ବାକିରେ ଚାଲୁଛି ମଧ୍ୟାହ୍ନ ଭୋଜନ : ପିଲାଙ୍କ ସଂଖ୍ୟା ଅନୁଯାୟୀ ଅର୍ଥ ଆସୁନି, ଚିନ୍ତା ବଢ଼ାଇଛି ପରିବା ଓ ଅଣ୍ଡା ଦର

Creat A Revolution
           

ଗଞ୍ଜାମ -: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ମାସମାସ ଧରି ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ମିଳୁ ନଥିବାରୁ ପ୍ରଧାନଶିକ୍ଷକ ଓ ଏସ୍‌ଏଚ୍‌ଜିଗୁଡ଼ିକ ନାନା ହଇରାଣ ହେଉଛନ୍ତି। ଅନେକ ସ୍ଥାନରେ ବାକିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିବା ବେଳେ ଦୋକାନୀ ଅଧିକ ବାକି ଦେବାକୁ ମନା କରୁଥିବାରୁ ଶିକ୍ଷକମାନେ ଚିନ୍ତାରେ ପଡ଼ିଛନ୍ତି। ସେହିପରି ଦୁଇରୁ ତିନି ମାସରେ ଥରେ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଅର୍ଥ ମିଳୁଥିଲେ ହେଁ, ପିଲାମାନଙ୍କ ଅନୁପାତରେ ତାହା କମ୍ ମିଳୁଛି। ଫଳରେ ବଳକା ଅର୍ଥ ଶିକ୍ଷକଙ୍କ ପକେଟରୁ ଯାଉଛି। କେତକ ସ୍ଥଳେ ବିଦ୍ୟାଳୟକୁ ମାସ ମାସର ଚାଉଳ ଆସି ପାରୁନାହିଁ। ଆଉ ଏବେ ଶିକ୍ଷକଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଛି ଅଣ୍ଡା ଓ ପରିବା ଦରବୃଦ୍ଧି। ଏବେ ଖୋଲା ବଜାରରେ ଗୋଟିଏ ଅଣ୍ଡା ଦର ୬ ଟଙ୍କାରେ ପହଞ୍ଚିଥିବା ବେଳେ ସବୁ ପରିବା ଦର ୫୦ ଟଙ୍କା ଉପରେ ରହିଛି।

Centre renames Mid-Day Meal scheme, calls it PM POSHAN | Latest News India  - Hindustan Times

ଏଭଳି ସ୍ଥିତିରେ ସରକାର ଗୋଟିଏ ପିଲା ପିଛା ଯେଉଁ ଅର୍ଥ ପ୍ରଦାନ କରୁଛନ୍ତି ସେଥିରେ ଗୋଟିଏ ମିଲ୍ ପ୍ରସ୍ତୁତ କରିବା ଅସମ୍ଭବ ପାଲଟିଛି। ସୂଚନା ପ୍ରକାରେ, ସରକାରଙ୍କ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡପିଛା ୫ ଟଙ୍କା ୪୨ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ମୁଣ୍ଡପିଛା ୮ ଟଙ୍କା ୧୦ ପଇସା ଆସୁଛି। ବେଗୁନିଆପଡ଼ାର ପ୍ରାୟ ସମସ୍ତ ବିଦ୍ୟାଳୟରେ ଏହି ଅର୍ଥର ମାତ୍ର ୯୦ ପ୍ରତିଶତ ପ୍ରଦାନ କରାଯାଉଛି। ଫଳରେ ବାକି ୧୦ ପ୍ରତିଶତ ବିଦ୍ୟାଳୟ ଶିକ୍ଷକ କିମ୍ବା ଏସଏଚଜି ଗ୍ରୁପଙ୍କ ହାତରୁ ଯାଉଛି। ଏପ୍ରିଲ ମାସ ୨ ତାରିଖରୁ ମଧ୍ୟାହ୍ନ ଭୋଜନ ରୋଷେଇ ଆରମ୍ଭ ହୋଇଥିବା ବେଳେ ଦ୍ଵିତୀୟ କ୍ୱାର୍ଟର ଅର୍ଥାତ ଜୁଲାଇ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୨ଟି କାର୍ଯ୍ୟ ଦିବସରୁ ପ୍ରାଥମିକ ବିଦ୍ୟାଳୟ ପାଇଁ ୪୮ ଦିନ ଓ ଉଚ୍ଚ ପ୍ରାଥମିକ ପାଇଁ ମାତ୍ର ୪୭ ଦିନର ଚାଉଳ ଯୋଗାଣ ହୋଇଛି। ବଳକା ଚାଉଳ ଯୋଗାଣ ହୋଇନଥିବା ବେଳେ ଏଥିପାଇଁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ।

ଫଳରେ ବାହାରୁ ଚାଉଳ ଧାର ଆଣି ରୋଷେଇ କରିବାକୁ ପଡ଼ୁଛି। ସେହିପରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିକୁ ଇତି ମଧ୍ୟରେ ୬ ମାସ ହୋଇଥିବା ବେଳେ ବିଦ୍ୟାଳୟକୁ ମାତ୍ର ୩ ମାସର ୯୦ ପ୍ରତିଶତ ଅର୍ଥ ମିଳିଛି। ଅନ୍ୟପଟେ ସରକାର ସୋୟାବଡ଼ି କିଲୋ ପିଛା ଦର ପାଇଁ ୭୩ ଟଙ୍କା, ଡାଲି ପାଇଁ ୮୨ ଟଙ୍କା, ତେଲ ପାଇଁ ୧୪୦ ଟଙ୍କା, ପରିବା ପାଇଁ ୨୫ ଟଙ୍କା ଓ ଅଣ୍ଡା ଦର ଗୋଟା ପ୍ରତି ୫ଟଙ୍କା ପ୍ରଦାନ କରୁଛନ୍ତି। ଜାଳେଣି ପାଇଁ ପ୍ରାଥମିକ ପିଲାଙ୍କୁ ୫୦ ପଇସା ଓ ଉଚ୍ଚପ୍ରାଥମିକ ପିଲାଙ୍କୁ ୧ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି। କିନ୍ତୁ ବଜାରରେ ବର୍ତ୍ତମାନ ଡାଲି ଦର ୧୧୦ ଟଙ୍କା, ସୋୟାବଡ଼ି ୧୦୦, ତେଲ ୧୯୦, ଅଣ୍ଡା ଗୋଟା ୬ ଟଙ୍କା, ପରିବା ଦର ୪୦ ଟଙ୍କା ଓ ଗ୍ୟାସ ହାଣ୍ଡି ଦର ୧୧୨୦ ଟଙ୍କା ରହିଛି। ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବେଳକୁ କାହିଁକି ଏତେ କୃପଣ ହେଉଛନ୍ତି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି କହନ୍ତି, ବିଦ୍ୟାଳୟର ଛାତ୍ର ସଂଖ୍ୟା ଅନୁସାରେ ମଧ୍ୟାହ୍ନ ଭୋଜନ ଟଙ୍କା ପ୍ରଦାନ କରାଯାଉଛି। ୯୦ ପ୍ରତିଶତ ଅର୍ଥ ପ୍ରଦାନ ପାଇଁ କୌଣସି ନିର୍ଦ୍ଦେଶ ହୋଇ ନାହିଁ। ଅନୁଦାନ କମ ଆସିଲେ ଏଭଳି ସମସ୍ୟା ହୋଇଥାଏ। ପୂର୍ଣ୍ଣ ଅନୁଦାନ ଆସିବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ପୂରା ଅର୍ଥ ପ୍ରଦାନ କରାଯାଇଥାଏ ବୋଲି କହିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading