ପୁରୀ -: ପୁରୀରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ସୂଚନା ଅନୁସାରେ ଏସଟିଏଫ୍ ଟିମ୍ ଓ ବାସେଳିସାହି ପୁଲିସ୍ ଦ୍ୱାରା ୧୧୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ୧୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବି ଜଣାଯାଇଛି। ସାବାଳକ ଅଭିଯୁକ୍ତଙ୍କ ନାମ ସର୍ବେଶ୍ବର ବେହେରା ବୋଲି ଜଣାଯାଇଛି।
ଗତକଲି ସନ୍ଧ୍ୟା ସମୟରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୧୧୦ ଗ୍ରାମ ବ୍ରାଉନସୁଗାର ୬ଟି ମୋବାଇଲ୍, ନଗଦ ୧୧ ହଜାର ଟଙ୍କା ଓ ଦୁଇଟି ଟୁ ହୁଇଲର ଜବତ ହୋଇଛି। ଆଜି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ସୂଚନାଯୋଗ୍ୟ, ପୁରୀରୁ କିଛି ଦିନ ତଳେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବାର ଖବର ମିଳିଥିଲା।
ଏହି ମାମଲାରେ ୪ ଆନ୍ତଜିଲ୍ଲା ବେପାରୀଙ୍କୁ ବି ଗିରଫ କରାଯାଇଥିଲା। ସୂଚନା ଅନୁଯାୟୀ, ପୁରୀ ସହରର ବାସେଳି ଥାନାର ମାଟିତୋଟାରେ ଏସଟିଫ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ୩୫୬.୬୬ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଥିଲା।
ଏହାଛଡ଼ା ସେଠାରୁ ୪ ଆନ୍ତଜିଲ୍ଲା ବେପାରୀ ଗିରଫ ହୋଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଫିରୋଜ ଖାନ୍, ପପୁ ପାଣ୍ଡେ, ଶେଖ୍ ଇଫତଖର୍ ଟୁଲ୍ଲା ଓ ଦୀପ୍ତି ରଂଜନ ଭୁଜବଳ। ସେମାନଙ୍କଠାରୁ ୩ଟି ଦୁଇଚକିଆ ଯାନ, ୪ଟି ମୋବାଇଲ୍ ଫୋନ୍, ଗୋଟିଏ ଓଜନ ମେସିନ୍ ଓ ନଗଦ ୧୭ ହଜାର ଟଙ୍କା ଜବତ କରାଯାଇଥିଲା।
Discover more from odia.bnslive.in
Subscribe to get the latest posts sent to your email.
