ଷ୍ଟ୍ରିଟ୍ ଲାଇଟ୍‌ରେ ବସ୍ତା ଢାଙ୍କୁଛନ୍ତି ଚାଷୀ, ଆଲୁଅ ପଡ଼ୁଥିବା ସ୍ଥାନରେ ଧାନ ଫଳୁନି …

Creat A Revolution
           

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଏଲ୍‌ଇଡି ଲାଇଟ୍‌ର ମାତ୍ରାଧିକ ବ୍ୟବହାରର କୁପ୍ରଭାବ ଚାଷବାସ ଉପରେ ପଡ଼ୁଛି। ଏଲ୍‌ଇଡି ଆଲୁଅ ପଡ଼ୁଥିବା ସ୍ଥାନରେ ଧାନ ବଢ଼ି ପାରୁନାହିଁ। ବରଗଡ଼ ଜିଲ୍ଲା ଅତାବିରା ଭଳି କୃଷିଭିତ୍ତିକ କ୍ଷୁଦ୍ର ସହରାଞ୍ଚଳରେ ଏହାର ପ୍ରଭାବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ କୃଷି କ୍ଷେତ୍ର ସଂଲଗ୍ନ ରାସ୍ତାରେ ଷ୍ଟିଟ୍‌ ଲାଇଟ୍‌ ବଦଳରେ ବିକଳ୍ପ ବ୍ୟବସ୍ଥା କରିବାକୁ କୃଷି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବର୍ତ୍ତମାନ ସହରାଞ୍ଚଳରେ ଷ୍ଟ୍ରିଟ ଲାଇଟ ସଂଖ୍ୟା ବଢ଼ି ଚାଳିଛି। ଗ୍ରିନ ଫିଲ୍‌ଡ ଯୋଜନାରେ ରାଜ୍ୟର ସମସ୍ତ ଏନ୍ଏସି, ମ୍ୟୁନସିପାଲଟି ଅଂଚଳରେ ଏଲ୍‌ଇଡି ଷ୍ଟ୍ରିଟ ଲାଇଟ୍‌ ଲାଗିଛି। ହେଲେ ସୁନ୍ଦର ଆଲୋକୀକରଣ ବ୍ୟବସ୍ଥା ଯେ ରାସ୍ତା ସଂଲଗ୍ନ ଧାନ କିଆରି ପାଇଁ ବିପଦ ସୃଷ୍ଟି କରିବ, ତାହା କଳ୍ପନା ବାହାରେ।

ଏଲ୍‌ଇଡି ଲାଇଟ୍‌ ଧାନ ଚାଷୀ ପାଇଁ କାଳ ହେଉଛି। ଲାଇଟ୍‌ ଆଲୁଅ ପଡ଼ୁଥିବା ଅଂଚଳରେ ଧାନ ଗର୍ଭଧାରଣ କରିପାରୁନି। ବିଦ୍ୟୁତ ଖୁଣ୍ଟରୁ ପାଖାପାଖି ୮ରୁ ୧୫ ଫୁଟ୍ ମଧ୍ୟରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ସାଧାରଣତଃ ଧାନ କେଣ୍ଡା ୫ରୁ ୧୦ ଇଞ୍ଚ ଲମ୍ବର ଧାନ ହୋଇଥାଏ। କିନ୍ତୁ ଏଲ୍‌ଇଡି ଲାଇଟ୍‌ ଆଲୁଅ ପଡ଼ୁଥିବା ଇଲାକାରେ ଧାନ କେଣ୍ଡା ୨/୩ ଇଞ୍ଚ ଲମ୍ବ ହେଉଥିବା ଦେଖିବାକୁ ମିଳୁଛି। ଏଲ୍‌ଇଡି ଲାଇଟ୍‌ ଯୋଗୁଁ ରାତିରେ ଚକଡ଼ା ପୋକ ବଢ଼ୁଛି। ଚକଡ଼ାରୁ ମୁକ୍ତି ଏବଂ ଧାନକୁ ବଞ୍ଚାଇବା ପାଇଁ ଖୁଣ୍ଟ ଉପରେ ଚଢ଼ି ଚାଷୀ ବଲ୍‌ବରେ ବସ୍ତା ଘୋଡ଼ାଉଛନ୍ତି। ଅତାବିରା ଏନ୍ଏସି ରେଳୱେ ଷ୍ଟେସନ ରାସ୍ତାରେ ଚାଷ କରୁଥିବା ଚାଷୀ ବୀରେନ୍ଦ୍ର ପ୍ରଧାନ ଓ କିଛି ଚାଷୀଙ୍କ ସହାୟତାରେ ଖୁଣ୍ଟରେ ବସ୍ତା ଘୋଡ଼ାଯାଇଛି। ବୁଗବୁଗା ପଂଚାୟତ ଗରିଆଟିକ୍ରା ଗ୍ରାମରେ ମଧ୍ୟ ଚାଷୀମାନେ ଅନୁରୂପ ପନ୍ଥା ଆପଣେଇଛନ୍ତି। ଲାଇଟ୍‌ ଖୁଣ୍ଟ ଉପରକୁ ବସ୍ତା ଘୋଡ଼ାଇବାକୁ ଚଢ଼ିଲା ବେଳେ ଖୁଣ୍ଟର ଶୀର୍ଷ ବଙ୍କା ହୋଇପଡ଼ୁଛି। ମୂଳରେ କଂକ୍ରିଟ କାମ ନିମ୍ନମାନର ଥିବାରୁ ଖୁଣ୍ଟଗୁଡ଼ିକ ଢଳି ଯାଇଛି।

ସାମାଜିକ କର୍ମୀ ରାଜେଶ ଅଗ୍ରୱାଲ କୁହନ୍ତି, ଏଲ୍‌ଇଡି ଲାଇଟ୍‌ର କ୍ଷତିକାରକ ବିକିରଣ ଯୋଗୁଁ ବହୁ ଚାଷୀ ପ୍ରଭାବିତ ହେ‌ଉଛନ୍ତି। ସ୍ବାସ୍ଥ୍ୟ ପ୍ରତି ଏହା ଖରାପ ପ୍ରଭାବ ଆଶଙ୍କା ରହିଛି। ଧାନ ଚାଷ ବଂଚାଇବାକୁ ହେଲେ ଏଲ୍‌ଇଡି ଲାଇଟ୍‌ର ବିକଳ୍ପ ଆଲୋକୀକରଣ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ଏ ନେଇ ବ୍ଳକ କୃଷି ଅଧିକାରୀ ବିଜୟ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ, ଏଲ୍‌ଇଡି ଆଲୁଅର ତୀବ୍ରତା ବେଶୀ ଥିବାରୁ ମୁଖ୍ୟତଃ ଧାନ ଫୁଲ ଧାରଣ ସମୟରେ ପ୍ରଭାବିତ ହେଉଛି। ଧାନ ପହ୍ଲା ପଡ଼ିବାର ୫୫ରୁ ୬୫ ଦିନରେ ସାଧାରଣତଃ ଫୁଲ ହୋଇଥାଏ। ଚାଷ ଜମିରେ ଦିନ ବେଳା ସୂର୍ଯ୍ୟକିରଣ ପଡ଼ିଥାଏ। ରାତିରେ ପୁଣି ବଲ୍‌ବର ତୀବ୍ରତାଯୁକ୍ତ କିରଣ ପଡ଼ିଲେ ଫୁଲ ଧରିବାରେ ଅସୁବିଧା ହୁଏ। ଫୁଲ ନ ହେଲେ ଫଳ ମଧ୍ୟ ହୋଇପାରେ ନାହିଁ। ଧାନ ଗଛ ବଢ଼ିବ, କିନ୍ତୁ ଫଳ ହେବ ନାହିଁ। କେନ୍ଦୁଝର, ଜଳେଶ୍ବର ଅଂଚଳରେ ଏପରି ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି। ଏଥିପାଇଁ କୃଷି ବୈଜ୍ଞାନିକମାନେ ପରୀକ୍ଷାନିରୀକ୍ଷା କଲେ ପ୍ରକୃତ କଥା ଜଣାପଡ଼ିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଅତାବିରା ବ୍ଳକ୍‌ ଗମ୍ଭାରିପାଲିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ନରସିଂହଚନ୍ଦ୍ର ବାରିକଙ୍କ କହିବା ହେଲା, କିଛି କିସମର ଧାନ ଲାଇଟ୍‌ ପ୍ରଭାବରୁ ବିକଶିତ ହୋଇପାରେ ନାହିଁ। ଦିନବେଳା ସୂର୍ଯ୍ୟକିରଣର ଆଲୁଅ ପଡ଼ିବ, ରାତିରେ ୧୦/୧୨ ଘଣ୍ଟା ଏଲ୍‌ଇଡି ଲାଇଟ୍‌ ପଡ଼ିଲେ ଗଛର ସ୍ବାଭାବିକ ବଢ଼ିବା ବାଧାପ୍ରାପ୍ତ ହେବ। ନାଲି ଆଲୁଅ ଅପେକ୍ଷା ଏଲ୍‌ଇଡି ଲାଇଟର ଧଳା ଆଲୁଅରେ ଏହାର କୁପ୍ରଭାବ ଅଧିକ। କେଉଁ କିସମର ଧାନରେ ଏହାର ପ୍ରଭାବ ଅଧିକ, ତାହା ସଠିକ କହିହେବ ନାହିଁ। ଏଥିପାଇଁ ଗବେଷଣା ଆବଶ୍ୟକ ବୋଲି ଶ୍ରୀ ବାରିକ ମତ ଦେଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading