ଭାଙ୍ଗିଲା ସ୍ଲୁଇସ୍‌ ଗେଟ୍‌, ବାଲେଶ୍ବରରେ ମାଡିଆସିଲା ବନ୍ୟା ଜଳ, ୩ ଜଣଙ୍କ ମୃତ୍ୟୁ

Creat A Revolution
           

ବାଲେଶ୍ୱର ଭୋଗରାଇରେ ସୁବର୍ଣ୍ଣରେଖା ବନ୍ୟା ପରିସ୍ଥିତି ଆହୁରି ଭୟାବହ ହୋଇଛି । ଆଉସା ବନ୍ଧ ପୋଲ ନିକଟରେ ଥିବା ସ୍ଲୁଇସ ଗେଟ୍‌ରେ ବଡ଼ ଫାଟ ସୃଷ୍ଟି ହୋଇ ବନ୍ୟାଜଳ ଗାଁ ଭିତରକୁ ପଶିଛି । ଗେଟ୍‌ ଉପରେ ପାଣିର ପ୍ରବଳ ଚାପ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଗେଟ୍‌ ସମ୍ପୂର୍ଣ୍ଣ ଭାଙ୍ଗିଗଲେ ଭୋଗରାଇର ଆହୁରି ଅନେକ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି।

ସ୍ଲୁଇସ ଗେଟ୍‌ରେ ଫାଟ ହେବା ପରେ ପାଖାପାଖି ୬ଟି ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ କରିବା ନେଇ ଆତଙ୍କ ବଢ଼ିଛି । ଗାଁ ଦାଣ୍ଡରେ ପାଣି ଜମିଥିବା ବେଳେ ଅନେକ ଘର ମଧ୍ୟ ପାଣି ଘେରରେ ରହିଛି। ଲୋକମାନେ ନିଜ ଘର ଓ ଜୀବନଜୀବିକାକୁ ନେଇ ଚିନ୍ତାରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ଗେଟ୍‌ ନିକଟରେ ବାଲି ବସ୍ତା ପକାଇ ବନ୍ୟାଜଳକୁ ଅଟକାଇବା ପାଇଁ ତୁରନ୍ତ ପ୍ରୟାସ କରାଯାଇଛି । ବନ୍ୟା ପାଣି ଯୋଗୁଁ ଭୋଗରାଇ ଅଞ୍ଚଳରେ ମୃତ୍ୟୁ ଘଟଣା ମଧ୍ୟ ସାମ୍ନାକୁ ଆସିଛି। କମର୍ଦା ଥାନା କୁଳିଦା ଗାଁର ୩୨ ବର୍ଷୀୟା ସୁମତି ଜେନାଙ୍କ ମୃତ୍ୟୁ ହୋଇଛି। ଶୌଚ ପାଇଁ ଯାଇଥିବା ବେଳେ ପୋଖରୀରେ ଗୋଡ଼ ଖସି ସେ ବନ୍ୟାଜଳରେ ବୁଡ଼ିଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେହିପରି ନାଚିନ୍ଦା ଗାଁରେ ମଧ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ନାଚିନ୍ଦା ଗ୍ରାମର ସନ୍ୟାସୀ ଚନ୍ଦ ବନ୍ୟା ପାଣିରେ ମାଛ ଧରିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ବନ୍ୟାଜଳରେ ମାଛ ଧରିବା ଭଳି ବିପଦପୂର୍ଣ୍ଣ କାର୍ଯ୍ୟ ନକରିବାକୁ ପ୍ରଶାସନ ଲୋକଙ୍କୁ ସତର୍କ କରୁଛି। ଏଭଳି ଘଟଣା ପରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।

ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ବଢ଼ିବାରୁ ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଭୋଗରାଇ ବ୍ଲକର ୧୮ଟି ପଞ୍ଚାୟତ, ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତ ଏବଂ ଜଳେଶ୍ୱର ବ୍ଲକର ଶହେରୁ ଅଧିକ ଗାଁ ବନ୍ୟା ପାଣିରେ ଘେରି ରହିଛି। ଅନେକ ସ୍ଥାନରେ ରାସ୍ତାଘାଟ ବୁଡ଼ିଯାଇଥିବାରୁ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ବନ୍ୟା ପାଣି ଘରେ ପଶିଯିବାରୁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି। କେତେକ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ଠପ୍‌ ହୋଇଥିବାରୁ ଲୋକେ ଦେଶୀ ଡଙ୍ଗା ଓ ପାୱାର ବୋଟ୍‌ର ସହାୟତା ନେଇ ଯାଆସ କରୁଛନ୍ତି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ଉଦ୍ଧାରକାରୀ ଦଳ ମଧ୍ୟ ମୁତୟନ କରାଯାଇଛି। ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଓ ପାଣି ଯୋଗାଇବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।

ବନ୍ୟାର ସବୁଠାରୁ ବଡ଼ ପ୍ରଭାବ ପଡ଼ିଛି ଚାଷ ଜମି ଉପରେ। ଏକର ଏକର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଛି। ପନିପରିବା ସହ ବିଭିନ୍ନ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ଘରେ ପାଣି ପଶିବାରୁ ଚାଉଳ, ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ମଧ୍ୟ ନଷ୍ଟ ହେଉଛି। ଫଳରେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ବାରମ୍ବାର ବନ୍ୟା ଆସିବାରୁ ଉତ୍ତର ବାଲେଶ୍ୱରର ଲୋକଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗୋଟିଏ ବନ୍ୟାରୁ ଲୋକେ ସମ୍ପୂର୍ଣ୍ଣ ଭାବେ ମୁକୁଳିବା ପୂର୍ବରୁ ପୁଣି ବନ୍ୟା ଆସୁଥିବାରୁ ଚିନ୍ତା ବଢ଼ିଛି। ଲଗାତାର ବନ୍ୟା ଯୋଗୁଁ ରାସ୍ତା, ଚାଷଜମି, ଘରବାଡ଼ି ଓ ଯୋଗାଯୋଗ ବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପଡ଼ିଛି। ବର୍ତ୍ତମାନ ସୁବର୍ଣ୍ଣରେଖାର ଜଳସ୍ତର ଧୀରେଧୀରେ ହ୍ରାସ ପାଉଥିଲେ ମଧ୍ୟ ବହୁ ଅଞ୍ଚଳରେ ବନ୍ୟା ପାଣି ଏବେ ବି ରହିଛି। ତେଣୁ ସ୍ଲୁଇସ ଗେଟ୍‌ର ସ୍ଥିତି ଉପରେ ପ୍ରଶାସନ ନଜର ରଖିବା ସହ ଦୁର୍ବଳ ସ୍ଥାନଗୁଡ଼ିକରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଲୋକଙ୍କ ସୁରକ୍ଷା, ଉଦ୍ଧାର ଓ ରିଲିଫ୍‌କୁ ପ୍ରାଥମିକତା ଦିଆଯାଉଥିବା ବେଳେ ପ୍ରଭାବିତ ପରିବାରଙ୍କ କ୍ଷୟକ୍ଷତି ଆକଳନ କରି ସହାୟତା ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading