କଳାହାଣ୍ଡିରେ ନୂଆଖାଇ : ଭିନ୍ନତା ଭିତରେ ଏକତାର ବାର୍ତ୍ତା

Creat A Revolution
           

କଳାହାଣ୍ଡି -:

ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣଚେତନାର ପର୍ବ ଭାବେ କେଉଁ ଏକ ସ୍ମରଣାତିତ କାଳରୁ ପାଳିତ ହୋଇ ଆସୁଛି। ତେବେ ଭିନ୍ନ ପ୍ରଥା ଓ ପରମ୍ପରା ଯୋଗୁଁ କଳାହାଣ୍ଡିର ନୂଆଖାଇ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଥାଏ। ଶସ୍ୟ ଦାୟିନୀ ଭୂଦେବୀ ବା ଧର୍ନୀ ଦେବୀଙ୍କ ଠାରେ ପ୍ରଥମ ଅମଳ ଶସ୍ୟ ଅର୍ପଣ କରି ଭକ୍ଷଣ କରା ଯାଇଥାଏ। ଏହାସହ ପିତୃପୁରୁଷ ଓ ଦେବୀ ଦେବତାଙ୍କ ପାଖରେ ନିଜର କୃତଜ୍ଞତା ଜ୍ଞାପନ କରିଥାଏ ଚାଷୀ। ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ଶସ୍ୟପୂଜା ବା ନବାନ୍ନ ଭକ୍ଷଣର ବିଧିବିଧାନ ଥିବାବେଳେ ପଶ୍ଚିମ ଓଡ଼ିଶାରେ ଏହା ଏକ ମହାନ ଗଣଚେତନାର ପର୍ବ ‘ନୂଆଖାଇ’ ଭାବେ ପାଳିତ ହୋଇଆସୁଛି। ପ୍ରାଚୀନ କାଳରୁ ଦକ୍ଷିଣ କୋଶଳର ଅବିଚ୍ଛେଦ୍ୟ ଅଂଶ ଥିବା ପଶ୍ଚିମ ଓଡ଼ିଶାରେ ଏକ ସମୃଦ୍ଧ ପରମ୍ପରା ରହିଆସିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଥିବା ପ୍ରାଗ୍ ଐତିହାସିକ ଯୁଗର ଗୁଡ଼ହାଣ୍ଡି ଗୁମ୍ଫାଚିତ୍ର ସମେତ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଶସ୍ୟପାତ୍ର ଓ ଏହି ତତ୍ତ୍ୱର ସଙ୍କେତ ଥିବା ପରିଦୃଶ୍ୟ ହୁଏ।

ଅତିତରେ କଳାହାଣ୍ଡି ଆଟବିକ, ବିଦ୍ୟାଧର ରାଜ୍ୟ, କାନ୍ତାର, ମହାକାନ୍ତାର, ଇନ୍ଦ୍ରବନ, କମଳମଣ୍ଡଳ ଆଦି ଭିନ୍ନ ଭିନ୍ନ ନାମରେ ପରିଚିତ ଥିଲା। ଏହି ଅଞ୍ଚଳ ସମ୍ରାଟ ଅଶୋକଙ୍କ ସମୟରେ ସ୍ବାଧୀନ ଥିଲା। ସମ୍ରାଟ ଖାରବେଳ ବିଦ୍ୟାଧର ରାଜ୍ୟରୁ ସେନା ସଂଗ୍ରହ କରୁଥିଲେ। ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ କଳାହାଣ୍ଡି ମହାକାନ୍ତାର ଭାବେ ସୁପରିଚିତ ଥିଲା ଓ ବ୍ୟାଘ୍ରରାଜ ଏହାର ଶାସକ ଥିଲେ। ପ୍ରାଗ୍ଐତିହାସିକ ସମୟରୁ ଏଠାକାର ଆଦିମ ଜନଜାତି ଶସ୍ୟକୁ ଦେବୀଜ୍ଞାନରେ ପୂଜାର୍ଚ୍ଚନା ସହ ପିତୃପୁରୁଷ ସମେତ ଧର୍ନୀମାତାଙ୍କୁ କୃତଜ୍ଞତା ଜ୍ଞାପନ କରିଆସୁଛନ୍ତି। ସେଥିପାଇଁ ସେମାନଙ୍କ ମାନସତତ୍ତ୍ୱରୁ ନୂଆଖାଇ ପରି ଏକ ମହାପାର୍ବଣର ସୃଷ୍ଟି ହୋଇଛି। ଗତ କିଛି ବର୍ଷ ହେଲା ପଶ୍ଚିମ ଓଡ଼ିଶାରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ପାଳନ କରାଯାଉଛି। ତେବେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭାଦ୍ରବ ମାସର ଭିନ୍ନ ଭିନ୍ନ ତିଥିରେ ନୂଆ ଖିଆ ଯାଇଥାଏ। ମହିମା ଧର୍ମାବଲମ୍ବୀମାନେ ଶ୍ରାବଣ ପୂର୍ଣ୍ଣିମାରେ ଓ ଜିଲ୍ଲାର କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ପଥର୍ଲା, ବାହାଦୂରପଦର ଓ ପାଲକାପଡ଼ା ଗ୍ରାମବାସୀ ଭାଦ୍ର ଶୁକ୍ଳ ପ୍ରତିପଦା ତିଥିରେ ନୂଆ ଖାଇଥାନ୍ତି।

