ମୌସୁମୀରେ ମନ ମୋହୁଛି ନଗଡ଼ାର ୫ ଜଳପ୍ରପାତ। ସାତକୁଲିଆ ପାହାଡ଼ ତଳ ଅଶୋକଝର-ତଳନଗଡ଼ା ସଡ଼କ ପଥ ପାର୍ଶ୍ବରେ ଥିବା ଜଳପ୍ରପାତ ଗୁଡ଼ିକର ପ୍ରାକୃତିକ ଦୃଶ୍ୟରାଜି ସାଧାରଣ ପରିଭ୍ରମଣକାରୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ…

କାଳିଆପାଣି -: ମୌସୁମୀରେ ମନ ମୋହୁଛି ନଗଡ଼ାର ୫ ଜଳପ୍ରପାତ। ସାତକୁଲିଆ ପାହାଡ଼ ତଳ ଅଶୋକଝର-ତଳନଗଡ଼ା ସଡ଼କ ପଥ ପାର୍ଶ୍ବରେ ଥିବା ଜଳପ୍ରପାତ ଗୁଡ଼ିକର ପ୍ରାକୃତିକ ଦୃଶ୍ୟରାଜି ସାଧାରଣ ପରିଭ୍ରମଣକାରୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଅଶୋକଝର ଠାରୁ ସାଢ଼େ ୫ କିଲୋମିଟର ଦୂର ନଗଡ଼ା ଉପକଣ୍ଠ ନାଲିଆଡାବ ମଧ୍ୟରେ ଦୃଶ୍ୟମାନ ହେଉଥିବା ଏହିସବୁ ଜଳପ୍ରପାତ ଜୁନମାସ ଶେଷ ସପ୍ତାହରୁ ଜୀବନ୍ତ ହୋଇଉଠିଛି।

ପାହାଡ଼ରୁ ତଳକୁ ଖସୁଥିବା ଜଳରାଶିର ଶବ୍ଦ ବି ମନକୁ ଛୁଇଁ ଯାଉଛି। ସେହିପରି ବର୍ଷାଦିନିଆ ବାଦଲରେ ଢାଙ୍କିହୋଇ ରହୁଥିବା ଏହି ପାହାଡ଼ୀ ସଡ଼କ ଅଧିକାଂଶ ସମୟରେ ଭୂସ୍ବର୍ଗ କାଶ୍ମୀରର ଭ୍ରମ ସୃଷ୍ଟି କରିଥାଏ। ସବୁଠାରୁ ଆକର୍ଷଣର କେନ୍ଦ୍ର ପାଲଟିଛି ନୋଟିଆପାଣି ଜଳପ୍ରପାତ। ପାଖାପାଖି ୨୦ ଫୁଟ ଉପରୁ ଖସୁଥିବା ଏହାର ଶୁଭ୍ର ଜଳରାଶି ରାସ୍ତାକଡ଼କୁ ଛିଟିକି ପଡ଼ୁଛି।

ନଗଡ଼ା ପାହାଡ଼ ଉଠାଣିରେ ବାମ ପଟକୁ ଥିବା ଏହି ଜଳପ୍ରପାତରେ ସକାଳୁଆ ସୂର୍ଯ୍ୟକିରଣ ପଡ଼ିଲେ ଇନ୍ଦ୍ରଧନୁର ଦୃଶ୍ୟ ଏହାର ଶୋଭା ବଢ଼ାଇଥାଏ। ଏହାର ଶୋଭା ଡିସେମ୍ବର ମାସ ପର୍ଯ୍ୟନ୍ତ ଦେଖାଯାଇଥାଏ। ସ୍ଥାନୀୟ ଜୁଆଙ୍ଗ ଜନଜାତି ଓ ଆଦିବାସୀ ମହଲରେ ସାତକୁଲିଆ ପାହାଡ଼ ଓ ନୋଟିଆପାଣି ଝରଣା ଏକ ସୁପରିଚିତ ନାମ। ସାତକୁଲିଆ ପାହାଡ଼ ଚଢ଼ି ନଗଡ଼ା, ନାଲିଆଡାବ ଓ ଗୁହିଆଶାଳ ଯିବାକୁ ହେଲେ ଏହି ନୋଟିଆପାଣି ଝରଣା ପାଣି ଶୋଷ ମେଣ୍ଟାଇଥାଏ।

ସେହିପରି ସ୍ଥାନୀୟ ପଲ୍ଲୀ ସୌରିକ ସୂର୍ଯ୍ୟବଂଶୀ ଶବର ସମାଜ ଓ ଜୁଆଙ୍ଗ କିମ୍ବଦନ୍ତୀ ଆଧାରରେ ନାଲିଆଡାବ କମୁଣ୍ଡେଇଥଳ ଗିରିଶୃଙ୍ଗରେ ପ୍ରାକୃତିକ ପ୍ରାଚୀନ ଶୈବପୀଠ ରହିଛି। ଏହି ଗିରିଶୃଙ୍ଗ ମୁକୁଟ ଆକୃତିର। ନିରିଖେଇ ଦେଖିଲେ ଏହାର ସମ୍ମୁଖ ଭାଗରେ ଥିବା ବୃହତ୍ ପଥରଖଣ୍ଡ ଏକ ମନ୍ଦିର ଭଳି ଦୃଶ୍ୟମାନ ହୋଇଥାଏ। ନାଲିଆଡାବରେ ଶତାଧିକ ବର୍ଷର ତିନି ଦିନିଆ ଜାଗର ଯାତ୍ରା ପରମ୍ପରା ରହିଛି। ନାଲିଆଡାବରୁ ପାହାଡ଼ରୁ ଉତ୍ତର-ପୂର୍ବ ଦିଗରେ ଆଉ ୨ କିଲୋମିଟର ପାହାଡ଼ ଚଢ଼ି କମୁଣ୍ଡେଇଥଳ ଯିବାକୁ ହୋଇଥାଏ। ମହାଶିବରାତ୍ରିରେ ଭକ୍ତ ଓ ଶ୍ରଦ୍ଧାଳୁମାନେ କମୁଣ୍ଡେଇଥଳରେ ଜାଗର ଜାଳିଥାନ୍ତି। କମୁଣ୍ଡେଇଥଳ ଗସ୍ତ ସମୟରେ ଶ୍ରଦ୍ଧାଳୁ ଓ ପଥଚାରୀ ପାହାଡ଼ୀ ଗୁଳାବାଟରେ ପଡ଼ୁଥିବା ଏହି ନୋଟିଆପାଣି ଝରଣାର ମଧୁର ଓ ପରିଷ୍କାର ପାଣିପିଇ ତୃପ୍ତ ହୋଇଥାନ୍ତି।

ଚଳିତ ଅଗଷ୍ଟ ୧୫ରେ ମିସନ ଟ୍ରଷ୍ଟ ପକ୍ଷରୁ ନାଲିଆଡାବରେ ଅନୁଷ୍ଠିତ ୮୦ତମ ସ୍ବାଧୀନତା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ସମ୍ଭକାର ଶୈଳଜା ରବି ଏହିସବୁ ଜଳପ୍ରପାତର ଦୃଶ୍ୟକୁ ଅତ୍ୟନ୍ତ ମନୋରମ ବୋଲି କହନ୍ତି। ୨୦୦୭ ମସିହାରେ ସୁକିନ୍ଦା ସ୍ବାସ୍ଥ୍ୟକେନ୍ଦ୍ରର ତତ୍କାଳୀନ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରବି ନାରାୟଣ ସେନାପତି ଏକ ପୋଲିଓ ବୁନ୍ଦା କାର୍ଯ୍ୟକ୍ରମରେ ଅପହଞ୍ଚ ଥିବା ନଗଡ଼ା ଓ ଗୁହିଆଶାଳ ଗସ୍ତ ସମୟରେ ତାଙ୍କୁ ନଗଡ଼ାରେ ରାତି କାଟିବାକୁ ପଡ଼ିଥିବାର ଅନୁଭୂତି ବର୍ଣ୍ଣନାକରି ସେତେବେଳେ ସେ ବିନାଦ୍ବିଧାରେ ଆଞ୍ଜୁଳାରେ ଏହି ଝରଣାପାଣି ପିଇଥିବା କହିଥିଲେ।
Discover more from odia.bnslive.in
Subscribe to get the latest posts sent to your email.
