ମୋବାଇଲ ପାଇଁ ବନ୍ଧୁ ହତ୍ୟା କଲା ବନ୍ଧୁଙ୍କୁ

Creat A Revolution
           

ରାଇଘର -: ସାମାନ୍ୟ ମୋବାଇଲକୁ ନେଇ ବଚଶା ହେବା ପରେ ଜଣେ ଅନ୍ୟ ଜଣକୁ ଇଟା ଖଣ୍ଡ ସାହାଯ୍ୟରେ ମୁଣ୍ଡରେ ପିଟି ହତ୍ୟା କରିଥିବା ଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ପାରୁଆ ପଞ୍ଚାୟତର ଛତାବେଡା (ଆଦିବାସୀ) ଗ୍ରାମରେ । ଝିମିଟି ଖେଳରୁ ସୃଷ୍ଟି ହେଲା ମହାଭାରତ ।

ଉକ୍ତ ଗ୍ରାମର ସୁକୁଲାଲ୍ ରାଉତ (୪୮)ଙ୍କୁ ସେହି ଗ୍ରାମର ୩୨ ବର୍ଷୀୟ ଘନଶ୍ୟାମ ମାଝୀ ଏକ ଇଟା ଖଣ୍ଡ ସାହାଯ୍ୟରେ ମୁଣ୍ଡରେ ପିଟିବା ଫଳରେ ସୁକୁଲାଲ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅପରପକ୍ଷରେ ରାଇଘର ପୁଲିସ ଘନଶ୍ୟାମ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଛତାବେଡା (ଆଦିବାସୀ) ଗ୍ରାମର ସୁକୁଲାଲ୍ ଓ ଘନଶ୍ୟାମ ଦୁହେଁ ଗତ ଶୁକ୍ରବାର ଦିନ ମିଶି ମଦ୍ୟପାନ କରିଥିବା ବେଳେ ମୋବାଇଲ ଫୋନକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।

ଉକ୍ତ ଗ୍ରାମର ମଝିରେ ଥିବା ହାଟପଦା ନିକଟରେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା । ଘନଶ୍ୟାମ ଏକ ଇଟା ଖଣ୍ଡ ସାହାଯ୍ୟରେ ସୁକଲାଲଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲା । ଫଳରେ ସୁକୁଲାଲ ଗୁରୁତର ଆହତ ହୋଇ ଚିକିତ୍ସା ନହୋଇ ଘରେ ଚୁପ୍ ହୋଇ ଯାଇଥିଲେ । ଘଟଣାର ଦିନକ ପରେ ଅର୍ଥାତ ଶନିବାର ସନ୍ଧ୍ୟା ସମୟରେ ସୁକୁଲାଲ୍ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଜାଣିବା ପରେ ରାଇଘର ଥାନାରେ ଲିଖିତ ଜଣାଇଥିଲେ ।

ଖବର ପାଇ ରାଇଘର ଥାନା ଅଧିକାରୀ ଟଙ୍କ ଗିରି ଭୋଇ ସହ ଏକ ଟିମ୍ ରବିବାର ସକାଳେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅନ୍ୟପଟେ ଅଭିଯୁକ୍ତ ଘନଶ୍ୟାମକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଉଭୟ ମଦ୍ୟପାନ କରିବା ପରେ ମୋବାଇଲ ଫୋନ୍‌କୁ ନେଇ ନା ଅନ୍ୟ କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ତାହା ପୁଲିସ ତଦନ୍ତ ଜାରି ରଖିଛି । ସମସ୍ତ ଘଟଣାର ଅତିରିକ୍ତ ତଦନ୍ତ କରିବା ନିମନ୍ତେ ନବରଙ୍ଗପୁର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading