କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଲଜ୍ଜା । ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଶିକ୍ଷାନୁଷ୍ଠାନରେ ମଥା ନୁଆଇଁ ଦେଲାଭଳି ଲଜ୍ଜାଜନକ ଘଟଣା ଏବେ ସାମ୍ନାକୁ ଆସିଛି । ୪ ଶିକ୍ଷକ ବଳପୂର୍ବକ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ । ଆଉ ସବୁଠୁ ବଡ଼ କଥା ହେଉଛି ଏହି ଘୃଣ୍ୟ କାମ ପାଇଁ ସହଯୋଗ କରୁଥିଲେ ସ୍କୁଲ ଶିକ୍ଷୟିତ୍ରୀ । ପୁଣି ଗୁରୁଙ୍କ ନାଁ ରେ କଳଙ୍କ ! ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏଭଳି ଲଜ୍ଜାଜନକ ଖବର ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଂଚଳରୁ । ଛାତ୍ରୀଜଣକ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ୪ ଜଣ ଶିକ୍ଷକ ବଳପୂର୍ବକ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିବା ଅଭିଯୋଗ ହୋଇଛି ।

ଦୀର୍ଘ ୪ ବର୍ଷ ଧରି ନାବାଳିକା ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ୪ ଜଣ ଶିକ୍ଷକ । କେନ୍ଦ୍ରାପଡା ରାଜକନିକା ସପ୍ତମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଘଟଣାରେ ତଦନ୍ତ ବେଳେ ଏହା ସାମ୍ନାକୁ ଆସିଛି । ଛାତ୍ରୀଜଣଙ୍କ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ସମୟରୁ ହିଁ ତାଙ୍କୁ ଶୋଷଣ କରୁଥିଲେ ଶିକ୍ଷକ । ସ୍କୁଲର ଖେଳ ଛୁଟି ସମୟରେ ଛାତ ଉପରକୁ ଡାକି ନେଇ ଘୃଣ୍ୟ କାମ କରିଆସୁଥିଲେ ଶିକ୍ଷକ। ଏଥିରେ ସେମାନଙ୍କୁ ସହଯୋଗ କରୁଥିଲେ ସେହି ସ୍କୁଲର ଜଣେ ଶିକ୍ଷୟିତ୍ରୀ । ବାରମ୍ବାର ନିର୍ଯାତିତ ହେବା ପରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ନିଜ ମା’ଙ୍କ ଆଗରେ ସବୁ କଥା କହିଲା ପରେ, ପରିବାର ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳକମିଟି ନିକଟରେ ଅଭିଯୋଗ ହୋଇଛି । ଚାରି ଜଣିଆ ଟିମ ପୀଡ଼ିତାଙ୍କ ଘରେ ପହଂଚି ତାଙ୍କ ବୟାନ ରେକର୍ଡ କରିଛନ୍ତି ।

ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଦାବି କରିଛନ୍ତି । ଅନ୍ୟପକ୍ଷେ ଘଟଣାରେ ଶିକ୍ଷକଙ୍କ ସମ୍ପୃକ୍ତି ଥିଲେ, ସେମାନଙ୍କୁ ଉଚିତ ଦଣ୍ଡ ମିଳିବା ଆବଶ୍ୟକ ବୋଲି ପ୍ରତିକ୍ରିୟା ଦେଇଛନ୍ତି ସ୍କୁଲର ପ୍ରିନ୍ସିପାଲ । ପ୍ରାଥମିକ ପ୍ରାର୍ଯ୍ୟାୟରେ ଯେଉଁ ୫ ଜଣଙ୍କ ନାମରେ ଅଭିଯୋଗ ଆସିଥିଲା, ସମସ୍ତଙ୍କୁ ଅଟକ ରଖାଯିବା ସହ ପଚାରଉଚରା କରୁଛି ପୋଲିସ । ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । କେନ୍ଦ୍ରାପଡା ଏସପି ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । କେନ୍ଦ୍ରାପଡା ପୋଲିସର ଏକ ଉଚ୍ଚସ୍ତରୀୟ କମିଟି ଅତିରିକ୍ତ ଏସପି ଓ ଜଣେ ମହିଳା ଡିଏସପି ଘଟଣାର ତଦନ୍ତ ଭାର ନେଇଛନ୍ତି ବୋଲି ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି । ଶିକ୍ଷାନୁଷ୍ଠାନରେ ପାଠ ପଢି ଏକ ସୁନ୍ଦର ଭବିଷ୍ୟତ ଗଢିବାକୁ ଲକ୍ଷ୍ୟ ରଖିଥିଲେ ଛାତ୍ରୀ । କିନ୍ତୁ ସ୍କୁଲ ଶିକ୍ଷକଙ୍କ ଲୋଲୁପ ଦୃଷ୍ଟି ପଡିବା ପରେ ତାଙ୍କୁ ବାରମ୍ବାର ନିର୍ଯାତନାର ଶିକାର ହେବାକୁ ପଡିଥିଲା । ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଦ୍ବାରସ୍ଥ ହୋଇଛନ୍ତି ପରିବାର ।
Discover more from odia.bnslive.in
Subscribe to get the latest posts sent to your email.
