ଭୁବନେଶ୍ୱର -: ବ୍ୟାପକ କ୍ଷତି ଘଟାଇଛି ଗଭୀର ଅବପାତ । ଦକ୍ଷିଣ ଓଡ଼ିଶାକୁ କରିଛି ଛାରଖାର । ପ୍ରବଳ ବର୍ଷା ଯୋଗୁଁ କନ୍ଧମାଳ, ମାଲକାନଗିରି, ଗଂଜାମ ଜିଲ୍ଲାରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ଅଧିକାଂଶ ଜିଲ୍ଲାରେ ବଡ଼ ବଡ଼ ଗଛ ଉପୁଡ଼ିଛି, କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି । ମାଲକାନଗିରି ଜିଲ୍ଲାରେ ବର୍ଷା ଯୋଗୁଁ ୪ଟି ପୋଲ ବୁଡ଼ି ରହିଛି । ଗଜପତି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ବର୍ଷା ଯୋଗୁଁ ବନ୍ୟାଭଳି ସ୍ଥିତି ସୃଷ୍ଟି ହୋଇଛି । କୋଲାବ ଡ୍ୟାମରେ ଡଙ୍ଗା ବୁଡ଼ି ଜଣେ ନିଖୋଜ ହୋଇଯାଇଛନ୍ତି । ବ୍ରହ୍ମପୁର ସହରରେ ବି ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିତି ଉପୁଜିଛି । ଗଭୀର ଅବପାତର ବଡ଼ ପ୍ରଭାବ। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ସାଙ୍ଗକୁ ବଡ଼ ବଡ଼ ଗଛ ଉପୁଡ଼ିଛି ଓ କଚ୍ଚାଘର ମାଟିରେ ମିଶିଯାଇଛି । କିଭଳି କନ୍ଧମାଳ ପଟ କଳିଙ୍ଗା ଘାଟିରେ ଧସିଛି ଗାର୍ଡୱାଲ? ରାସ୍ତା ସଂପ୍ରସାରଣ ପାଇଁ ଗାର୍ଡୱାଲ ତିଆରି ହୋଇଥିବା ବେଳେ ଲଗାଣ ବର୍ଷାରେ ଗାର୍ଡୱାଲ ପୂରା ଧସିଯାଇଛି । ଫଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଳିଙ୍ଗା ଘାଟି ରାସ୍ତାକୁ ପ୍ରଶାସନ ସିଲ୍ କରି ଦେଇଛି । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାୟାପଡ଼ା ଘାଟିରେ ବଡ଼ ଭୂସ୍ଖଳନ ହୋଇଛି । ଫଳରେ ୧୮ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଓଡ୍ରାଫ ଟିମ୍ ପହଞ୍ଚି ରାସ୍ତା ସଫାରେ ଲାଗିଛନ୍ତି । ସେହିପରି ଗଂଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଘାଟିରେ ପାହାଡ଼ରୁ ବିରାଟକାୟ ପଥର ଖଣ୍ଡ ଖସି ରାସ୍ତାରେ ପଡ଼ିଥିଲା । ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତା ସଫା କରିଥିଲେ ।
ଗଭୀର ଅବପାତ ପ୍ରଭାବରେ ଅଧିକ ବର୍ଷା ଓ ପବନ କମ୍ ବୋଲି ଆକଳନ କରାଯାଇଥିଲା । କିନ୍ତୁ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିବା ବେଳେ ବହୁ ଜୋରରେ ପବନ ବହିଥିଲା । ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ଅନେକ କଚ୍ଚାଘର ମାଟିରେ ମିଶିଯାଇଛି । ମାଲକାନଗିରି ବଣ୍ଡାଘାଟିର କାତାମଗୁଡ଼ିରେ ବହୁ ଘର ଭାଙ୍ଗିଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଉଦ୍ଧାର କରି ଅଣାଯାଇଛି । ଲଗାତର ଦୁଇ ଦିନର ବର୍ଷା ଆଉ ପବନ ଯୋଗୁଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଡ଼ ବଡ଼ ଗଛ ଉପୁଡିଛି । କୋରାପୁଟ-ବିଶାଖାପାଟଣା ୨୬ ନମ୍ବର ଜାତୀୟ ରାଜପଥର ଓଏମପି ପାଖରେ ବିରାଟକାୟ ଗଛ ଭାଙ୍ଗି ପଡ଼ିଥିଲା । କେବଳ ଦକ୍ଷିଣାଞ୍ଚଳ ନୁହେଁ, ଉପକୂଳ ଓଡ଼ିଶାର ପୁରୀ, କଟକ, ଜଗତସିଂହପୁର, ଢେଙ୍କାନାଳରେ ମଧ୍ୟ ବହୁ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ବର୍ଷା କରିଛି ବେହାଲ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ପ୍ରବାହିତ ପାତାଳୀ ନଦୀ ଫୁଲିବାରୁ ରେଳଧାରଣ ପାଖ ଦେଇ ଯାଇଥିବା ରାସ୍ତା ପୂରା ବୁଡ଼ି ଯାଇଛି । ଫଳରେ ପାଖ ୮ ଖଣ୍ଡ ଗାଁ ଲୋକଙ୍କ ଯାତାୟାତ ଠପ୍ ହୋଇଯାଇଛି । ଲଗାଣ ବର୍ଷାରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ୪ଟି ପୋଲ ଉପରେ ପାଣି ଚାଲିଛି । କାଙ୍ଗୁରକୋଣ୍ଡା , କନ୍ୟାଶ୍ରମ ଏବଂ ଏମଭି-୯୦ ପାଖରେ ଥିବା ପୋଲ ବର୍ଷା ପାଣିରେ ବୁଡ଼ି ଯାଇଛି । ସେହିପରି ପାଙ୍ଗାମ ପୋଲ ଉପରେ ପାଣି ଚାଲିବାରୁ ମାଲକାନଗିରି-କୋରାପୁଟ ଭିତରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ବ୍ରହ୍ମପୁରରେ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିତି ଉପୁଜିଛି । ୩୯ ନମ୍ବର ୱାର୍ଡ ମାର୍କଣ୍ଡେଶ୍ବର ବିହାରରେ କିଛି ପରିବାର ପାଣିଘେରରେ ଫସିଯିବାରୁ ସେମାନଙ୍କୁ ଉଦ୍ଧାର କରିଥିଲେ ଓଡ୍ରାଫ ଟିମ୍ । ଜଣେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସେପଟେ କୋରାପୁଟ ଜିଲ୍ଲା ଘାଟୁଗୁଡ଼ା କୋଲାବ ଡ୍ୟାମ୍ରେ ମାଛଧରା ଡଙ୍ଗା ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ । ଅଗ୍ନିଶମ ବାହିନୀ ପକ୍ଷରୁ ଡ୍ୟାମରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ନିଖୋଜ ବ୍ୟକ୍ତି ଜଣେ ପ୍ରାଥମିକ ଶିକ୍ଷକ ବୋଲି ଜଣାପଡ଼ିଛି ।
Discover more from odia.bnslive.in
Subscribe to get the latest posts sent to your email.