ଲାଞ୍ଜିଗଡ଼ ବ୍ଲକ କିଡିଙ୍ଗ ଗ୍ରାମବାସୀ ଗଣେଶ ଚତୁର୍ଥୀ ସନ୍ଧ୍ୟାରେ ଓ ଜୁନାଗଡ଼ ବ୍ଲକର ମୁଣ୍ଡିଗୁଡା ଓ ବାଗଡୁଙ୍ଗରୀ ଗାଁର ମଗଧା ଯାଦବ ସଂପ୍ରଦାୟର ବଗର୍ତ୍ତି ବଂଶଜମାନେ ପଞ୍ଚମୀ ରାତିରେ ନୂଆ ଖାଇଥାନ୍ତି। ସେହିପରି ଭବାନୀପାଟଣା ସମେତ କଳାହାଣ୍ଡି ଗଡ଼ଜାତର ପୁରାତନ ଜମିଦାରୀ ଅଞ୍ଚଳ ଲାଞ୍ଜିଗଡ଼ ସହର, ମହୁଲପାଟଣା, କର୍ଲାପାଟ, ଜୟପାଟଣା, ମଦନପୁର ରାମପୁର ଓ ଥୁଆମୂଲ ରାମପୁରବାସୀ ଦଶମୀ ତିଥିରେ ନୂଆ ଖାଇଥାନ୍ତି। କେତେକ ଗାଁରେ ସପ୍ତମୀ ତିଥିରେ ନୂଆଖାଇ ପାଳନ କରାଯାଏ। ଏସବୁ ଅଞ୍ଚଳକୁ ଛାଡ଼ିଦେଲେ କଳାହାଣ୍ଡିର ବାକି ସମସ୍ତ ସ୍ଥାନରେ ଭାଦ୍ର ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆ ଖିଆଯାଇଥାଏ। ବିଭିନ୍ନ ଜାତିର ଲୋକଙ୍କ ମଧ୍ୟରେ ନୂଆଖାଇକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ଅଧିକାଂଶ ଜାତିର ଲୋକ କୁରେ ପତ୍ରରେ ନୂଆ ଖାଉଥିବା ବେଳେ କିଛି ଜାତିର ଲୋକ ମହୁଲ ପତ୍ର, ସାରୁପତ୍ର, ସାହାଜ ପତ୍ର ଆଦିରେ ନୂଆ ଖାଇଥାନ୍ତି। କଳାହାଣ୍ଡିର ନୂଆଖାଇ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନର ନୂଆଖାଇ ଅପେକ୍ଷା ଭିନ୍ନ ପ୍ରକାରର ପ୍ରତୟମାନ ହୋଇଥାଏ ଏହାର ସାଂସ୍କୃତିକ ବିଭବ ଯୋଗୁଁ। କଳାହାଣ୍ଡିର ବୀର ବାଦ୍ୟ ଘୁମୁରା, ଯାଦବ ସଂସ୍କୃତିର ଅନନ୍ୟ ବିଭବ ବନାବାଡି ସହ ପ୍ରାଚୀନ ବାଦ୍ୟ ଢାବ୍ ପରିବେଷଣ ଗାଁ ପରିବେଶକୁ ରଙ୍ଗିନ କରି ଦେଇଥାଏ। ନୂଆଖାଇ ଅବସରରେ ଗ୍ରାମ୍ୟ ସଂସ୍କୃତିର ସଂରକ୍ଷକ ଗୈାନ୍ତିଆ, ଜାନୀ, ଗଣା ଆଦିଙ୍କୁ ସମ୍ମାନ ପ୍ରଦର୍ଶନ ସହ ପାରିତୋଷିକ ପ୍ରଦାନ କରିଥାନ୍ତି ଗ୍ରାମବାସୀ। ବର୍ଷ ଯାକର ମାନ ଅଭିମାନ, ରାଗରୂଷା ଆଦି ନୂଆଖାଇରେ ସମସ୍ତେ ଭୁଲି ଯାଇଥାନ୍ତି। ଏହା ଏପରି ଏକ ପର୍ବ ଯାହା ପାରିବାରିକ ଓ ଗ୍ରାମ୍ୟ ଜୀବନକୁ ଶୃଙ୍ଖଳିତ ଓ ପରିମାର୍ଜିତ କରି ଗଢ଼ି ତୋଲିଥାଏ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading