୃଦ୍ଧି ଏବଂ ଲୋକଙ୍କ ବୃହତ୍ତର ସ୍ୱାର୍ଥର ସୁରକ୍ଷା କରିବା ସାଂସଦମାନଙ୍କର ପ୍ରାଥମିକ ଦାୟିତ୍ୱ ।
‘ଐତିହାସିକ ପଦକ୍ଷେପ’ ବୋଲି କହିଲେ ଧର୍ମେନ୍ଦ୍ର
MMDR ସଂଶୋଧନ ଅଧିନିୟମ, ୨୦୨୬କୁ ଧର୍ମେନ୍ଦ୍ର ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ଅନୁସାରେ, ଏହି ଆଇନ ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ରାଜ୍ୟ ରାଜସ୍ୱର ସୁରକ୍ଷା ସହ ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିର ପ୍ରଭାବରୁ ସୁରକ୍ଷା ଦେବାରେ ସହାୟକ ହେବ ।
DMF ମାଧ୍ୟମରେ ୩୭ ହଜାର କୋଟିରୁ ଅଧିକ
ଧର୍ମେନ୍ଦ୍ର ତାଙ୍କ ପତ୍ରରେ DMF ପାଣ୍ଠିକୁ ନେଇ ମଧ୍ୟ ତଥ୍ୟ ରଖିଛନ୍ତି । ତାଙ୍କ ଦାବି ଅନୁସାରେ, ୨୦୧୫ରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ DMF ମାଧ୍ୟମରେ ଓଡ଼ିଶାର ଖଣି ଅଞ୍ଚଳଗୁଡ଼ିକର ବିକାଶ ପାଇଁ ୩୭ ହଜାର କୋଟିରୁ ଅଧିକ ଟଙ୍କା ମିଳିଛି । ସେହିପରି CAG ରିପୋର୍ଟକୁ ଉଦ୍ଧୃତ କରି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି ଯେ, ପୂର୍ବ ବିଜେଡି ସରକାର ସମୟରେ ଖଣି ଦ୍ୱାରା ପ୍ରତ୍ୟକ୍ଷ ଭାବେ କ୍ଷତିଗ୍ରସ୍ତ ନହୋଇଥିବା ୯୭୬ଟି ଗାଁରେ ୯୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ୫୮୪ଟି ଗାଁକୁ କୌଣସି ପାଣ୍ଠି ଦିଆଯାଇନଥିଲା । ଗ୍ରାମସଭାର ମଞ୍ଜୁରୀ ନନେଇ ୧,୭୩୦ଟି ପ୍ରକଳ୍ପ କାର୍ଯ୍ୟ କରାଯାଇଥିବା ମଧ୍ୟ CAG ଅଡିଟ୍ ରିପୋର୍ଟରେ ଦର୍ଶାଯାଇଥିବା ଧର୍ମେନ୍ଦ୍ର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିସହିତ Orissa Rural Infrastructure and Socio-Economic Development Act, ୨୦୦୪ କୁ ୨୦୦୫ରେ ହାଇକୋର୍ଟ ରଦ୍ଦ କରିବା ପରେ, ବିଜେଡି ସରକାର ଆଇନଗତ ତ୍ରୁଟି ସୁଧାରିବା ପାଇଁ ବିଧାନସଭାରେ କୌଣସି ସଂଶୋଧନ ନଆଣି ୧୮ ବର୍ଷ ଧରି ସୁପ୍ରିମକୋର୍ଟରେ ମାମଲା ଚଲାଇ ସମୟ ନଷ୍ଟ କରିଥିଲେ ।
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ
ଓଡ଼ିଶାର ସାଂସଦମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥ, ଶିଳ୍ପ ସମୃଦ୍ଧି ଏବଂ ଯୁବପିଢ଼ିଙ୍କ ନିଯୁକ୍ତି ସୁରକ୍ଷାକୁ ଦୃଷ୍ଟିରେ ରଖି ସଂସଦରେ MMDR ସଂଶୋଧନ ବିଲ୍, ୨୦୨୬କୁ ସମର୍ଥନ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳୀୟ ମନୋଭାବରୁ ଊର୍ଦ୍ଧ୍ୱକୁ ଯାଇ ରାଜ୍ୟର ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରୁଥିବା ଏହି ଆଇନକୁ ସମର୍ଥନ କରନ୍ତୁ ବୋଲି ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଏବେ ଓଡ଼ିଶା ରାଜନୀତିରେ ତର୍କ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।
#dharmendrapradhan #bnsnews #naveenpattnaik
Discover more from odia.bnslive.in
Subscribe to get the latest posts sent to your email.
