ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ‘ନୂଆଖାଇ’

Creat A Revolution
           

ନୂଆଖାଇ ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ଭାବେ କେଉଁ ଏକ ସ୍ମରଣାତୀତ କାଳରୁ ପାରମ୍ପରିକ ରିତିନିତି ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଳିତ ହୋଇ ଆସୁଛି। ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ଶସ୍ୟପୂଜା ବା ନବାନ୍ନ ଭକ୍ଷଣର ପାରମ୍ପରିକ ବିଧିବିଧାନ ଥିବାବେଳେ ପଶ୍ଚିମ ଓଡ଼ିଶା, ଛତିଶଗଡ଼ ଓ ଝାରଖଣ୍ଡର ଅନେକ ଅଞ୍ଚଳରେ ଏହା ଏକ ମହାନ ଗଣଚେତନାର ପର୍ବ ରୂପ ନେଇ ସାମାଜିକ ସଂହତିର ଶ୍ରେଷ୍ଠ ଲୋକ ଅନୁଷ୍ଠାନ ‘ନୂଆଖାଇ’ ଭାବେ ପାଳିତ ହୋଇଥାଏ। ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ନୂଆଖାଇ ଗଣଚେତନାର ବାର୍ତ୍ତା ନେଇ ବିଶ୍ବ ପ୍ରସାରି ହୋଇ ପାରିଛି। ଧର୍ନୀ ଦେବୀ ବା ଭୂଦେବୀଙ୍କ ଦ୍ୱାରା ଅନ୍ନ ସମ୍ଭବ ହେଉଥିବାରୁ ତାଙ୍କୁ କୃତଜ୍ଞତା ସ୍ୱରୂପ ପ୍ରଥମ ଅମଳଯୋଗ୍ୟ ଶସ୍ୟକୁ ଅର୍ପଣ ପୂର୍ବକ ଭକ୍ଷଣ କରିଥାଏ କୃଷିଜୀବୀ ସମାଜ। ଜ୍ୟୋତିଷ ଶାସ୍ତ୍ର ସହ ଭାରତୀୟ କୃଷକ ସମାଜର ଅଭିନ୍ନ ସମ୍ପର୍କ ଥବା ଦୃଷ୍ଟିରୁ ସିଂହ ରାଶିରେ ସୂର୍ଯ୍ୟ ବଳବାନ୍ ଥିବା ଭାଦ୍ର ଶୁକ୍ଳପକ୍ଷର ଯେକୌଣସି ପାର୍ବଣ ତିଥିରେ ନୂଆଖାଇ ପର୍ବ ପାଳନ କରାଯାଏ। ବହଲେନ ବା ରୁଗୀବଲା ଓ ପନାପାଏନ୍ ଢଲା, ଖେଡ଼ଶୁଆ, ଜୁଗାର୍ ଭାର୍ ଇତ୍ୟାଦି ପ୍ରଥା ଓ ପରମ୍ପରାକୁ ନେଇ ପରିପୁଷ୍ଟ ହୋଇଥାଏ ନୂଆଖାଇ।

ନୂଆଖାଇ ପର୍ବର ଅନ୍ୟଏକ ଆକର୍ଷଣ ହେଉଛି ଜୁଗାର୍ ଭାର୍। ଗ୍ରାମର ପୂଅଝିଅମାନେ ନିଜନିଜ ଭିତରେ ମିତ, ମାର୍ସାଦ୍, ମକର, ଗଜାମୁଙ୍ଗ, ସମକଟା, ସାଇ, ଫୁଲ, ମଡ଼ା, ଭାଏଲୋକ୍ ଆଦି ବସିଥାନ୍ତି। ଏମୋନେ ନୂଆଖାଇ ଦିନ ଜୁଗାର ଭାର ଦିଆନିଆ ହୁଅନ୍ତି। ଏହି ଜୁଗାରରେ ଥାଏ ଚାଉଳ, ଡାଲି, ପନିପରିବା ସହ ସାବୁନ, ଅତର, ଧୋତି, ଶାଢ଼ୀ ଇତ୍ୟାଦି। ମିତ ବସିଥିବା ଯୁବତୀମାନେ ଉପରୋକ୍ତ ସାମଗ୍ରୀ ସବୁ ମୁଣ୍ଡରେ ମୁଣ୍ଡାଇ ସେମାନଙ୍କ ମିତ ଘରକୁ ନୂଆଖାଇ ପୂର୍ବରୁ ଯାଇଥାନ୍ତି। ମିତ ଘରେ ତାଙ୍କୁ ପାଛୋଟି ନେବାସହ ଆଦର ସତ୍କାର କରାଯାଏ। ସେହିପରି ପୁଅ ପାଇଁ ବୋହୂ ଠିକ୍ ହୋଇ ମଦପିଆ କାର୍ଯ୍ୟକ୍ରମ ସରିଯାଇଥିଲେ ଶ୍ୱଶୁର ବୋହୁ ଘରକୁ ଶାଢ଼ୀ, ପିଠା, ଚୁଡ଼ି, ମାଳି ଆଦି ଅନେକ ଜିନିଷ ପଠାଇଥାଏ। ଜୁଗାର୍ ଭାର୍ ମୈତ୍ରୀ ବନ୍ଧନର ଏକ ଅନନ୍ୟ ପରମ୍ପରା ଭାବେ ପରିଗଣିତ ହୋଇଥାଏ। ଗୃହକର୍ତ୍ତାମାନେ ସାମାଜିକ ସଂହତିର ସଂରକ୍ଷକ ଗୌନ୍ତିଆ, ଜାନୀ, ଝାଙ୍କର, ଗଣା, ବୟୋବୃଦ୍ଧ ଆଦିଙ୍କୁ ମଧ୍ୟ ସାଧ୍ୟ ମୁତାବକ ଭାତିଆ ପ୍ରଦାନ କରିଥାନ୍ତି।

ନୂଆଧାନକୁ ପରିବାରର ମହିଳାମାନେ ପାହାରୁନ୍ କିମ୍ବା ଢେଙ୍କି ସାହାଯ୍ୟରେ କୁଟି ଚୁଡ଼ା ବାହାର କରିଥାନ୍ତି। ପୂର୍ବରୁ ପ୍ରସ୍ତୁତ ନୂଆ ଧାନର ଚୁଡ଼ାରେ ନବାତ, କ୍ଷୀର, ଘିଅ ଆଦି ଦେଇ ସୁନ୍ଦର ଭାବେ ନବାନ୍ନ ତିଆରି କରାଯାଏ। ଏହାକୁ କୁରେ ପତ୍ରରେ ମଶାନକୁନାରେ ବଢ଼ାଯାଏ ଓ ପାରମ୍ପରିକ ରୀତିରେ କୁଳାଚାର ଭାବରେ ପୂଜାର୍ଚ୍ଚନା କରାଯାଇଥାଏ। ଗୁହାଳ ଘରକୁ ମଧ୍ୟ ନବାନ୍ନ ଯାଏ। ଏହାପରେ ପରିବାରର ସମସ୍ତେ ବଡ଼ରୁ ସାନ କ୍ରମରେ ନବାନ୍ନ ଭକ୍ଷଣ କରିଥାନ୍ତି। ନୂଆଖାଇବା ପରେ ସମସ୍ତେ ବଡ଼ମାନଙ୍କୁ ମୁଣ୍ଡିଆ ମାରନ୍ତି ଓ ବାହାରକୁ ବାହାରି ପାଖ ପଡ଼ୋଶୀମାନଙ୍କୁ ଜୁହାର୍ ଭେଟ୍ କରିଥାନ୍ତି। ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଢାପ୍, ଘୁଡ଼କା, ବାଡିଖେଲ, ଘୁମୁର ଆଦି ମନୋରଞ୍ଜନଧର୍ମୀ ପାରମ୍ପରିକ ଲୋକନୃତ୍ୟ ପରିବେଷିତ ହୋଇଥାଏ। ନୂଆଖାଇ ପରଦିନକୁ ବାସି ଭାବେ ପାଳନ କରାଯାଏ। ଚାଷୀ, ଖଟିଖିଆ ଓ ବିଭିନ୍ନ କର୍ମଜୀବୀ ଏହି ଅବସରରେ ସମସ୍ତ ଦୁଃଖ କଷ୍ଟ ଭୁଲି ଯାଇଥାନ୍ତି।‌ ନୂଆଖାଇର ସପ୍ତାହେ ମଧ୍ୟରେ ଗୃହକର୍ତ୍ତା କିମ୍ବା ପରିବାରର ସଦସ୍ୟମାନେ ଝିଅଜ୍ୱାଇଁ, ବନ୍ଧୁବାନ୍ଧବ ଘରକୁ ବୁଲିଯିବାର ମଧ୍ୟ ପରମ୍ପରା ରହିଛି। ପାରିବାରିକ ଓ ସାମାଜିକ ବନ୍ଧନ ଦୃଢ଼ କରିବାରେ ଏହି ପାର୍ବଣ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ନିଜନିଜ ମଧ୍ୟରେ ଥିବା ମନୋମାଳିନ୍ୟ, ରାଗରୁଷା, ମାନ ଅଭିମାନ ନୂଆଖାଇ ଦିନ ପାଣି ଫୋଟକା ପରି ମିଳାଇଯାଏ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading